Latest Odisha News

ଚିଲିକାରେ କମିଲେ ବିଦେଶୀ ପକ୍ଷୀ, ବଢିଲା ପକ୍ଷୀଙ୍କ ପ୍ରଜାତି

ଖୋର୍ଦ୍ଧା: ଗତବର୍ଷ ତୁଳନାରେ ଚିଲିକାରେ କମିଲା ବିଦେଶୀ ପକ୍ଷୀ ସଂଖ୍ୟା । ଗତବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମୋଟ ୧୧ ଲକ୍ଷ ୨୭ ହଜାର ୨୨୮ ପକ୍ଷୀ ଆସିଛନ୍ତି । ଅର୍ଥାତ୍ ଗତବର୍ଷ ତୁଳନାରେ ୧୦ ହଜାର ୫୩୧ କମ୍‌ ବିଦେଶୀ ପକ୍ଷୀ ଆସିଛନ୍ତି । ତେବେ ପକ୍ଷୀଙ୍କ ସଂଖ୍ୟା କମିଥିଲେ ବି ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା ବଢ଼ିଛି । ଗତବର୍ଷ ୧୮୪ ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ବେଳେ ଏଥର ୯ଟି ଅଧିକ ପ୍ରଜାତି ପକ୍ଷୀଙ୍କ ଆଗମନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡିଏଫ୍‌ଓ ।

ସୂଚନା ଅନୁସାରେ, ସମଗ୍ର ଚିଲିକାରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚିଲିକାକୁ ଆଗମନ କରିଥିବା ବିଦେଶାଗତ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା ଚାଲିଥିଲା। ଏଥିପାଇଁ ଚିଲିକାର ୫ ଟି ଜୋନରେ ସମୁଦାୟ ୨୧ଟି ଟିମ ନିୟୋଜିତ ହୋଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣନା କାର୍ଯ୍ୟରେ ଗନ୍ତବ୍ୟ ସ୍ଥଳ ଚିତ୍ର, ମାନଚିତ୍ର, ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ନୋଟ ବୁକ, ୱାକିଟକି ଆଦି ବ୍ୟବହାର କରାଯାଇଥିଲା। ଚଳିତ ବର୍ଷ ବିଶେଷ କରି ଇରାନ, ଇରାକ, ରୁଷ, ମଙ୍ଗୋଲିଆ, ଜାପାନ, ସାଇବେରିଆ, ଆଫଗାନିସ୍ତାନ, କାଜିସ୍ଥାନ ଆଦି ବିଭିନ୍ନ ଅଞ୍ଚଳରୁ ୧୦୯ ପ୍ରଜାତିର ୧୦ଲକ୍ଷ ୮୭ ହଜାର ୨୨୬ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ୮୭ ପ୍ରଜାତିର ୩୦ ହଜାର ୨ଟି ସ୍ଥାନୀୟ ପକ୍ଷୀ ଆସିଛନ୍ତି।

ଚିଲିକାକୁ ଏ ବର୍ଷ ୧୧,୨୭,୨୨୮ ଦେଶୀ ଓ ବିଦେଶୀ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ଚିଲିକାକୁ ୧୦, ୫୩୧ ପକ୍ଷୀ କମ୍‌ ଆସିଛନ୍ତି। ମାତ୍ର ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୯ ଟି ପ୍ରଜାତିର ପକ୍ଷୀ ଅଧିକ ଆସିଛନ୍ତି । ତେବେ ଚଳିତ ବର୍ଷ ଚିଲିକାର ଜଳସ୍ତର ବଢିଥିବାରୁ ପକ୍ଷୀଙ୍କ ସଂଖ୍ୟା କମିଥିବା କହିଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ସେପଟେ ଚିଲିକାରେ କେତେ ସଂଖ୍ୟକ ଡଲଫିନ୍ ଅଛନ୍ତି ତା’ର ମଧ୍ୟ ଗଣନା କରାଯିବ । ସେଥିପାଇଁ ଆଜି ଟ୍ରେନିଂ ଦିଆଯିବ ଏବଂ ଗତକାଲିଠୁ ଡଲଫିନ ଗଣନା ଆରମ୍ଭ ହେବ । ୩ଦିନ ଧରି ଏହି ଡଲଫିନ ଗଣନା କରାଯିବ । ତେବେ ପାଗ ଅନୁକୂଳ ରହିଲେ ଡଲଫିନ୍ ଗଣନା କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି କହିଛନ୍ତି ଡିଏଫଓ।

Comments are closed.