Latest Odisha News

BREAKING NEWS

କାହାର ହେବେ ନବୀନ ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶବ୍ୟାପୀ ବିରୋଧୀଙ୍କ ନଜର ଏବେ ନବୀନଙ୍କ ଉପରେ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ଏଭଳି ସ୍ଥିତିରେ ୫ ପାଳି ନିରଙ୍କୁସ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନଙ୍କୁ କିଏ ନିଜ ପକ୍ଷକୁ ନେଇପାରିବ ତାକୁ ନେଇ ପରୋକ୍ଷରେ ଏକ ଲଢେଇ ଆରମ୍ଭ ହୋଇଛି।

ଏହି କ୍ରମରେ ଆସନ୍ତା ୨୩ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମମତା ଓଡିଶା ଗସ୍ତରେ ଆସି ନବୀନଙ୍କୁ ଭେଟିବା ଖବର ଆସିବା ପରେ ରାଜ୍ୟ ଓ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ୨୦୨୪ ନିର୍ବାଚନ ପାଇଁ ଉଭୟ ମମତା ଓ ନବୀନ ବିରୋଧୀଙ୍କୁ ଏକାଠି କରିବା ସମ୍ପର୍କରେ ଚର୍ଚ୍ଚା କରିବେ ବୋଲି କୁହାଯାଉଛି।

ନବୀନଙ୍କୁ ଭେଟିବା ପୂର୍ବରୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ମମତାଙ୍କୁ ଭେଟିଛନ୍ତି। ପଶ୍ଚିମବଙ୍ଗରେ ନିଜ ଦଳୀୟ କର୍ମୀଙ୍କୁ ଭେଟିବା ସହ ସେ ମମତାଙ୍କୁ ଭେଟିଛନ୍ତି। ମମତାଙ୍କୁ ଭେଟିବା ପରେ ଅଖିଳେଶ ସମଦୂରତା କଥା କହିବା ସହ ସମ୍ବିଧାନର ସୁରକ୍ଷା ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

କଂଗ୍ରେସ ବିଜେପିଠୁ ସମଦୂରତା ଅବଲମ୍ବନ କରିବା ସହ ଆଗାମୀ ନିର୍ବାଚନରେ ସେ ମମତାଙ୍କୁ ସହ ଅଛନ୍ତି ବୋଲି କହିଛନ୍ତି। ଗୋଟିଏ ପଟେ ମୁଖ୍ୟ ବିରୋଧୀ ଭାବେ କଂଗ୍ରେସ ବିଭିନ୍ନ ଦଳକୁ ଏକାଠି କରୁଥିବାବେଳେ ସେପଟେ ବହୁ ଆଞ୍ଚଳିକ ଦଳ ମଧ୍ୟ ଅନ୍ୟ ଆଞ୍ଚଳିକ ଦଳ ସହ ମିଶି ବିଜେପିକୁ ଟକ୍କର ଦେବାକୁ ଯୋଜନା କରୁଛନ୍ତି। ଏ ସବୁ ଭିତରେ ସମସ୍ତଙ୍କ ଫୋକସରେ ରହିଛନ୍ତି ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକଙ୍କ ବିଜେଡି ଓଡିଶାକୁ ଫୋକସ କରିବା ସହ ଜାତୀୟ ରାଜନୀତିରେ ବିଶେଷ ମୁଣ୍ଡ ଖେଳାଇବା ଦେଖାଯାଏନି। ଏପରିକି କେନ୍ଦ୍ରରେ କଂଗ୍ରେସ ହେଉ କି ବିଜେପି ସରକାର ବିଜେଡି ସମଦୂରତା ଅବଲମ୍ବନ କରେ। ୨୦୧୪ ରୁ କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିବା ପରେ ବିଭିନ୍ନ ଆଞ୍ଚଳିକ ଦଳ ଉପରେ ଆକ୍ରୋଶମୂଳକ ଭାବେ ଇଡି ସିବିଆଇ ଓ ଆଇଟି ଆଦିକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏପରିକି ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି।

