ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ୨୦ଟି ଜେଲରେ ଲାଗିଛି କୃତ୍ରିମ ବୁଦ୍ଧିମତ୍ତା (AI) କ୍ୟାମେରା । ଆଗକୁ ସମସ୍ତ ଜେଲରେ ଲାଗିବ AI କ୍ୟାମେରା । ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା। ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ଜେଲ ଡିଜି ସୁଶାନ୍ତ ନାଥ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ ଭିତରେ ମଧ୍ୟ ଗଣ୍ଡଗୋଳ ରୋକିବାକୁ ଲାଗିବ AI କ୍ୟାମେରା । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହେଲେ ମିଳିବ ଆଲର୍ଟ । ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ ।
ଆଜି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଗତ ଏକ ବର୍ଷ ମଧ୍ୟରେ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜେଲର ପାଚେରୀର ଉଚ୍ଚତା ବୃଦ୍ଧି ସହ ତାର ଲଗାଇବା ଏବଂ ନିୟମିତ ସୁରକ୍ଷା ଯାଞ୍ଚ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। କଏଦୀଙ୍କ ପୁନର୍ବାସ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ରାଜ୍ୟର ୭୪ଟି ଜେଲରେ ୧୧୮ ଜଣ ଯୋଗ ପ୍ରଶିକ୍ଷକ ଏବଂ ୩୬ଟି ଜେଲରେ ୬୧ ଜଣ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇଛି ।
ଏହାସହ ୯୬ଟି କ୍ଷୁଦ୍ର ଶିଳ୍ପ ସ୍ଥାପନ କରାଯାଇଥିବାବେଳେ ୨୦୨୫ ମସିହାରେ ୧,୬୩୬ ଜଣ କଏଦୀଙ୍କୁ ବୃତ୍ତିଗତ ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଇଛି । ଜାମୁଝରି ମୁକ୍ତାକାଶ କାରାଗାରରେ ଔଷଧୀୟ ବୃକ୍ଷରୋପଣ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ କାରାଗାରରେ ପ୍ରସ୍ତୁତ ସାମଗ୍ରୀର ବ୍ରାଣ୍ଡିଂ ଓ ମାନକୀକରଣ ଉପରେ ମଧ୍ୟ ପଦକ୍ଷେପ ନିଆଯାଇଛି । ସେହିପରି ଉଚ୍ଚ ନ୍ୟାୟାଳୟରେ ୨,୪୧୮ଟି ଓ ସର୍ବୋଚ୍ଚ ନ୍ୟାୟାଳୟରେ ୨୫୬ଟି ଆବେଦନ ଦାଖଲ କରାଯାଇଛି ।