Latest Odisha News

ନବରାତ୍ରୀ ୨୦୨୩: ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜେ ପୁରୀର ଗୋଷାଣୀ ଯାତ

ପୁରୀ: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଆଉ କିଛି ଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା’ ଦୁର୍ଗା । ଶ୍ରୀକ୍ଷେତ୍ର ପୁରୀରେ ଗୋଷାଣୀ ପୂଜାକୁ ନେଇ ପ୍ରସ୍ତୁତି ଆଗେଇ ଚାଲିଛି । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ସବୁଆଡ଼େ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରର ସ୍ଥାନୀୟ ପରମ୍ପରା ଅନୁଯାୟୀ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ରୂପେ ପୂଜାର୍ଚ୍ଚନା କରାଯାଇଥାଏ । ଚଳିତ ବର୍ଷ ମହା ଆଡ଼ମ୍ବରରେ ଗୋଷାଣୀ ପୂଜା କରିବା ଲାଗି ବିଭିନ୍ନ ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଶ୍ରୀକ୍ଷେତ୍ରର ସର୍ବବୃହତ ଗୋଶାଣୀ ହେଉଛନ୍ତି ମାଆ ବାରବାଟୀ । ଶ୍ରୀମନ୍ଦିର ସିଂହଦ୍ୱାର ପୂର୍ବଦ୍ୱାର ଠାରୁ ଦକ୍ଷିଣଦ୍ୱାର ଦେଇ  ଲୋକନାଥଙ୍କ ରାସ୍ତାରେ ଗଲାବେଳେ ଟିକେ ବାଆଁକୁ ପଡେ ବାରବାଟୀ ସାହି ଓ ସେହିଠାରେ ବାରବାଟୀ ଜାଗାରେ ପୂଜା ପାଇଥାନ୍ତି ମାଆ ବାରବାଟୀ । ପ୍ରାୟ ୨୦ ରୁ ୨୨ ଫୁଟ ର ଉଚ୍ଚତା ବିଶିଷ୍ଠ ପ୍ରକାଣ୍ଡ ମାଟି ମୂର୍ତ୍ତି ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ ।  ମା ବାରବାଟୀଙ୍କ ବିଗ୍ରହର ଶାଢ଼ୀ ଉପରେ ଯେଉଁ ଅନେକ ବର୍ଗାକାରର ଡିଜାଇନ ହୋଇଥାଏ ତାହା ପାରମ୍ପରିକ ଚାନ୍ଦିର ଟିକିଲି ଗୁଡ଼ିକରେ କରାଯାଏ । ମାଆଙ୍କ ପାଖରେ ପ୍ରାୟ ୧୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ଆମିଷ ପ୍ରସାଦ ସେବନର ବ୍ୟବସ୍ଥା କରାଯାଏ ଘିଅଅନ୍ନ, କାନିକା, ଡାଲି, ବେସର, ମହୁର, ଦହି ପଖାଳ, ମଞ୍ଜି ଭଜା, ମାଛ ଭଜା ଭଳି ମା ଙ୍କ ପାଖରେ ଅନେକ ସୁସ୍ୱାଦୁ ଭୋଗର ଆୟୋଜନ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଥାଏ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ମହାପ୍ରଭୁଙ୍କର ଏକାଦଶୀ ଦିନ ମହାଦୀପ ଉଠିଲେ ଦେବୀ ମାଆଙ୍କୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଦୀର ଦେବୀଘାଟରେ ବିସର୍ଜନ କରାଯାଏ।