ତେଣୁ ମିଳିତ ଭାବେ ବିଜେପିକୁ କ୍ଷମତାରୁ ବାହାର କରିବାକୁ ବିରୋଧୀ ଦଳ ଗୁଡିକ ଆହ୍ୱାନ ଦେଉଛନ୍ତି। କିନ୍ତୁ ସବୁ ବିରୋଧୀ ଏକାଠି ହେବା କିନ୍ତୁ ଦେଖାଯାଉନି। ଦେଶରେ ପ୍ରମୁଖ ବିରୋଧୀ କଂଗ୍ରେସ ସହ ବହୁ ପ୍ରମୁଖ ଆଞ୍ଚଳିକ ଦଳ ଗୁଡିକ ଥିବାବେଳେ ଅନ୍ୟ ପ୍ରମୁଖ ପ୍ରଭାବଶାଳୀ ଆଞ୍ଚଳିକ ଦଳ ନିଜ ନିଜ ରାସ୍ତାରେ ଚାଲୁଛନ୍ତି। କିଛି ପ୍ରମୁଖ ଆଞ୍ଚଳିକ ଦଳ ଆଗରେ ରହି ଅନ୍ୟ ବିରୋଧୀଙ୍କୁ ଏକାଠି କରିବାକୁ ଉଦ୍ୟମ ଜୋରଦାର କରିଛନ୍ତି।

ଯେଉଁ କିଛି ପ୍ରମୁଖ ଆଞ୍ଚଳିକ ଦଳ ନେତୃତ୍ୱ ନେବାକୁ ଅଣ୍ଟା ଭିଡିଛନ୍ତି ସେମାନଙ୍କ ଭିତରୁ ବିଆରଏସ ବା ଭାରତ ରାଷ୍ଟ୍ର ସମିତି ଅନ୍ୟତମ। ତେଲେଙ୍ଗାନାରେ ଶାସନରେ ଥିବା କେସିଆରଙ୍କ ନେତୃତ୍ୱାଧୀନ ବିଆରଏସ ବହୁ ରାଜ୍ୟରେ ନିଜକୁ ଶକ୍ତ କରିବା ସହ ଅନ୍ୟ ଆଞ୍ଚଳିକ ବିରୋଧୀ ଦଳ ଗୁଡିକୁ ଏକାଠି କରିବାକୁ ଲାଗି ପଡିଛନ୍ତି। ସେହିପରି ଆମ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ଶାସନକୁ ଆସିବା ପରେ ଦେଶର ଅନ୍ୟାନ୍ୟ ରାଜ୍ୟରେ କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି। ଏପରିକି ଅନ୍ୟ ଦଳ ସହ ମିଶି ବିଜେପିକୁ ସତ୍ତାରୁ ହଟାଇବାକୁ ଯୋଜନା କରୁଛନ୍ତି ଏହି ଦଳ।

ସେହିପରି ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ମୋଦୀଙ୍କ ବିରୋଧରେ ଶକ୍ତି ସାଉଁଟିବାରେ ଲାଗିଛି। ଏଭଳି ସ୍ଥିତିରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ମମତାଙ୍କୁ ଭେଟି ସମର୍ଥନ ଦେବା ଓ ସମଦୂରତା କଥା କହିବା ଚର୍ଚାର କାରଣ ହୋଇଛି। ସେପଟେ ଅଖିଳେଶଙ୍କ ସହ ଆଲୋଚନା ପରେ ମମତା ନବୀନଙ୍କୁ ଭେଟିବାକୁ ଯାଉଥିବାରୁ ଚର୍ଚ୍ଚାକୁ ଆହୁରି ତୀବ୍ର ହୋଇଛି।

