Latest Odisha News

BREAKING NEWS

ଲାଉଙ୍ଗିମାନଙ୍କ ସଂକଳ୍ପ ବନାମ କୁହାମୁଣ୍ଡା କପିଳା ସରକାର

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ମଣିଷର ନିଷ୍ଠା ଓ ସଂକଳ୍ପ ସାମ୍‌ନାରେ ପାହାଡ଼ର ଦର୍ପ ବି ଚୁନା ହୋଇଯାଏ, ଏକଥା ପ୍ରମାଣ କରିଥିଲେ ବିହାରର ଦାଶରଥୀ ମାନ୍‌ଝି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତାଙ୍କ ଉପରେ ଗୋଟେ ବଲିଉଡ଼୍ ଚଳଚ୍ଚିତ୍ର ବି ନିର୍ମାଣ ହୋଇଥିଲା । ଚିକିତ୍ସା ଅଭାବରୁ ନିଜ ସ୍ତ୍ରୀ’ର ଦେହାନ୍ତ ହୋଇଯିବାରୁ ତାଙ୍କ ଗାଁ ଓ ସହର ମଝିରେ ଥିବା ପାହାଡ଼କୁ ସେ ଏକାକୀ କାଟି ତିଆରି କରିଦେଇଥିଲେ ଗୋଟେ ରାସ୍ତା । ଏବେ ପୁଣି ଥରେ ସେମିତି ଏକ ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାରେ । ଗୟା ଜିଲ୍ଲାର ଲାଥୁଆ ଅଂଚଳର କୋଠିଲାୱା ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ଲାଉଙ୍ଗି ଭୂୟାଁ ୩୦ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ଦୀର୍ଘ ୩ କିଲୋମିଟରର ଏକ କେନାଲ ଖୋଳି ପାହାଡ଼ ଉପରୁ ଝରିଯାଉଥିବା ବର୍ଷା ପାଣିକୁ ନିଜ ଗାଁ ଜମିକୁ ଆଣିବାରେ ସକ୍ଷମ ହୋଇଛନ୍ତି ।

କଳା ମଚମଚ ରଙ୍ଗ ଓ କ୍ଷୀଣକାୟ ଶରୀରର ୭୦ ବର୍ଷୀୟ ବୃଦ୍ଧ ଲାଉଙ୍ଗି ଭ୍ରୂୟାଁ । କାନ୍ଧରେ ଥାଏ ଅହରହ ଏକ କୋଦାଳ । ଆଣ୍ଠୁ ଉପରକୁ ପଡ଼ୁଥିବା ଏକ ମସିଆ ଧୋତି । ବେଶି ପାଠ ପଢ଼ିନାହାନ୍ତି କି ଆଜିକାଲି ମଣିଷ ମାନଙ୍କ ପରି ସେ ଆଧୁନିକ ନୁହଁନ୍ତି । କିନ୍ତୁ ତାଙ୍କ ପାଖରେ ଥିଲା ଅସମ୍ଭବକୁ ସମ୍ଭବ କରିବାର ଦୃଢ଼ ସଂକଳ୍ପ । ଯେତେବେଳେ ସାରା ଗାଁ’ର ଲୋକମାନେ ରୋଜଗାର ପାଇଁ ସହରକୁ ଯିବାକୁ ଆରମ୍ଭ କରୁଥିଲେ, ସେ କିନ୍ତୁ ସେହି ରାସ୍ତାରେ ନଯାଇ ଅଲଗା ରାସ୍ତା ବାଛିଥିଲେ । ଏପରିକି ତାଙ୍କ ନିଜ ପୁଅ ବି ରୋଜଗାର ପାଇଁ ସହରର ରାସ୍ତା ଧରିଥିଲା । ଏଭଳି ପରିସ୍ଥିତିରେ ସେ ହାତରେ କୋଦାଳ ଧରି ବାହାରି ଯାଇଥିଲେ ପାହାଡ଼ ପାଖକୁ । କୋଠିଲାୱା ଗାଁ’ର ଅନ୍ୟମାନଙ୍କ ପରି ତାଙ୍କର ବି କୌଳିକ ବୃତି ଥିଲା ଚାଷ କରିବା ଓ ପଶୁପାଳନ କରିବା ।

