Latest Odisha News

BREAKING NEWS

ମନ୍ଦିରରେ ମିଳୁଛି ନୁଡୁଲ୍ସ ଓ ଚପ୍‌’ସି ପ୍ରସାଦ

ଭୁବନେଶ୍ୱର: ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟକୁ ନେଇ ସାରା ବିଶ୍ୱରେ ଭାରତର ରହିଛି ସ୍ୱତନ୍ତ୍ର ପରିଚୟ । ଏଠି ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର । ଭିନ୍ନ ମନ୍ଦିରମାନଙ୍କରେ ରହିଛି ବିଭିନ୍ନ ପ୍ରସାଦ ପ୍ରସ୍ତୁତି ପରମ୍ପରା । ତେବେ ଭାରତରେ ଏପରି ବି କିଛି ମନ୍ଦିର ରହିଛି, ଯେଉଁଠି ତାଙ୍କ ପ୍ରସାଦର ପରମ୍ପରା ଅନେକଙ୍କୁ ଚକିତ କରିଛି ।

ଅଜଗର୍ କୋଭିଲ୍ ମଦୁରାଇ ମନ୍ଦିରରେ ଦୋଷାକୁ ପ୍ରସାଦ ରୂପେ ବଣ୍ଟନ କରାଯାଇଥାଏ । ସେହିପରି ଉତ୍ତରପ୍ରଦେଶର ଖବିସ୍ ବାବା ମନ୍ଦିରରେ ମଦକୁ ପ୍ରସାଦର ଆଖ୍ୟା ମିଳିଛି । ଏହି ଦୁଇଟି ମନ୍ଦିରକୁ ବାଦ୍ ଦେଲେ କୋଲକାତାର ଏମିତି ଏକ ମନ୍ଦିର ରହିଛି ଯେଉଁଠି ଚାଇନିଜ୍ ଖାଦ୍ୟ ନୁଡୁଲ୍ସ ଓ ଚପ୍‌ସିକୁ (Chop suey)ପ୍ରସାଦ ରୂପେ ବଣ୍ଟନ କରାଯିବା ଘଟଣା ଅଧିକାଂଶ ଲୋକଙ୍କୁ ତାଜୁବ କରିଛି ।

କୋଲକାତାର ଚାଇନା ଟାଉନ୍ ବୋଲାଉଥିବା ଟାଙ୍ଗ୍‌ରା ଅଂଚଳରେ ରହିଛି ଚାଇନିଜ କାଳୀ ମନ୍ଦିର । ଏହି ଅଂଚଳରେ ବସବାସ କରୁଥିବା ଲୋକେ ତିବ୍ୱତ୍ ଓ ପୂର୍ବ ଏସୀୟ ସଂସ୍କୃତିର ମିଶ୍ରଣକୁ ମାନିଆସିଛନ୍ତି । ତେବେ ଏଠିକାର ଲୋକେ ଭାରତୀୟ ସଂସ୍କୃତିକୁ କେବେ ଅଣଦେଖା କରିବାକୁ ଚିନ୍ତା କରିନାହାଁନ୍ତି । ବୋଧ ହୁଏ ଖାସ ଏହି କାରଣରୁ ଏଠିକାର ଲୋକେ ନୁଡୁଲ୍ସ, ଚପ୍‌ସି, ଭାତ(Sticky Rice) ଓ ଭଳିକିଭଳି ପନିପରିବା ଦେବୀ କାଳୀଙ୍କୁ ପ୍ରସାଦ ରୂପେ ଅର୍ପଣ କରିଥାନ୍ତି ।

ବଙ୍ଗୀୟ ଓ ଚାଇନିଜ ଲୋକଙ୍କ ମିଳିତ ପ୍ରଚେଷ୍ଟାରେ ମା’କାଳୀଙ୍କ ମନ୍ଦିର ପ୍ରାୟ ୨୦ ବର୍ଷ ପୂର୍ବେ ଏଠି ନିର୍ମାଣ ହୋଇଥିଲା । ତେବେ ମନ୍ଦିର ନିର୍ମାଣ ପୂର୍ବରୁ ହିନ୍ଦୁମାନେ ଏକ ଗଛ ତଳେ ଦୁଇଟି ଗ୍ରାନାଇଟ୍ ପଥର ରଖି ୬୦ ବର୍ଷ ଧରି ପୂଜା କରିଥିବା ଶୁଣିବାକୁ ମିଳେ ।

କିମ୍ବଦନ୍ତୀ ଅନୁଯାୟୀ ଚାଇନିଜ ସମ୍ପ୍ରଦାୟର ଜଣେ ୧୦ ବର୍ଷୀୟ ନାବାଳକ ରୋଗ୍ରାଗ୍ରସ୍ତ ହୋଇପଡିଥିଲା । ଜଣାଶୁଣା ଡାକ୍ତର ଓ ନାନା ଚିକିତ୍ସା ପଦ୍ଧତି ମଧ୍ୟ ପିଲାଟିକୁ ରୋଗମୁକ୍ତ କରିପାରିନଥିଲା । ଉପାୟଶୂନ୍ୟ ହୋଇ ଦିନେ ରାତିରେ ପିଲାଟିର ବାପା ଓ ମାଆ ରୋଗାଗ୍ରସ୍ତ ପିଲାଟିକୁ ଗୋଟିଏ ଗଛ ତଳେ ଶୁଆଇଦେଇ ଏକାଧିକ ରାତି ପ୍ରାର୍ଥନା କରିଥିଲେ । ଧିରେଧିରେ ପିଲାଟି ସୁସ୍ଥ ହେବା ପରେ ସେବେଠୁ ଚାଇନିଜ ସମ୍ପ୍ରଦାୟର ଲୋକଙ୍କ ପାଇଁ ଟାଙ୍ଗରା ଅଂଚଳ ଅଭିନ୍ନ ଅଙ୍ଗ ଭାବେ ସାବ୍ୟସ୍ତ ହୋଇଛି ।

Leave A Reply

Your email address will not be published.