ବିଶ୍ୱରଞ୍ଜନ ମହାପାତ୍ର
ଆମେ ଶୋଇଥିବା , ଅନ୍ୟମାନେ ଲୁଟି ଚାଲିଥିବେ । ବାସ୍ତବରେ ଆମ ଓଡ଼ିଆମାନଙ୍କ ଚରିତ୍ର ଖୁବ ଚମତ୍କାର । ରସଗୋଲା ଯାଇଥିଲା, ଖଜା ବି ଯାଇଥିଲା । ଆଉ କ’ଣ କ’ଣ ବି ଯାଇଥିବ, ଆମକୁ ଜଣାନାହିଁ । ଏବେ ପାଳି ପଡ଼ିଛି ପଖାଳର । ପଖାଳ ଏବେ ଲୋକପ୍ରିୟ ହେବାରେ ଲାଗିଛି । ପୁଣି କୁହାଯାଉଛି ଏଥିରେ ରହିଛି ଚମତ୍କାରୀ ରୋଗ ପ୍ରତିରୋଧକ ଶକ୍ତି । ସେଥିପାଇଁ ଏବେ ଏହାକୁ ହଡ଼ପ କରି ତା ଉପରେ ନିଜ ରାଜ୍ୟର ମୋହର ମାରିବାକୁ ଆରମ୍ଭ ହୋଇଛି ପଡ଼ୋଶୀଙ୍କ ଷଡ଼ଯନ୍ତ୍ର । ଏତିକିରେ ତ ଶେଷ ନୁହେଁ, ଆଗକୁ ଆହୁରି କେତେ କେତେ ଲୁଟ୍ ହେବ । ଆମ ଖାଦ୍ୟ, ଆମ ସଂସ୍କୃତି, ଆମ ଭୂ-ସମ୍ପଦ ଉପରେ ଅନ୍ୟମାନେ ହକ୍ ଜମାଉଥିବେ, ପରିଚୟ ହାତେଇ ନେଉଥିବେ । ଆମେ ଖାଲି ଭକୁଆ ଭଳି ଅନେଇଥିବା ।
ଦିନ ଥିଲା, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓଡ଼ିଶାକୁ ଖଣ୍ଡବିଖଣ୍ଡିତ କରି ଏଣେତେଣେ ବାଣ୍ଟି ଦେଇଥିଲେ । ଓଡ଼ିଆ ଭାଷାକୁ ବଙ୍ଗଳା ଭାଷାର ଉପଭାଷା ବୋଲି କହୁଥିଲେ । ସୌଭାଗ୍ୟର କଥା, ମଧୁବାବୁଙ୍କ ଭଳି କେତେକ ସ୍ୱାଭିମାନୀ ମହାମନିଷୀ ଓଡ଼ିଶାକୁ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢ଼ିତୋଳିଲେ । ସେ ସମୟର ପ୍ରତିକୂଳ ପରିସ୍ଥିତିରେ କେଉଁଭଳି କଷ୍ଟ ସ୍ୱୀକାର କରି, କେତେ ଆପ୍ରାଣ ଉଦ୍ୟମ କରି ଏହି ଅସମ୍ଭବ କାର୍ଯ୍ୟଟି ସମ୍ଭବ ହୋଇପାରିଥିଲା, ସେକଥା ଆଜି ଚିନ୍ତା କଲେ ବିସ୍ମିତ ହେବାକୁ ପଡ଼େ । ଅଥଚ ଆଜି ଆମେ ସମସ୍ତ ଅନୁକୂଳ ସୁବିଧା ସୁଯୋଗ ସତ୍ତ୍ୱେ ନିଜର ଅସ୍ମିତା, ନିଜର ନିଚ୍ଛକ ବିଭବକୁ ସୁରକ୍ଷିତ କରି ରଖିବାରେ ଅସମର୍ଥ ହେଉଛୁ । ଏହାଠୁ ବଳି ବିଡ଼ମ୍ବନା ଆଉ କଣ ହୋଇପାରେ!