ପ୍ରତିଦିନ ସେ ଛେଳି ଚରେଇବାକୁ ଗାଁ ପାଖ ଜଙ୍ଗଲକୁ ଯାଆନ୍ତି ଓ ଛେଳିଙ୍କୁ ଚରେଇବାକୁ ଛାଡ଼ି ଦେଇ ସେ କେନାଲ ଖୋଳା କାମରେ ଲାଗିଯାଆନ୍ତି । ତାଙ୍କ ପାଖରେ ଥିଲା ତାଙ୍କର ଏକମାତ୍ର ସାଧନ ଗୋଟେ କୋଦାଳ ଓ ଗୋଟେ ମାଟି ବୁହା ଝୁଡ଼ି । ନିଜେ ମାଟି ଖୋଳନ୍ତି ଓ ଝୁଡ଼ିରେ ଭରି ବନ୍ଧରେ ପକାନ୍ତି । ଏ କାମରେ ତାଙ୍କୁ କେହି ଜଣେ ବି ସାହାଯ୍ୟ କରିନାହାନ୍ତି । ସାହାଯ୍ୟ କରିବା ତ ଦୂରର କଥା, ଏହି କାମ କରିବା ପାଇଁ ସେ କାହା ଠାରୁ ବି ଉତ୍ସାହ ପାଇନାହାନ୍ତି । ଓଲଟି ଗାଁ’ ଲୋକମାନେ ତାଙ୍କୁ ଅନେକ ସମୟରେ ନିରୁତ୍ସାହିତ କରନ୍ତି, ଏଭଳି ଏକ ଅସମ୍ଭବ କାମରେ ସେ ହାତ ଦେଇଥିବାରୁ । ଏପରିକି ତାଙ୍କ ନିଜ ସ୍ତ୍ରୀ, ପୁଅ, ବୋହୁ ବି ତାଙ୍କୁ ପ୍ରଥମେ ପ୍ରଥମେ ବହୁତ ନିରୁତ୍ସାହିତ କରିଛନ୍ତି ଓ କେନାଲ ଖୋଳା କାମ ଛାଡ଼ି ଦେବା ପାଇଁ ତାଙ୍କୁ ବୁଝାଇଛନ୍ତି । କିନ୍ତୁ ଲାଉଙ୍ଗି ଯେମିତି ପଣ କରିଥିଲେ, କେହି ସାହାଯ୍ୟ କରନ୍ତୁ କି ନକରନ୍ତୁ, ସେ କେନାଲ ଖୋଳିବେ ଓ ତାଙ୍କ ଗାଁ’କୁ ପାଣି କଢ଼େଇ ଆଣିବେ । ଶେଷରେ ଆଜି ସେ ଏହି କାମରେ ସେ ସଫଳ ହୋଇଛନ୍ତି । ପାହାଡ଼ ପାଖରୁ ନିଜ ଗାଁ’ର ଜମି ପର୍ଯ୍ୟନ୍ତି ଦୀର୍ଘ ୩ କିଲୋମିଟରର କେନାଲ ସେ ଏକାଖୋଳି ସାରା ଅଂଚଳରେ ଚହଳ ପକେଇ ଦେଇଛନ୍ତି । ଏହି କାମ କରିବା ପାଇଁ ତାଙ୍କୁ ଦୀର୍ଘ ୩୦ ବର୍ଷ ସମୟ ଲାଗିଛି ।

