Latest Odisha News

ଆତଙ୍କବାଦୀ ବଲିଉଲ୍ଲାହକୁ ମିଳିଲା ଫାଶୀଦଣ୍ଡ

ବାରଣାସୀ: ଶେଷରେ ଆତଙ୍କବାଦୀ ବଲିଉଲ୍ଲାହକୁ  ମିଳିଲା ଫାଶୀ ଦଣ୍ଡ । ୟୁପିରେ ସିରିଜ ବିସ୍ଫୋରଣ ଘଟାଇଥିବା ଅପରାଧରେ ଆତଙ୍କବାଦୀ ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଗାଜିଆବାଦ କୋର୍ଟ  ।  ୧୬ବର୍ଷ ଧରି ଚାଲିଥିବା ଏହି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି  । ଉତ୍ତରପ୍ରଦେଶର ବାରଣାସୀରେ ୨୦୦୬‌ରେ ହୋଇଥିବା  ସିରିଜ୍ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ବଲିଉଲ୍ଲାହ। ପରେ ଆଜି ଗାଜିଆବାଦ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।  କୋର୍ଟ  ପ୍ରଥମେ ଗୋଟିଏ ବିସ୍ଫୋରଣ ମାମଲାରେ ବଲିଉଲ୍ଲାହକୁ ନିର୍ଦ୍ଦୋଷରେ ଖଲାସ କରିଥିବା ସହ ୨ଟି ବିସ୍ଫୋରଣ ମାମଲାରେ ବଲିଉଲ୍ଲାହଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନା ଅନୁସାରେ ବଲିଉଲ୍ଲାହ  ଗତ ଶନିବାର ଅପରାହ୍ନରେ ଜିଲ୍ଲା କୋର୍ଟରେ ହାଜର ହୋଇଥିଲା।  ଶୁଣାଣି ସମୟରେ ସେସନ ଜଜ୍ ଜିତେନ୍ଦ୍ର କୁମାର ସିହ୍ନା ବନାରସର ହନୁମାନ ମନ୍ଦିରରେ ହୋଇଥିବା ବିସ୍ଫୋରଣ ଘଟଣାରେ ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା। ସଙ୍କଟମୋଚନ ହନୁମାନ ମନ୍ଦିରରେ ବିସ୍ଫୋରଣ ଘଟଣାରେ ବଲିଉଲ୍ଲାହଙ୍କୁ ଦୋଷୀ କରାଯାଇଥିବା ବେଳେ  ଦଶାଶ୍ୱମେଧ ଘାଟରେ ମିଳିଥିବା ବୋମା ମାମଲାରେ ମଧ୍ୟ କୋର୍ଟ ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଅନ୍ୟ ଏକ ବିସ୍ଫୋରଣ ମାମଲାରେ ପ୍ରମାଣ ନମିଳିବାରୁ କୋର୍ଟ ବଲିଉଲ୍ଲାହଙ୍କୁ ଦୋଷୀ ପାଇନଥିଲେ ।

 ଜୁନ୍ ୪ରେ ଦୋଷୀ ସାବ୍ୟସ୍ତ କରିବା ପରେ ଜୁନ୍ ୬କୁ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଆଜି ରାୟ ଶୁଣାଣି କରି ଦ‌ୋଷୀକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି କୋର୍ଟ । ଏଠାରେ ସୂଚନାଯୋଗ୍ୟ ଯେ ବାରଣାସୀର କୌଣସି ଓକିଲ ବଲିଉଲ୍ଲାହ ପାଇଁ ଲଢ଼ିବାକୁ ପ୍ରସ୍ତୁତ ନଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଶୁଣାଣି ପାଇଁ ଏହି ମାମଲା ଗାଜିଆବାଦ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଏବଂ ମାମଲାର ଶୁଣାଣି ପରେ ରାୟ ପ୍ରକାଶ ପାଇଛି ।

Comments are closed.