Latest Odisha News

BREAKING NEWS

ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ: ୫ ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନ

ସମ୍ବଲପୁର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରାକୁଦ ଗେଟ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ହୀରାକୁଦ ଜଳଭଣ୍ଡାରର ସୁଇସ୍ ଗେଟ୍ ଖୋଲାଯାଇଛି। କର୍ଭ ରୂଲ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଆଜି ହୀରାକୁଦ ଜଳଭଣ୍ଡାରର ସୁଇସ୍ ଗେଟ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି।

ପ୍ରଥମେ ୭ ନମ୍ବର ଗେଟ୍ ଦେଇ ନିଷ୍କାସନ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପରେ ଜଳଭଣ୍ଡାରର ଲେଫ୍ଟ ସ୍ପିଲୱେରୁ ୩ଟି ଏବଂ ରାଇଟ ସ୍ପିଲୱେରୁ ୨ଟି ସୁଇସ ଗେଟ ପର୍ଯ୍ୟାୟକ୍ରମେ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବ । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଘନଫୁଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୧୪.୮୭ ଘନଫୁଟ ଜଳ ରହିଛି। ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ । ମୁଣ୍ଡଳିକୁ ଆସନ୍ତା ୩୬ ଘଣ୍ଟା ପରେ ପହଞ୍ଚିବ ବନ୍ୟା ଜଳ l ଏନେଇ ରାଜ୍ୟର ୧୨ଟି ଜ଼ିଲ୍ଲାର ଜ଼ିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି।

Leave A Reply

Your email address will not be published.