Latest Odisha News

BREAKING NEWS

ଦିଶା ବୈଠକରେ ୫ଟିକୁ ବିରୋଧ: ଅଧାରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ

ନବରଙ୍ଗପୁର: ଦିଶା ବୈଠକରେ ଶାସକ ଓ ବିରୋଧି ତୁ ତୁ ମେଁ ମେଁ । ବୈଠକ ମଝିରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଗତକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ସ୍ଥାନୀୟ ମିଶନ ଶକ୍ତି ବୈଠକ ହଲରେ ଅନୁଷ୍ଠିତ ହୋଇଥିବା ଦିଶା ବୈଠକରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ।

ବୈଠକ ପ୍ରାରମ୍ଭରୁ ସାଂସଦ ରମେଶ ମାଝି, ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଦି ମିଶି ସମସ୍ତ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଥିଲେ । ଏହି ବୈଠକରେ ସାଂସଦ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରୁଥିଲେ । ସମୀକ୍ଷା ବେଳେ ଡାକ୍ତର ନିଯୁକ୍ତି ତଥା ଭିତ୍ତିଭୂମି ଓ ବିଭିନ୍ନ ସମସ୍ୟାର ସମାଧାନ କାହିଁକି ହୋଇ ପାରୁନି ବୋଲି ସିଡିଏମଓଙ୍କୁ ପ୍ରଶ୍ନ କରିଥିଲେ ସାଂସଦ ରମେଶ ମାଝି ।

ସୁଚନା ଥାଉ କି, ଗତ ୧୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ନବରଙ୍ଗପୁର ଗସ୍ତରେ ଆସିଥିବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟରେ ଲାଗିଥିବା 5T ସୂଚନା ବୋର୍ଡକୁ ହଟାଇଥିଲେ । ଗତକାଲି ବୈଠକରେ ଡ଼ାକ୍ତରଖାନାରୁ କାହିଁକି ନାମ ଫଳକ ଉଠାଗଲା ବୋଲି ପ୍ରଶ୍ନ କରିଥିଲେ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରି । ଏହାର ଜବାବ ଦେବାକୁ ଯାଇ ଉମରକୋଟ ବିଧାୟକ ଓ ସାଂସଦ ରମେଶ ମାଝି, ମନୋହର ରନ୍ଧରୀ, ପ୍ରମୋଦ ପାଢ଼ୀଙ୍କ ସହ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ବୈଠକ ସ୍ଥାନରେ ଗରମା ଗରମ ପରିସ୍ଥିତି ସୃଷ୍ଟି  ହୋଇଥିଲା । ପରେ 5T ଦୁର୍ନୀତିର ଗନ୍ତାଘର, ଜିଲ୍ଲାରେ ଦୁର୍ନୀତି ଯୋଗୁଁ ବିକାଶ ହୋଇ ପାରୁ ନାହିଁ ଓ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ସରକାରଙ୍କ ଛତ୍ର ଛାୟା ରେ ରହି ପାର୍ଟି ପାଇଁ ଚାନ୍ଦା ଆଦାୟ କରୁଥିବା କହି ବୈଠକ ବର୍ଜନ କରି ଅଧାରୁ ଉଠି ଚାଲି ଯାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

Leave A Reply

Your email address will not be published.