ତାଙ୍କୁ ଯେତେବେଳେ ୪୦ ବର୍ଷ ହୋଇଥିଲା ସେ ଏକୁଟିଆ ସେହି କେନାଲ ଖୋଳା କାମ ଆରମ୍ଭ କରିଥିଲେ । ଆଜି ସେ ୭୦ ବର୍ଷ ବୟସରେ ପହଂଚିଥିବା ବେଳେ କେନାଲରେ ପାଣି ଆସି ତାଙ୍କ ଗାଁ’ରେ ପହଂଚୁଛି । ସେ ତିଆରି କରିଥିବା କେନାଲ ଯୋଗୁ ଏବେ ସେ ଏକା ଲାଭ ପାଉନାହାନ୍ତି କି କେବଳ ତାଙ୍କ ଜମିକୁ ପାଣି ମାଡ଼ୁନି । ଗାଁ’ର ସବୁ ପରିବାର ପାଣି ପାଉଛନ୍ତି । ପ୍ରାୟ ୩ ହଜାର ଲୋକ ତାଙ୍କର ଏହି କେନାଲ ଯୋଗୁ ଉପକୃତ ହେଉଛନ୍ତି । ସେ ପ୍ରଥମେ ଦେଖିଥିଲେ ପ୍ରତିବର୍ଷ ବର୍ଷା ଦିନେ ପାହାଡ଼ ଉପରୁ ପାଣି ସବୁ ଇଆଡ଼େ ସିଆଡ଼େ ନଷ୍ଟ ହୋଇଯାଉଛି । କିନ୍ତୁ ଗାଁ’ ଜମିଗୁଡ଼ିକୁ ପାଣି ନପାଇ ଶୁଖିଲା ରହୁଛି । ତେଣୁ ସେ ଭାବିଲେ, ଯଦି ପାହାଡ଼ର ପାଣିକୁ କେନାଲ କରି ଜମି ପର୍ଯ୍ୟନ୍ତ ଅଣାଯାଇପାରନ୍ତା ତେବେ ଜମିରେ ଭଲ ଚାଷ ହୁଅନ୍ତା । ସେ କେବଳ ଭାବିଲେ ନାହିଁ, ତାକୁ କାମରେ ଲଗେଇଲେ ଓ ଲୋକମାନଙ୍କ ହଜାରେ ନିରୁତ୍ସାହ ପରେ ବି ସଂକଳ୍ପର ସହିତ ନିଜ କାମରେ ଲାଗିରହିଲେ ଓ ଆଜି ତାର ପରିଣାମ ହୋଇଛି, ୩ କିଲୋମିଟରର ଦୀର୍ଘ ଏକ କେନାଲ ।

ପ୍ରଥମେ ସେ ଯେତେବେଳେ ଘାସ ଲଟା ମାଡ଼ିଥିବା ଶୁଖିଲା ମାଟି ଖୋଳିବା ଆରମ୍ଭ କରିଥିବେ, ଅନ୍ୟମାନେ ତାଙ୍କୁ କ’ଣ କହିଥିବେ! ମନ ଭିତରେ କେତେ ଦୃଢ଼ ବିଶ୍ୱାସ ଥିଲେ, ଜଣେ ଏପରି ନିଷ୍ଠାର ସହିତ କାମ କରିପାରେ ଓ ଏକଦମ୍ ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରିପାରେ! ଟିଭି କ୍ୟାମେରା ସାମ୍‌ନାରେ ନିଜ କଥା କହିବା ବେଳେ ଦାନ୍ତ ପଡ଼ିଯାଇଥିବା ପାକୁଆ ପାଟିରେ ଲାଜ ଲାଜ ହୋଇ ଲାଉଙ୍ଗି କୁହନ୍ତି ଯେ, ୩୦ ବର୍ଷ ହେଲା ମୁଁ ଖୋଳୁଛି । ପ୍ରଥମେ ପ୍ରଥମେ ଖୋଳିବା ବେଳେ ବହୁତ ଲୋକ ଉପହାସ କରୁଥିଲେ, କିନ୍ତୁ ମୁଁ କାହା କଥା ଶୁଣିଲି ନାହିଁ । ମୋ ମନରେ ଗୋଟିଏ ନିଶା ଥିଲା ମୁଁ ପାହାଡ଼ର ପାଣିକୁ ଜମିକୁ ଆଣିବି । ସେ ଆହୁରି କୁହନ୍ତି ଯେ, ଆମେ ଚାଷ କରି ବଂଚିବା ଲୋକ । ଦିନେ ଛେଳି ଚରେଇବା ବେଳେ ଭାବିଲି, ଯଦି ଏହି ପାହାଡ଼ର ପାଣି ଆମ ଜମିକୁ ଆସିବା ତେବେ ଆମେ ସହରରେ ମୂଲ ନଲାଗି ନିଜ ଜମିରେ ନିଜେ ଚାଷ କରିବୁ । ଲାଉଙ୍ଗିଙ୍କର ୩୦ ବର୍ଷର ସେହି ଶ୍ରମ ଆଜି ସଫଳ ହୋଇଛି । ସେ ଖୋଳିଥିବା କେନାଲରେ ପାଣି ଗାଁ’କୁ ଆସୁଛି । ଲାଉଙ୍ଗି ଆଜି ସେହି କୋଠିଲାୱା ଗାଁ’ର ଜଣେ ସାଧାରଣ ମଣିଷ ହୋଇନାହାନ୍ତି, ସେ ସାରା ଦେଶ ପାଇଁ ଗୋଟିଏ ଜୀବନ୍ତ ଉଦାହରଣ ପାଲଟି ଯାଇଛନ୍ତି । ଏହା ଅବଶ୍ୟ ଭିନ୍ନ କଥା ଯେ, ବର୍ତମାନର ଚାଟୁକାରୀ ଗଣମାଧ୍ୟମଙ୍କ ପାଖରେ ସରକାର ବାହାଦୁରଙ୍କୁ ଖୁସି କରିବାରୁ ଫୁର୍‌ସତ୍ ମିଳୁନଥିବାରୁ ଲାଉଙ୍ଗିଙ୍କ କାହାଣୀ ଆଲୋଚନାକୁ ଆସିପାରିନାହିଁ । ନହେଲେ ଏମିତି ଏକ ଘଟଣା ସାରା ଦେଶର ଆଖି ଖୋଲିଦେବା ପରି ।