ସେହିପରି ଜହ୍ନିଖାଇ ଗୋସାଣୀ ଶ୍ରୀକ୍ଷେତ୍ର ପୁରୀର ଦ୍ୱିତୀୟ ବୃହତ୍ତମ ଗୋସାଣୀ ଅଟନ୍ତି । ଏହାଙ୍କୁ ଗୋଶାଣୀ ମାନଙ୍କ ମଧ୍ୟରେ  ‘ମଝିଆ ଭଗିନୀ’ ବୋଲି କୁହାଯାଏ । ମା ପରମ ବୈଷ୍ଣବୀ ହୋଇଥିବାରୁ ସମ୍ପୂର୍ଣ୍ଣ ନିରାମିଷ ପ୍ରସାଦର ବ୍ୟବସ୍ଥା କରାଯାଇଥାଏ । ସାହିର ସଦସ୍ୟଙ୍କ ସମେତ ଅନ୍ୟ ଭକ୍ତଙ୍କ ପାଇଁ ହୋଇଥାଏ ପ୍ରସାଦ ସେବନ ବ୍ୟବସ୍ଥା । ୧୬ ଫୁଟ ଉଚ୍ଚତା ଏହି ମୂର୍ତ୍ତିର ଅପୂର୍ବ କାରିଗରୀ ଦେଖିଲେ ଆଖି ଝଲସି ଯାଏ । ୫୦୦ ବର୍ଷରୁ ଚାଲି ଆସୁଥିବା ପରମ୍ପରା ଅନୁଯାୟୀ ଏହି ମୂର୍ତ୍ତି ପ୍ରତିବର୍ଷ ଗୋଟିଏ ପରିବାରର ସଦସ୍ୟଙ୍କ ଦ୍ୱାରା ନିର୍ମାଣ କରାଯାଏ । ଚଳିତ ବର୍ଷ ବାଲି ସାହି ଜହ୍ନିଖାଇ ଠାକୁରାଣୀଙ୍କ ମସ୍ତକରେ ୧୩ କିଲୋ ଓଜନର ଚାନ୍ଦି ମୁକୁଟ ଶୋଭା ପାଇବ । ସେହିପରି ଗୋଷାଣୀ ପୂଜାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଗୋଷାଣୀ ପୂଜା ମଣ୍ଡପ ଗୁଡିକରେ ମେଢ଼ ଗୁଡ଼ିକୁ ଆକର୍ଷଣୀୟ ଜରି, ସୋଲ ଓ ଚାନ୍ଦି ଅଳଙ୍କାର ନିର୍ମିତ ମେଢ଼ ଶୋଭା ପାଇବ । ଏନେଇ ବାଲିସାହି ଜହ୍ନିଖାଇ କମିଟି କୋଷାଧ୍ୟକ୍ଷ ମାନସ ରଞ୍ଜନ ବେହେରା କହିଛନ୍ତି, “ଏବର୍ଷ ଆଡମ୍ବରରେ ପୂଜା ହେବ । ଏହି ଦିନ ପାଖେଇ ଆସୁଥିବାରୁ ଆମ ମନରେ ଉତ୍ସାହ ବଢୁଛି । ଚଳିତ ବର୍ଷ ମା’ଙ୍କ ଲାଗି ୧୩ କିଲୋ ଓଜନର ଚାନ୍ଦି ମୁକୁଟ ପ୍ରସ୍ତୁତ କରାଯାଇଛି । ଏଠାରେ ଅନ୍ନଭୋଗ ହୁଏ ନାହିଁ । ମାଆଙ୍କ ପାଖରେ ଶୀତଳ ପ୍ରସାଦ ଯଥା ପୁରୀ, ବୁନ୍ଦିଆ, ଖାଯା, ଚୁଡା, ଖଇ, ମହନଭୋଗ,ଓ ସୋଲା ଆଦି ଭୋଗ ଲାଗିଥାଏ ।

ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଦେବୀ ସଭା ନାମରେ ନାମିତ ଆସ୍ଥାନରେ ଅନ୍ୟ ଦେବାଦେବୀଙ୍କ ସହ ଏକତ୍ରିତ ହେବା ପରେ ଶେଷରେ ବିସର୍ଜନ ସ୍ଥାନକୁ ଯାଇଥାନ୍ତି ଏହି ଗୋଶାଣୀ ମୁର୍ତ୍ତି ।

Leave A Reply

Your email address will not be published.