ପଖାଳ ଖାଣ୍ଟି ଓଡ଼ିଆ ଖାଦ୍ୟ । ଏଭଳି କୌଣସି ଓଡ଼ିଆ ନଥିବ, ଯିଏ ପଖାଳର ଆନନ୍ଦ ନେଇନଥିବ । ଶ୍ରୀମନ୍ଦିରରେ ବି ଶ୍ରୀଜିଉମାନଙ୍କୁ ପଖାଳ ଭୋଗ ଲାଗି କରାଯାଏ । ଏଇଠୁ ହିଁ ପଖାଳ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଛି । ଅଥଚ ଏହା ଓଡ଼ିଶାର ମୌଳିକ ନୁହେଁ, ଅନ୍ୟ ରାଜ୍ୟରେ ବି କୁଆଡ଼େ ପଖାଳ ରହିଛି ବୋଲି ପ୍ରମାଣ ଦର୍ଶାଯାଉଛି । କୋଉଠି କୁହାଯାଉଛି ପାନ୍ତା ଭାତ୍, କେଉଁଠି କୁହାଯାଉଛି ପୋଇତା ଭାତ୍ । କିନ୍ତୁ ଓଡ଼ିଆମାନେ ଏକଥାକୁ ନେଇ ସେତେଟା ପ୍ରତିକ୍ରିୟାଶୀଳ ହେବାର କାହିଁ ଲକ୍ଷ୍ୟ କରାଯାଉନାହିଁ । ଆମେ ଖାଲି ଏଠି ପଖାଳ ଆମର ବୋଲି କହି, ବିଶ୍ୱ ପଖାଳ ଦିବସ ପାଳନ କରି ଖୁସ୍ । ତେଣେ ଦେଖିବା ବେଳକୁ ଦିନେ ଆଉ କୋଉ ରାଜ୍ୟ ପଖାଳର ଜିଆଇ ଟ୍ୟାଗ୍ ନେଇ ପାର୍ ହୋଇଯାଇଥିବ । ସେତେବେଳକୁ କାନ୍ଦିଲେ କିଛି ଲାଭ ହେବ କି?
ଅତୀତରେ ରସଗୋଲା କ୍ଷେତ୍ରରେ ବି ସେଇ କଥା ଦେଖିବାକୁ ମିଳିଥିଲା । ଆମେ ଏଠି ବର୍ଷ ବର୍ଷ ଧରି ଜଗନ୍ନାଥଙ୍କୁ ରସଗୋଲା ଭୋଗ କରି ନିଶ୍ଚିନ୍ତ ହୋଇ ବସିଥିବା ବେଳେ ବଙ୍ଗଳାରେ ରସଗୋଲାକୁ ଆକର୍ଷଣୀୟ ଭାବେ ବିଜ୍ଞାପିତ କରି, ଦେଶ ବିଦେଶରେ ଲୋକପ୍ରିୟ କରି ଶେଷରେ ତାହାକୁ ତାଙ୍କର ବୋଲି ପ୍ରମାଣ କରି ଜିଆଇ ଟ୍ୟାଗ୍ ହାତେଇନେଲେ । ଏକଥା ଜଣାପଡ଼ିବା ପରେ ହିଁ ଆମର ଚେତା ପଶିଲା । କେତେ ତୁମ୍ବିତୋଫାନ, କମିଟି ଗଠନ, ପ୍ରମାଣ ଏକତ୍ରିକରଣ ଇତ୍ୟାଦି ନାଟକ ପାଇଁ ବର୍ଷାଧିକ ସମୟ ଲାଗିଗଲା । ଶେଷରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କଲାବେଳକୁ ଲାଭ ହେଲା ଏଇଆ ଯେ ବଙ୍ଗଳା ରସଗୋଲାର ଜିଆଇ ମାନ୍ୟତା କାଏମ୍ ରହିଲା, ଓଡ଼ିଶାକୁ ମିଳିଲା ଓଡ଼ିଶା ରସଗୋଲାର ମାନ୍ୟତା । ସେତିକିରେ ଆମ ଖୁସି କେତେ ଯେ କହିଲେ ନ ସରେ! ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳି, ରସଗୋଲା ଖାଇ ଆମେ ସନ୍ତୁଷ୍ଟ ।
