ଭୁବନେଶ୍ୱର: କେନ୍ଦ୍ର ସରକାର ଭୁବନେଶ୍ୱର ଡିସିପିଙ୍କ ଇସ୍ତଫାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖୁବ୍ଶୀଘ୍ର ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଞ୍ଜୁରି ପ୍ରଦାନ କରିଛି। ଭାରତୀୟ ପୋଲିସ ସେବା (IPS)ରୁ ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।
୨୦୧୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ମୀନାଙ୍କ ଇସ୍ତଫା ୨୦୨୬ ସେପ୍ଟେମ୍ବର ୧୧ ଅପରାହ୍ଣରୁ କାର୍ଯ୍ୟକାରୀ ହୋଇଛି। ସେପ୍ଟେମ୍ବର ୧୧ରେ ନୂଆଦିଲ୍ଲୀରୁ ଜାରି କେନ୍ଦ୍ର ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଜଗମୋହନ ମୀନା, IPS (OD:2013)ଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହି ଆଦେଶରେ କେନ୍ଦ୍ର ସରକାରଙ୍କ ଅଣ୍ଡର ସେକ୍ରେଟାରୀ ୟତେନ୍ଦ୍ର କୁମାରଙ୍କ ସ୍ୱାକ୍ଷର ରହିଛି। ଭୁବନେଶ୍ୱର DCP ଭାବେ କାର୍ଯ୍ୟରତ ଥିବା ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ IPS ଚାକିରିରୁ ଇସ୍ତଫା ଦେଇଥିଲେ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ।
ଏହା ପଛରେ କୌଣସି ବାହ୍ୟ ଚାପ ନଥିବା ମଧ୍ୟ ସେ ସ୍ପଷ୍ଟ କରିବା ସହ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ। ରାଜସ୍ଥାନର ସିକର ଅଞ୍ଚଳର ଜଗମୋହନ ମୀନା IIT Kanpurର ପୂର୍ବତନ ଛାତ୍ର। ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟ ୮୪୯ ରାଙ୍କ ହାସଲ କରିବା ପରେ ସେ ୨୦୧୩ ଡିସେମ୍ବରରେ IPSରେ ଯୋଗ ଦେଇଥିଲେ। ଓଡ଼ିଶାରେ ପ୍ରାୟ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି। କଳାହାଣ୍ଡିରେ SDPO ଭାବେ କାମ କରିବା ପରେ ମାଲକାନଗିରି, ଅନୁଗୁଳ ଓ ଗଞ୍ଜାମର SP ଦାୟିତ୍ୱ ସମ୍ଭାଳିଥିଲେ। ଏହାସହ କଟକ DCP ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମୀନାଙ୍କ ଇସ୍ତଫା ସମ୍ପର୍କିତ କାଗଜପତ୍ରକୁ ଓଡ଼ିଶା ସରକାର ପୂର୍ବରୁ ପ୍ରକ୍ରିୟାକରଣ କରି କେନ୍ଦ୍ରକୁ ପଠାଇଥିଲେ। ଏବେ ଗୃହ ମନ୍ତ୍ରାଳୟର ଆନୁଷ୍ଠାନିକ ମଞ୍ଜୁରି ପରେ ସେପ୍ଟେମ୍ବର ୧୧ ଅପରାହ୍ଣରୁ ସେ ଆଉ IPSର ସଦସ୍ୟ ନୁହନ୍ତି।

