ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ । ଗିରଫ ହେଲେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ । ମାରାଥନ ଜେରା ପରେ ମନୋଜଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଜେରା ପରେ କ୍ରାଇମବ୍ରାଞ୍ଚ ଗିରଫ କରିଛି ।
ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କରେ କ୍ରାଇମବ୍ରାଞ୍ଚରେ ଏତଲା ହେଵା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସୋମବାର ସନ୍ଧ୍ୟାରେ ଏସସିଇଆରଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କ୍ରାଇମବ୍ରାଞ୍ଚରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କରେ ଏତଲା ଦାୟର କରିଥିଲେ । ଏତଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସହ ଆଉ ୫ ଜଣଙ୍କ ନାଁ ରହିଛି । ଏସସିଇଆରଟିର ଏତଲା ଅନୁସାରେ ଏହି ୬ ଜଣ ହିଁ ପାଠ୍ୟପୁସ୍ତକ ତ୍ରୁଟି ପାଇଁ ଷଡଯନ୍ତ୍ର କରିଥିଲେ ।
ପ୍ରାଥମିକ ଭାବେ କ୍ରାଇମବ୍ରାଞ୍ଚ ଟିମ୍ ଏସସିଇଆରଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଚିହ୍ନଟ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ।
ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।