Latest Odisha News

ରାଜନୀତିର ପଶାପାଲିରେ ଓବିସି !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୀତି ସେତିକି ତୀବ୍ର ହେଉଛି। ଏବେ ଓବିସି ଜନଗଣନାକୁ ନେଇ ରାଜନୀତି ସରଗରମ। ଓବିସି ବର୍ଗର ସ୍ୱତନ୍ତ୍ର ଜନଗଣନା ପାଇଁ ପୂର୍ବରୁ ଦାବି ହୋଇ ଆସୁଛି। ସେମାନଙ୍କ ଗଣନା ସହ ସଂରକ୍ଷଣ ଆଦି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଏବେ କିନ୍ତୁ ଓବିସି ବର୍ଗର ଗଣନା ନେଇ ନିଷ୍ପତ୍ତି ହେବା ପରେ ରାଜନୀତି ସରଗରମ।

ରାଜ୍ୟ ସରକାର ଚିହ୍ନଟ କରିଥିବା ପଛୁଆ ବର୍ଗର ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ନେଇ ସର୍ଭେ କରାଯିବ। ଏଥିପାଇଁ ସେଲିବ୍ରିଟି ମାନଙ୍କ ଦ୍ୱାରା ସଚେତନତା ସୃଷ୍ଟିକାରୀ ଭିଡିଓ ଆଦି ପ୍ରସ୍ତୁତ କରାଯାଇଛି। ସର୍ଭେରେ ପଛୁଆ ବର୍ଗର ଲୋକେ ନିଜର ଆବଶ୍ୟକୀୟ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବେ । ଏହି ସର୍ଭେ ଆସନ୍ତା ମେ ମାସ ୧ ତାରିଖରୁ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

ପରିବାରର ସମସ୍ତ ସଦସ୍ୟଙ୍କ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରାଯିବ। ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାସପୋର୍ଟ କିମ୍ବା ଯେ କୌଣସି ପରିଚୟପତ୍ର ସର୍ଭେ ସେଣ୍ଟରରେ ଦେବାକୁ ପଡିବ। ଅନଲାଇନରେ ମଧ୍ୟ ଫର୍ମ ପୂରଣ କରାଯାଇପାରିବ ବୋଲି କୁହାଯାଇଛି। ସେପଟେ ପଛୁଆ ବର୍ଗ ପ୍ରତି ସବୁବେଳେ ଅବହେଳାର କଥା ଆସେ।

ପଛୁଆ ବର୍ଗକୁ ସଂରକ୍ଷଣ ପ୍ରସଂଗଠୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ନେଇ ବିରୋଧୀ ଶାସକ ଲଢେଇ ହୁଏ। ଏପରିକି ଓବିସି ଗଣନା ନେଇ ମଧ୍ୟ ଦାବି ହୋଇ ଆସୁଥିଲା। ଏହାଦ୍ୱାରା ପଛୁଆ ବର୍ଗ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ସଠିକ ଢଙ୍ଗରେ ସଂରକ୍ଷଣ ପାଇପାରିବେ। ତେଣୁ ତୁରନ୍ତ ଠିକ ଭାବେ ଏହି ଗଣନା କରିବାକୁ ଦାବି ହୋଇଛି।

ଅନ୍ୟପକ୍ଷରେ ଆଗକୁ ନିର୍ବାଚନ ଥିବାରୁ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ପଛୁଆ ବର୍ଗଙ୍କ ଭୋଟକୁ ଆଖି ଆଗରେ ରଖି ଏଭଳି କରାଯାଉଥିବା ଅଭିଯୋଗ ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଥିବା ବେଳେ ଏଥିରେ ବିଭିନ୍ନ ଫ୍ୟାକ୍ଟର କାମ କରିବ। ତେଣୁ ପଛୁଆ ବର୍ଗ ରାଜ୍ୟର ସବୁଠୁ ବଡ଼ ବର୍ଗ ହୋଇଥିବାରୁ ସେମାନଙ୍କୁ ଏହି ଗଣନା କେତେଦୂର ଆକର୍ଷିତ କରିବ ଓ ଏହାର ପ୍ରଭାବ ଆଗାମୀ ନିର୍ବାଚନ ଉପରେ କଣ ପଡିବ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.