ତାପରେ ପାଳି ପଡ଼ିଲା ଖଜାର । ଶ୍ରୀଜଗନ୍ନାଥଙ୍କୁ ଶହଶହ ବର୍ଷ ଧରି ଭୋଗ ଭାବେ ସମର୍ପିତ, ଦେଶବିଦେଶରେ ପ୍ରସିଦ୍ଧ ଖଜା ପୁରୀର ମୌଳିକ ମିଷ୍ଟାନ୍ନ, ଏଥିରେ ସନ୍ଦେହ ନାହିଁ । ଅଥଚ ଜିଆଇ ଟ୍ୟାଗ୍ ମାରିନେଲା ବିହାରର ସିଲାଓ ଖଜା । ଆମେ ଚାହିଁଛୁ । ପୁଣି ଖଜା କୁଆଡ଼େ ଭାରତର ବିଭିନ୍ନ ରାଜ୍ୟରେ ରହିଛି ବୋଲି ଲେଖାମାନ ଇଣ୍ଟରନେଟରେ ଦେଖିବାକୁ ମିଳୁଛି । କେତେ ଚମତ୍କାର କଥା କହିଲେ! ଓଡ଼ିଆ ଭାବେ ଆମେ ଖୁସି ହେବା ଉଚିତ ନୁହେଁ କି ? ଅପେକ୍ଷା କରନ୍ତୁ, ଧୀରେ ଧୀରେ ଓଡ଼ିଶାର ପ୍ରାୟ ଦ୍ରବ୍ୟର ଜିଆଇ ଟ୍ୟାଗ୍ ଅନ୍ୟ ରାଜ୍ୟମାନେ ମାରି ନେଉଥିବେ, ଆମେ କିନ୍ତୁ ଏଠି ସବୁ ଆମର ବୋଲି ନିଜକୁ ପ୍ରବୋଧନା ଦେଉଥିବା ।
ଏଭଳି ହଡ଼ପର ଷଡ଼ଯନ୍ତ୍ର ତ ଏବକାର ନୁହେଁ । କେବେଠୁ ଚାଲି ଆସିଲାଣି । ଭାଷା ସାହିତ୍ୟଠୁ ଆରମ୍ଭ କରି ଖାଦ୍ୟ ସମ୍ପଦ ସବୁଠି ଏହାର ପ୍ରମାଣ ପ୍ରଚୁର । ଚର୍ଯ୍ୟା ଗୀତିକାର, ଜୟଦେବ ବଙ୍ଗଳାର ବୋଲି ରେକର୍ଡ଼ଭୁକ୍ତ । କଳିଙ୍ଗ ସାଗର ହେଇଗଲା ବଙ୍ଗୋପ ସାଗର । ରାଜ୍ୟ ସୀମାନ୍ତ ତ ଆମ ପଡ଼ୋଶୀ ରାଜ୍ୟଙ୍କ କବଜାରେ । କୋଟିଆ ଗ୍ରାମପୁଞ୍ଜରେ ରାସନ କାର୍ଡ଼ ବାଣ୍ଟୁଛି, ଭୋଟ କରୁଛି ଆନ୍ଧ୍ର । ଟିକାଲି, ମଞ୍ଜୁଷା, ଷଢ଼େଇକଳା, ଖରସୁଆଁ ଭଳି ବିଚ୍ଛିନ୍ନାଞ୍ଚଳ ତ ଫେରିବାର ନାଁ ନାହିଁ । ଖାଲି ଯାହା ଇଂରେଜ ଐତିହାସିକଙ୍କ କୃପାଦୃଷ୍ଟି ପଡ଼ିଥିଲା ବୋଲି ପୁରୀ, କୋଣାର୍କ ଭଳି ମନ୍ଦିରମାନ ବର୍ତ୍ତିଯାଇଛି, ନହେଲେ ତାକୁ ବି ଅନ୍ୟ ରାଜ୍ୟର ରାଜା ଓ ଶିଳ୍ପୀମାନେ ଆସି ଗଢ଼ିଥିଲେ ବୋଲି ରେକର୍ଡ଼ଭୁକ୍ତ ହୋଇଯାଇଥାଆନ୍ତା ।
