Latest Odisha News

BREAKING NEWS

୨୫୦ ବର୍ଷ ଧରି ଭାରତକୁ ଶାସନ କରିଥିବା କମ୍ପାନୀର ମାଲିକ ଏବେ ଭାରତୀୟ

ନୂଆଦିଲ୍ଲୀ: କଥାରେ ଅଛି ସମୟ ସବୁବେଳେ ସାଥ୍ ଦିଏ ନାହିଁ । ସେମିତି ଏକ ସମୟ ଥିଲା ସ୍ୱାଧୀନତା ପୂର୍ବର । ବାଣିଜ୍ୟ ପାଇଁ ଭାରତ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ଶାସନ ଭାର ହାତେଇ ନେଇଥିଲା । କମ୍ପାନୀର କଥାରେ ସେନା ଚାଲୁଥିଲା । ସମୟ ଚକ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଧିପତ୍ୟ ହ୍ରାସ ପାଇବା ସହ ଏବେ କମ୍ପାନୀର ମାଲିକ ଜଣେ ଭାରତୀୟ ବଂଶୋଦ୍ଭବ ।

୧୬ଶହ ଶତାବ୍ଦୀରେ ୟୁରୋପୀୟ ଶକ୍ତିର ଅଦ୍ଭୁଦୟ ହେବା ସହ ଉପନିବେଶବାଦ ବିସ୍ତାର ହୋଇଥିଲା । ସେହି ସମୟରେ କିଛି ଇଂରେଜ ବେପାରୀ ମିଶି ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତରେ ବ୍ୟବସାୟ କରିବା । ୧୬୦୦-୦୧ ମସିହାରେ ଜେମ୍ସ ଲ୍ୟାନକାଷ୍ଟରଙ୍କ ନେତୃତ୍ୱରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରଥମଥର ଭାରତରେ ପହଞ୍ଚି ଥିଲା ।

ତତ୍କାଳୀନ ମୋଗଲ ସମ୍ରାଟ ଜହାଙ୍ଗୀର ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବ୍ୟବସାୟ ଲାଗି ଅଧିକାର ଦେଇଥିଲେ । ୧୬୦୮ରେ କମ୍ପାନୀର ଜାହାଜ ସୁରଟରେ ଲାଗିଥିଲା । ୧୬୧୧ରେ ଆନ୍ଧ୍ରପ୍ରଦେଶର ମସୁଲିପଟ୍ଟଣମରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା କରିଥିଲା କାରଖାନା । ଏହାର କିଛି ବର୍ଷ ପରେ କମ୍ପାନୀ କୋଲକାତା, ସୁରଟ ସମେତ ଅନେକ ସହରରେ ଆଧିପତ୍ୟ ବିସ୍ତାର କରିଥିଲା ।

ଫ୍ରାନ୍ସ ଓ ପର୍ତ୍ତୁଗାଲ୍ କମ୍ପାନୀ ମାନଙ୍କ ସହ ଯୁଦ୍ଧରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଜିତିବା ସହ ୧୭୬୪ର ବକ୍ସର ଯୁଦ୍ଧ କମ୍ପାନୀର ସ୍ଥିତିକୁ ଆହୁରି ମଜଭୁତ୍ କରିଥିଲା । ୧୮୫୭ ଯାଏ ଭାରତରେ ରାଜ୍ କରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ । ସେହି ବର୍ଷ କମ୍ପାନୀ ହାତରୁ ଭାରତର ଶାସନଭାର ହାତେଇ ନେଇଥିଲେ ବ୍ରିଟିଶ୍ ।

କେବଳ ଭାରତ ନୁହେଁ ବ୍ୟବସାୟ ନାଁରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଚୀନରେ ବି ଶାସନ କରୁଥିଲା । ଗୋଟିଏ ସମୟରେ ଇଂରେଜଙ୍କ କ୍ଷମତା ଓ ସାମର୍ଥ୍ୟର ପ୍ରତୀକ ଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ । ୧୫୮୭ କ୍ରାନ୍ତି ପରେ ଆରମ୍ଭ ହୋଇଥିଲା ଇଷ୍ଟ ଇଣ୍ଡିଆ ପାଇଁ ଖରାପ ସମୟ । କମ୍ପାନୀ ଠାରୁ ସେନା ରଖିବା ଅଧିକାର ଛଡ଼ାଇ ନିଆଯିବା ସହ ବ୍ୟବସାୟ ହ୍ରାସ ପାଇଥିଲା ।

ଇତିହାସ ବହିରେ ଇଷ୍ଟ ଇଣ୍ଡିଆ କମ୍ପାନୀ ରହି ଯାଇଥିବା ବେଳେ ୨୦୧୦ରେ ଭାରତୀୟ ବଂଶୋଦ୍ଭବ ସଞ୍ଜୀବ ମେହେଟ୍ଟା କମ୍ପାନୀକୁ କିଣି ନେଇଥିଲେ । ସେତେବେଳେ ସଞ୍ଜୀବ ମେହେଟ୍ଟା ଇଷ୍ଟ ଇଣ୍ଡିଆ କମ୍ପାନୀକୁ ୧୫ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୨୦ କୋଟି ଟଙ୍କାରେ କିଣିଥିଲେ ।

ଏବେ କଣ କରୁଛି ଇଷ୍ଟ ଇଣ୍ଡିଆ କମ୍ପାନୀ ?

ଗୋଟିଏ ସମୟ ଥିଲା ବ୍ୟବସାୟ ନାଁରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ଚଳାଉଥିଲା । ରେଳଠୁ ନେଇ ଜାହାଜ ସବୁକିଛି ଥିଲା କମ୍ପାନୀର । ବର୍ତ୍ତମାନ ସମୟରେ ସଞ୍ଜୀବ ମେହେଟ୍ଟା ଇଷ୍ଟ ଇଣ୍ଡିଆକୁ କିଣିବା ପରେ ଏହା ଇ-କମର୍ସ ପ୍ଲାଟଫର୍ମରେ ପରିଣତ ହୋଇଛି । ବିଭିନ୍ନ ସାମଗ୍ରୀକୁ କମ୍ପାନୀ ଅନଲାଇନରେ ବିକ୍ରି କରୁଛି ।

Leave A Reply

Your email address will not be published.