Latest Odisha News

BREAKING NEWS

ଏହି ରାଜ୍ୟରେ ଦେଖିବାକୁ ମିଳେନାହିଁ ସାପ କି କୁକୁର,,,

ନୂଆଦିଲ୍ଲୀ: ଭାରତ ଏକ ଏପରି ଦେଶ ଯେଉଁଠି ପାଦେ ପାଦେ ରହିଛି ଅନେକ ରହସ୍ୟ । ଦେଶର ପ୍ରାୟ ସବୁ ସ୍ଥାନ ତା’ର ନିଜ ନିଜ ବୈଶିଷ୍ଟ ପାଇଁ ପରିଚିତ । କିଏ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମାନ୍ୟତା ପାଇଛି ତ କିଏ ପୌରାଣିକ କଥା ପାଇଁ । ସେହିପରି ଆମ ଦେଶରେ ଏକ ଏପରି ରାଜ୍ୟ ଅଛି ଯେଉଁଠାରେ ଦେଖାଯାଆନ୍ତି ନାହିଁ ଗୋଟେ ବି କୁକୁରା କି ସାପ । ଆଜ୍ଞା ହଁ ଏହି ରାଜ୍ୟ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ୍ ପରିଚିତ । ଏଠାରେ ୬୦୦ ରୁ ଅଧିକ ପ୍ରଜାତିର ମାଛ ମଧ୍ୟ ମିଳିଥାଏ।

ଆମେ କହୁଛୁ ଲାକ୍ଷାଦ୍ୱୀପ ବିଷୟରେ । ଭାରତର ଅନେକ ଦ୍ଵୀପ ମଧ୍ୟରୁ ଲାକ୍ଷାଦ୍ଵୀପ ଏକ । ଏଠାକାର ପ୍ରାକୃତିକ ପରିବେଶ ଆପଣ ମନକୁ କିଣିନେବ । ପ୍ରକୃତିର ଏହି ସୁନ୍ଦର ସ୍ଥାନରେ ପ୍ରକୃତିକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୁରରୁ ଅନେକ ପର୍ଯ୍ୟଟକ ଧାଇଁଆସନ୍ତି । କହିବାକୁ ଗଲେ ଲାକ୍ଷାଦ୍ୱୀପ ଠିକ୍ ମାଳଦ୍ୱୀପ ପରି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁ ଦେଶରେ କୁକୁର ପରି ଗୃହପାଳିତ ପଶୁ ଘରେ ଘରେ ରଖାଯାଉଛି ସେପଟେ ଏହି ସ୍ଥାନରେ ଆପଣଙ୍କୁ ଗୋଟେ ବି କୁକର ଦେଖିବାକୁ ମିଳିବନାହିଁ । ଏଠାରେ କୁକୁର ରଖିବା ସମ୍ପୁର୍ଣ୍ଣ ନିଷେଧ । ଆଜିକାଲି ପ୍ରାୟ ସମସ୍ତେ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି। କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଲାକ୍ଷାଦ୍ୱୀପରେ କୌଣସି ଠାରେ କୁକୁର ଦେଖିବାକୁ ମଧ୍ୟ ମିଳେନାହିଁ ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ, ଲାକ୍ଷାଦ୍ୱୀପ ଏକ ରାବିଜ୍ ମୁକ୍ତ ରାଜ୍ୟ। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ସାଙ୍ଗରେ କୁକୁର ନେବାକୁ ଅନୁମତି ମିଳେନାହିଁ। କେବଳ କୁକୁର ନୁହେଁ ଏଠାରେ ସାପ ମଧ୍ୟ ଦେଖିବାକୁ ମିଳେନାହିଁ । ଏହା ସର୍ପ ମୁକ୍ତ ଅଞ୍ଚଳ ମଧ୍ୟ । ଏକ ରିପୋର୍ଟ ଅନୁସାରେ, ଏହା ଭାରତର ଏକ ମାତ୍ର ରାଜ୍ୟ ଯେଉଁଠାରେ ସାପ ନାହାଁନ୍ତି । କିନ୍ତୁ ଏହାର ପଡୋଶୀ ରାଜ୍ୟ କେରଳରେ ସବୁଠାରୁ ଅଧିକ ସାପ ଦେଖିବାକୁ ମିଳେ । ତେବେ ଏଠାରେ ବିଲେଇ ଏବଂ ମୂଷା ପ୍ରଚୁର ପରିମାଣରେ ଦେଖାଯାଆନ୍ତି। ଏହା ବ୍ୟତୀତ ବହୁ ସଂଖ୍ୟାରେ ମାଛ ମିଳିଥାଏ। ଏଠାରେ ଆପଣ ବିଭିନ୍ନ ପ୍ରଜାତିର ମାଛ ଦେଖିବେ। ୬୦୦ରୁ ଅଧିକ ପ୍ରଜାତିର ମାଛ ଦେଖିବାକୁ ମିଳିବ।

ଅନେକ ଗୁଡିଏ ଛୋଟ ଛୋଟ ଦ୍ଵୀପକୁ ମିଶି ସୃଷ୍ଟି ହୋଇଛି ଲାକ୍ଷାଦ୍ଵୀପ । ଏଠାରେ ସମୁଦାୟ ଜନସଂଖ୍ୟା ପ୍ରାୟ ୬୪,୦୦୦। ଏଠାକାର ଲୋକଙ୍କ ମଧ୍ୟରୁ ୯୬% ମୁସଲମାନ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସନ୍ତି। ଏହି ଦ୍ଵୀପର ଆୟର ମୁଖ୍ୟ ଉତ୍ସ ହେଉଛି ପର୍ଯ୍ୟଟନ ଏବଂ ମତ୍ସ୍ୟଚାଷ । ଏହି ଦ୍ଵୀପଟି ତା’ର ସୌନ୍ଦର୍ଯ୍ୟ ପାଇଁ ବେଶ୍ ଜଣାଶୁଣା । ଲାକ୍ଷାଦ୍ଵୀପରେ ସମୁଦାୟ ୩୨ ଦ୍ୱୀପ ଅଛି, କିନ୍ତୁ କେବଳ ୧୦ ଦ୍ଵୀପରେ ଲୋକମାନେ ବସବାସ କରନ୍ତି । କିଛି ଦ୍ଵୀପରେ ୧୦୦ ରୁ ବି କମ୍ ଲୋକ ବସବାସ କରନ୍ତି । କଭାରାଟ୍ଟୀ ଏହାରେ ରାଜଧାନୀ ।

 

Comments are closed.