Latest Odisha News

ନୂଆ କୁଳପତି ଚୟନ ପ୍ରକ୍ରିୟାରେ ବିଳମ୍ବ: ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଲେ ରାଜ୍ୟପାଳ

ଭୁବନେଶ୍ଵର: ରାଜ୍ୟରେ ବିଳମ୍ବ ହେଉଛି କୁଳପତି ଚୟନ ପ୍ରକ୍ରିୟା। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୩ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ଚିଠି ଲେଖାଯାଇଛି। କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ ଗତ ୪ଦିନ ତଳେ, ଅର୍ଥାତ୍ ୮ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠି ଲେଖିଛନ୍ତି।

ସୂଚନାନୁଯାୟୀ, ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟ ଯଥା-ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତ ନଭେମ୍ବର ମାସ ଶେଷ ସପ୍ତାହରେ ସରିବ।

ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ନିର୍ଦ୍ଦେଶରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଆଧାରରେ ନୂଆ କୁଳପତି ଚୟନ ପାଇଁ ଚୟନ କମିଟିର ସଂଯୋଜକ ଭାବେ ବିଜ୍ଞାପନ ଜାରି କରିବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠିରେ ଅନୁରୋଧ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ସ୍ତରରେ ଏହି ଚୟନ ପ୍ରକ୍ରିୟା ବିଳମ୍ବ ହେଉଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଚୟନ ପ୍ରକ୍ରିୟାରେ ବିଳମ୍ବ  ହେତୁ  ଯେଉଁ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିବ। ତେଣୁ ଏଭଳି ସ୍ଥିତିରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ନୂଆ କୁଳପତି ଚୟନ ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି।

Comments are closed.