Latest Odisha News

BREAKING NEWS

ବୟସ ୧୦୪, ଜାଳି ଚାଲିଛନ୍ତି ଶିକ୍ଷାର ଦୀପ !

ଯାଜପୁର: ଦେହରେ ବଳ ନାହିଁ ଚାଲିବାକୁ । ଜୀବନ ବୟସରେ ଖେଳିଛନ୍ତି ଶତକୀୟ ଇନିଂସ୍ । ତଥାପି ଦେଶର ଭବିଷ୍ୟତଙ୍କୁ ଗଢି ତୋଳିବାରେ ତାଙ୍କ ନିଷ୍ଠା ସମସ୍ତଙ୍କୁ ତାଜୁବ କରିଛି । ବିନା ପାଉଣାରେ ପିଲାମାନଙ୍କୁ ପାଠ ପଢାଇ ଚାଲିଛନ୍ତି । ଦିନେ କି ବର୍ଷେ ନୁହେଁ, ଦୀର୍ଘ ୭୫ ବର୍ଷ ଧରି ନିଜ ତପସ୍ୟାକୁ ଅଟଳ ରଖିଛନ୍ତି ନନ୍ଦ ସାର୍ ।

ଯାଜପୁର ସୁକିନ୍ଦା ବାରତଣ୍ଡାର ନନ୍ଦ ପ୍ରାସ୍ତି । ଦିନବେଳେ ଛୋଟଛୋଟ ପିଲାମାନେ ସାଜନ୍ତି ତାଙ୍କ ଛାତ୍ର । ଆଉ ରାତିରେ ବୟସ୍କଙ୍କୁ ସେ ପାଠ ପଢାଇବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ । ପଢାଇବାକୁ ସେପରି କୌଣସି ବିଶେଷ ସ୍ଥାନ ନାହିଁ । ଗଛତଳେ ବସେ ତାଙ୍କ ଚାଟଶାଳି । ଗାଁ ସରପଂଚଙ୍କ ବାରମ୍ବାର କହିବା ସତ୍ତ୍ୱେ, ସେ କେବେ ବି ସରକାରୀ ପ୍ରୋତ୍ସାହନକୁ ଆଖେଇ ନାହାନ୍ତି ।

ନନ୍ଦ ପ୍ରାସ୍ତି କହନ୍ତି “ଗାଁର ଅଶିକ୍ଷିତ ଲୋକଙ୍କୁ ଦେଖି ସେ ବ୍ୟଥିତ ହୋଇଥିଲେ । ଏପରିକି ଅଧିକାଂଶ ଲୋକ ଦସ୍ତଖତ କରିବା ବି ଜାଣିନଥିଲେ । ସେମାନଙ୍କୁ ପଢାଇବାକୁ ମୁଁ ଉତ୍ସାହିତ କରିଥିଲି । ଅନେକ ଲୋକ ଏଥିରେ ରାଜି ହୋଇ ମୋ ପାଖକୁ ପଢିବାକୁ ଆସିଥିଲେ । ଏବେ ସେମାନଙ୍କ ନାତିନାତୁଣୀଙ୍କୁ ମୁଁ ପାଠ ପଢାଉଛି” ।

ଗାଁ ସରପଂଚଙ୍କ ଅନୁଯାୟୀ ବିଗତ ୭୫ ବର୍ଷ ଧରି ସେ ଶିକ୍ଷାଦାନ କରିଆସୁଛନ୍ତି । ସେ ସରକାରୀ ପ୍ରୋତ୍ସାହନକୁ ନା କହିଥିଲାବେଳେ ଗାଁ ଲୋକେ ଏକ ସ୍କୁଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଅନ୍ୟପଟେ ଖରାପ ପାଗ କିମ୍ବା କୌଣସି ସ୍ଥିତି ନନ୍ଦ ସାରଙ୍କ ଦୃଢ ସଂକଳ୍ପକୁ ଦୋହଲାଇପାରିନି । ଖରା, ବର୍ଷା ଓ ଶୀତରେ ବି ଚାଲେ ନନ୍ଦ ସାରଙ୍କ ଚାଟଶାଳି ।

Leave A Reply

Your email address will not be published.