Latest Odisha News

କରୋନା ସମ୍ପର୍କରେ ଏବେବି ଅଜଣା ଓଡ଼ିଶାର ଏହି ଗାଁ

ଭୁବନେଶ୍ୱର: ଗାଁ ଠୁ ସହର, ଦେଶ ରୁ ବିଦେଶ ସବୁଠି ନିଜର କାୟା ବିସ୍ତାର କରିଛି କରୋନା। ଏହି ମହାମାରୀ କବଳରେ ଏବେ ସାରା ବିଶ୍ୱ। କରୋନା ସଚେତନତା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚୁଛି ପ୍ରଶାସନ।

ତେବେ ସବୁଠୁ କରୋନା ନିଜର କୋପ ବଢ଼ାଇ ଚାଲିଥିବା ବେଳେ ଓଡ଼ିଶାରେ ଏଭଳି ଏକ ଗାଁ ରହିଛି ଯେଉଁଠି ଏଯାଏଁ କରୋନାର ଛାଇ ସୁଦ୍ଧା ପଡ଼ିନାହିଁ। ସମଗ୍ର ବିଶ୍ବ କରୋନା  ଦାଉରେ ତ୍ରାହି ତ୍ରାହି ଡାକୁଥିବା ବେଳେ କନ୍ଧମାଳ ଜିଲାର ମାଟୁଙ୍ଗୀ ଗାଁର ଗ୍ରାମବାସୀଙ୍କୁ ନା ଅଛି କରୋନା ଭୟ ଆଉ ନା କରୋନା ସମ୍ପର୍କରେ ସେମାନଙ୍କୁ କିଛି ଜଣା ଅଛି।

କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଅରାପାଜୁ ପଞ୍ଚାୟତର ମାଟୁଙ୍ଗି ଗ୍ରାମ।

ଅରାପାଜୁ ପଞ୍ଚାୟତଠାରୁ ମାତ୍ର ୬ କିମି ଦୂରରେ ରହିଛି ମାଟୁଙ୍ଗି ଗ୍ରାମ। ଗାଁକୁ ରାସ୍ତା ନାହିଁ।କନ୍ଧମାଳ ଜିଲା ପ୍ରଶାସନ ଗଳିକନ୍ଦିରେ କରୋନା ସଚେତନତା ବାର୍ତ୍ତା ବଣ୍ଟା ଯାଉଥିଲେ ସୁଦ୍ଧା ଏଠାକୁ ସଚେତନତାର ବାର୍ତ୍ତା ପ୍ରଚାର କରିବାକୁ କେହି ଜଣେ ହେଲେ ଆସି ନାହାନ୍ତି।

ନା’ ଏଠି କାହାକୁ ସଚେତନତା କରାଯାଇଛି, ନା କାହାର ସ୍ୱାବ ଟେଷ୍ଟ ହୋଇଛି। ଆଶ୍ଚର୍ଯ୍ୟର କଥା ଏଯାଏଁ ଏଠାକାର ଜଣେ ବି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇନାହାଁନ୍ତି। ଏହିଭଳି ସଂକ୍ରମଣ ସମୟରେ କାହାକୁ ସାମାନ୍ୟ ଜ୍ବର ମଧ୍ୟ ହୋଇନାହିଁ।

ଆହୁରି ମଧ୍ୟ ବିକାଶ ଶବ୍ଦର ଅର୍ଥ ସତେଯେପରି ଏମାନଙ୍କ ପାଇଁ ମୂଲ୍ୟହୀନ। ଅତ୍ୟନ୍ତ କଦର୍ଯ୍ୟ ଓ ବିପଦସଂକୁଳ ରାସ୍ତା ଦେଇ ଏହି ଗ୍ରାମକୁ ଯିବାକୁ ପଡେ।

ତେବେ ଏହି ଗ୍ରାମରେ ରହୁଛନ୍ତି ମାତ୍ର ୧୦ ଟି ପରିବାର। ଏଠାକାର ଲୋକେ ସରକାରୀ ସୁଵିଧା ତ ଦୂରର କଥା ସରକାରୀ ଯୋଜନା କଥା ମଧ୍ୟ କେବେ ଶୁଣି ନାହାନ୍ତି।କେବେ କେଉଁ ନେତା ମନ୍ତ୍ରୀ କିମ୍ବା ଅଫିସର ମାନଙ୍କର ପାଦ ମଧ୍ୟ ଏଠାରେ ପଡେ ନାହିଁ।

ସବୁଦିନିଆ ଜଙ୍ଗଲିଆ ଓ ପଥୁରିଆ ରାସ୍ତାରେ ଯାତାୟାତ କରିଥାନ୍ତି ଏଠାକାର ଲୋକେ। ଏଠାକାର ଲୋକଙ୍କ ମୁଖ୍ୟ ବେଉଷା ହେଉଛି ଚାଷ । ଏହାସହ ଏମାନେ ଜଙ୍ଗଲୀ ଫଳମୂଳ ସଂଗ୍ରହ କରି ମଧ୍ୟ ଚଳନ୍ତି।

ନିର୍ବାଚନ ସମୟରେ ଭୋଟ ପାଇଁ ଗ୍ରାମକୁ ନେତାଙ୍କ ଲମ୍ବାଧାଡି ଲାଗୁଥିବା ଗାଁଲୋକେ କୁହାନ୍ତ। ଲୋକସଂଖ୍ୟା କମ୍ ଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଏଠାରେ ସାଧାରଣ ମୌଳିକ ସମସ୍ୟା ମଧ୍ୟ ପୂରଣ କରାଯାଉ ନାହିଁ ।

କଥାରେ ଅଛି ଅରକ୍ଷୀତକୁ ଦଇବ ସାହା। ତେବେ ସାରା ବିଶ୍ୱ କରୋନା ସଂକ୍ରମଣ ଯୋଗୁଁ ଭୟରେ ବଞ୍ଚୁଥିବା ବେଳେ ଏହି ମଫସଲ ‘ମାଟୁଙ୍ଗି’ ଗାଁ କିନ୍ତୁ ସବୁଦିନ ପରି ସ୍ୱଭାବିକ ଓ ଚଳଚଂଚଳ ରହିଛି।

Leave A Reply

Your email address will not be published.