ସତରେ ଲାଉଙ୍ଗିଙ୍କର ନିଷ୍ଠା ବା ସଂକଳ୍ପର ଯଦି ଗୋଟିଏ ପ୍ରତିଶତ ବି ଆମ ସରକାରଙ୍କ ପାଖରେ ଥାଆନ୍ତା, ତେବେ ଆଜି ଜଳସେଚନ ଅଭାବରେ ଆମ ଦେଶର ଲକ୍ଷ ଲକ୍ଷ ଏକର ଚାଷ ଜମି ମରୁଡ଼ିର ଶିକାର ହୁଅନ୍ତା ନାହିଁ । ଏହି ପ୍ରବନ୍ଧର ଉଦ୍ଦେଶ୍ୟ କେବଳ ନୁହେଁ, ଲାଉଙ୍ଗିଙ୍କର ନିଷ୍ଠା ଓ ସଂକଳ୍ପକୁ ମହିମା ମଣ୍ଡିତ କରିବା । ଲାଉଙ୍ଗି ତ ପ୍ରଶଂସାର ଯୋଗ୍ୟ । କିନ୍ତୁ ଏହି ଲାଉଙ୍ଗି ମାନଙ୍କ ପାଇଁ ଓ ତାଙ୍କ ଚାଷ ଜମି ପାଇଁ ସରକାରଙ୍କର କର୍ତବ୍ୟ କ’ଣ କିଛି ନାହିଁ! ସରକାର ଯେତେବେଳେ ୫ ବର୍ଷରେ ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିବା କଥା କହୁଛନ୍ତି, ସେତେବେଳେ ଆମ ଦେଶର ଜଳସେଚନର ଅବସ୍ଥାକୁ ଆଖି ପକେଇଲେ ସରକାରଙ୍କ ଚାଷୀଙ୍କ ପ୍ରତି ଅସଲ ଦରଦ ବୁଝିହେବ ।