ସେପଟେ ବିହାରରେ ଶାସନରେ ଥିବା ଜେଡିୟୁ ମଧ୍ୟ ମୋଦିଙ୍କୁ କଡା ଟକ୍କର ଦେବାକୁ ବିରୋଧୀ ଏକତାର କଥା କହୁଛି। ଗୋଟିଏ ପଟେ 2024 ରେ ବିଜେପିକୁ କେନ୍ଦ୍ରରେ କଡା ଟକ୍କର ଦେବା କଥା କହୁଥିବା ବିରୋଧୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଚେହେରା ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି। ବିରୋଧୀ ଦଳ ଗୁଡ଼ିକର ପ୍ରମୁଖ ଚେହେରା ମଧ୍ୟରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠୁ ଆରମ୍ଭ କରି ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ, ଆପର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ପ୍ରମୁଖ ରହିଛନ୍ତି।

ତୃତୀୟ ସାମ୍ମୁଖ୍ୟ କଥା ଚର୍ଚ୍ଚା ହେଉଥିଲେ ମଧ୍ୟ ଆଞ୍ଚଳିକ ଦଳ ଗୁଡିକ ନିଜ ନିଜ ରାସ୍ତାରେ ଚାଲୁଛନ୍ତି। ସମସ୍ତେ ମିଶିବା ଦେଖାଯାଉନି। ଏପରିକି ମୁଖ୍ୟ ବିରୋଧୀ କଂଗ୍ରେସର ସାଥ ଦେବାକୁ ବହୁ ଆଞ୍ଚଳିକ ଦଳ ପ୍ରସ୍ତୁତ ନୁହଁନ୍ତି। ବହୁ ଦଳ ସମଦୂରତାର କଥା କହୁଛନ୍ତି। ଏପରିକି ବିରୋଧୀଙ୍କ ମଧ୍ୟରେ ଏକତା ନ ଥିବା କାରଣ ପାଇଁ ଗତ ଗୁଜରାଟ ନିର୍ବାଚନରେ ବିଜେପି ବହୁ ସିଟ ହାତେଇଥିବା କୁହାଯାଏ। ଗୁଜରାଟରେ ବିରୋଧୀ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ବିରୋଧୀ ଭୋଟ ଭାଗ ଭାଗ ହେବାରୁ ବିଜେପି ଅଧିକ ଲାଭ ପାଇଲା ବୋଲି କୁହାଯାଉଛି।

ଏବେ ଆପ, ଟିଏମସି, ବିଆରଏସ ଆଦି ବିଭିନ୍ନ ରାଜ୍ୟରେ ନିଜକୁ ସମୃଦ୍ଧ କରୁଛନ୍ତି। ତେଣୁ ଏଭଳି ସ୍ଥିତିରେ ବିରୋଧୀ ଏକାଠି ନ ହୋଇ ନିଜ ନିଜ ଶକ୍ତି ଲଗାଇ ଲଢ଼ିଲେ ବିଜେପି ଲାଭବାନ ହେବ ବୋଲି ଆଲୋଚନା ହେଉଛି। ଦେଶର ସବୁ କୋଣରେ କଂଗ୍ରେସର ଏକ ବଡ଼ ଭୋଟ ବ୍ୟାଙ୍କ ରହିଛି। କିନ୍ତୁ କଂଗ୍ରେସ ସହ ସବୁ ବିରୋଧୀ ଏକାଠି ହେଉ ନାହାନ୍ତି।

ଏପରିକି ତୃତୀୟ ସାମ୍ମୁଖ୍ୟ ନେଇ କିଛି ସ୍ପଷ୍ଟତା ମଧ୍ୟ ନାହିଁ। ମମତା, ଅଖିଳେଶ ଏକାଠି ହେବା ସହ ଅଖିଳେଶ ସମଦୂରତାର କଥା କହିଲେଣି। ତେଣୁ ଏଭଳି ସ୍ଥିତିରେ ବିରୋଧୀ ବିଜେପିକୁ ପ୍ରତିହତ କରିବେ ନା ଆହୁରୀ ଶକ୍ତିଶାଳୀ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ନବୀନ ମମତାଙ୍କ ଭେଟଘାଟ ପରେ ନବୀନଙ୍କର ପରବର୍ତ୍ତୀ ଆଭିମୁଖ୍ୟ କଣ ରହୁଛି ତା ଉପରେ ରାଜନୈତିକ ମହଲର ନଜର ରହିଛି।

Leave A Reply

Your email address will not be published.