ଏଭଳି ଲୁଣ୍ଠନର ଷଡ଼ଯନ୍ତ୍ରକୁ ପ୍ରତିହତ କରିବା ପାଇଁ ଆମ ଭିତରେ ଆବଶ୍ୟକ ସଚେତନତା ଓ ସଂଗ୍ରାମୀପଣିଆ କାହିଁକି ଦେଖିବାକୁ ମିଳୁନି ? ସମସ୍ୟା ରହିଛି ଆମ ଶିକ୍ଷିତ ଗୋଷ୍ଠୀଙ୍କ ମାନସିକତାରେ, ଆମ ସରକାରଙ୍କ ଆନ୍ତରିକତାରେ ଏବଂ ସମସ୍ତ ଓଡ଼ିଆଙ୍କ ସମ୍ମିଳିତ ଉଦ୍ୟମର ଅଭାବରେ । ଆମ ସମ୍ପଦର ଇତିହାସ ସୁସଂହତ ଏବଂ ପ୍ରମାଣ ପରିପୂର୍ଣ୍ଣ ନୁହେଁ, ବିଶେଷ କରି ଖାଦ୍ୟ ଇତିହାସ, ଏକଥା ସତ୍ୟ । ଆମେ ସେଥିରେ ପଛୁଆ ରହିଯାଇଛେ । ହେଲେ ବିଳମ୍ବରେ ହେଉ ପଛେ ଆମ ସମ୍ପଦର ପ୍ରଚାର ଓ ପ୍ରାମାଣିକତା ସାବ୍ୟସ୍ତ କରିବାର ଉଦ୍ୟମ ଯେଉଁ ପରିମାଣରେ ଏବଂ ସ୍ତରରେ ହେବା କଥା ତାହା ହେଉଛି କି? ଆମେ ଖାଲି ଯାହା ହୋହଲ୍ଲା କରୁଛୁ ଆମରି ରାଜ୍ୟ ଭିତରେ । ବାହାରକୁ ନଗଲେ ଆମକଥା କିଏ ଶୁଣିବ? ଇଂରାଜୀ ଭାଷା ପ୍ରବୀଣ ଓଡ଼ିଆମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ରାଜ୍ୟର ବିଭବକୁ ପ୍ରାମାଣିକ ଭାବେ ପ୍ରଚାର କରି ବିଭିନ୍ନ ମାଧ୍ୟମରେ ଲେଖାମାନ ଲେଖିବା ଦରକାର, ପୁସ୍ତକ ପ୍ରକାଶ କରିବା ଦରକାର । ସୋସିଆଲ ମିଡ଼ିଆରେ ଇଂରାଜୀ ଓ ହିନ୍ଦୀ ଭାଷାରେ ଓଡ଼ିଶାର ବିଭବ ସମ୍ପର୍କିତ ପ୍ରାମାଣିକ ତଥ୍ୟ ଆକର୍ଷଣୀୟ ଭାବେ ଉପସ୍ଥାପନ ହେବା ଦରକାର । ସରକାର ଓ ବିଭିନ୍ନ ସଙ୍ଗଠନମାନେ ନିୟମିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ଉତ୍ସବ, କର୍ମଶାଳା ଆଦି ଆୟୋଜନ କରିବା ଦରକାର । ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପ୍ରଦାନକାରୀ ସଂସ୍ଥାଙ୍କ ନିକଟରେ ବେଳ ଥାଉଁ ଥାଉଁ ନିଜ ରାଜ୍ୟର ମୌଳିକ ଏବଂ ବୈଶିଷ୍ଟ୍ୟସମ୍ପନ୍ନ ବିଭବଗୁଡ଼ିକର ପଞ୍ଜିକରଣ କରାଇନେବା ଦରକାର । ଯେକୌଣସି ହଡ଼ପର ସୁରାକ୍ ମିଳିବା ମାତ୍ରେ ତାହାର ତତକ୍ଷଣାତ ପ୍ରତିବାଦ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ଦରକାର । କିନ୍ତୁ ଏଭଳି ହେଉଛି କି ? ଯଦି ହେଉନାହିଁ ତେବେ କାହିଁକି? ପ୍ରତ୍ୟେକ ଓଡ଼ିଆ ଏହି ପ୍ରଶ୍ନ ନିଜକୁ ପଚାରିବା ଦରକାର ।
Comments are closed.