ସରକାରଙ୍କ ତଥ୍ୟ ଅନୁସାରେ ଆମ ଦେଶରେ ଆଜି ପର୍ଯ୍ୟନ୍ତ ମାତ୍ର ୪୮.୮% ଜମିକୁ ଜଳସେଚନ ସୁବିଧା ହୋଇଅଛି । ଏବେ ବି ଅଧାରୁ ଅଧିକ ଜମି ଅଣଜଳସେଚିତ । ସେଠାକୁ ଆଜି ପର୍ଯ୍ୟନ୍ତ ପାଣି ପହଂଚେଇବାରେ ସରକାର ସଫଳ ହୋଇନାହାନ୍ତି । ଅସଲରେ ସରକାର ପ୍ରଦାନ କରୁଥିବା ଜଳସେଚିତ ଜମିର ତଥ୍ୟ ଠାରୁ ପ୍ରକୃତ ଜଳସେଚିତ ଜମିର ପରିମାଣ ଆହୁରି କମ୍ । ସିଧା କଥାରେ କହିଲେ ସରକାର କେବଳ ଚାଷ ଓ ଚାଷୀର ବିକାଶର ମିଛ ଭାଷଣ ମାରୁଛନ୍ତି । ନିର୍ବାଚନ ପ୍ରତିଶ୍ରୁତିରେ ପ୍ରତି ଥର ରାଜନୈତିକ ଦଳମାନେ ଜଳସେଚନର କଥା କହୁଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସରକାର ଜଳସେଚନ ହୋଇଥିବାର ମିଛ ପରିସଂଖ୍ୟାନ ଦେଉଛନ୍ତି । ଗଣମାଧ୍ୟମରେ ବିବୃତି ଦେଉଛନ୍ତି । କିନ୍ତୁ ଅସଲରେ ଅଧିକାଂଶ ଚାଷ ଜମି ଏବେ ବି ବର୍ଷା ଜଳ ଉପରେ ନିର୍ଭରଶୀଳ । ଚାଷୀମାନଙ୍କ ଭାଗ୍ୟ ଏବେ ବି ବର୍ଷା ଉପରେ ନିର୍ଭରଶୀଳ । ସରକାର କେବଳ ମିଛ ଭାଷଣ ମାରି କୁହାମୁଣ୍ଡା କପିଳା ସାଜିଥିବା ବେଳେ, ପାଣି ନ ପାଇଁ ଚାଷ ଜମି ସବୁ ମରୁଡ଼ିର ଶିକାର ହେଉଛି । ପରିଣାମ ସ୍ୱରୁପ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି । କୃଷି ପ୍ରଧାନ ଦେଶ ଭାରତରେ ଯଦି ଏବେ ବି ସ୍ୱାଧୀନତାର ୭୨ ବର୍ଷ ପରେ ବି ଚାଷୀଙ୍କ ଜମିକୁ ପାଣି ପହଂଚି ପାରିନାହିଁ ବା ଲାଉଙ୍ଗିଙ୍କ ପରି ୭୦ ବର୍ଷୀୟ ବୃଦ୍ଧଙ୍କୁ ୩୦ ବର୍ଷ କାଳ ସମୟ ନେଇ ୩ କିଲୋମିଟର ଲମ୍ବର କେନାଲକୁ ନିଜ ହାତରେ କୋଡ଼ି କୋଦାଳ ଧରି ଖୋଳିବାକୁ ପଡ଼ୁଛି, ତାହେଲେ ଏ ସରକାର ଓ ତାଙ୍କ ମିଛି ଭାଷଣର ମୂଲ୍ୟ କ’ଣ! ଜଣେ ବୁଢ଼ା ଲୋକ ତିରିଶ ବର୍ଷ କାଳ ଯଦି ଗୋଟେ କେନାଲ ଖୋଳିଲେ, ସେତେବେଳେ ସେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର, ତାଙ୍କର କୁଢ଼ କୁଢ଼ ମନ୍ତ୍ରୀ ଓ ଅମଲା କରୁଥିଲେ କ’ଣ? ତେଣୁ ଆଜି କେବଳ ଲାଉଙ୍ଗିଙ୍କର ସଫଳତାରେ ଖୁସି ହେବାର ସମୟ ଏ ନୁହେଁ, ଲାଉଙ୍ଗି ମାନଙ୍କୁ ବୁଢ଼ା ବୟସରେ ବି ଏପରି କଠିନ କାମ କରିବାକୁ ମଜବୁର୍ କରୁଥିବା ସରକାରଙ୍କୁ ପ୍ରଶ୍ନ କରିବାର ବି ସମୟ ଆସିଛି । ସରକାର କେବଳ କୁହାମୁଣ୍ଡା କପିଳା ହେବେ ନା ଲାଉଙ୍ଗିଙ୍କ ପରି ନିଷ୍ଠା ଓ ସଂକଳ୍ପର ପରିଚୟ ଦେଇ ଚାଷୀ ଓ ଚାଷୀ ପାଇଁ ଅସଲରେ କିଛି କରିବେ । ଲାଉଙ୍ଗି ଆଜି ତାଙ୍କ କାମରେ ସରକାରଙ୍କ ମସୃଣ ଗାଲରେ ଏକ ଶକ୍ତ ଚଟକଣା ଦେଇଛନ୍ତି ଓ କହିଛନ୍ତି, ହେ ସରକାର ବାହାଦୁର, ଏଥର ଟିକେ ଚେତ, ଜାଗ, ଚନ୍ଦ୍ରକୁ ତ ଜାନ ପଠେଇବ, ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିବ, ସବୁ ଠିକ୍ ଅଛି । କିନ୍ତୁ ଆମ ଜମିକୁ ବି ଟିକେ ପାଣି ପହଂଚାଅ । କେବଳ ପ୍ରତିଶ୍ରୁତି କି ମିଛ ଭାଷଣରେ ନୁହେଁ, ସତରେ ଆମ ଜମିକୁ ଜଳସେଚନ କରାଅ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

e-mail-bichitrabiswal@gmail.com

Leave A Reply

Your email address will not be published.