ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକରେ ଥମୁନି ଝାଡ଼ାବାନ୍ତି। ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଜାଗୁଳେଇପଦରରୁ ପୁଣି ୩ଜଣ ଝାଡ଼ାବାନ୍ତି ରୋଗୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତମାନଙ୍କ ମ୍ୟାପିଂ କରାଯାଇ ଟେଲିଫୋନ ମାଧ୍ୟମରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝାଯାଇଥିଲା। ମଙ୍ଗଳବାରଠାରୁ ଜାଗଳେଇପଦରରେ ସ୍ବାସ୍ଥ୍ୟ ଶିବିରରେ ଜଣେ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ୨୪ ଘଣ୍ଟିଆ ଅବସ୍ଥାପିତ କରିବା ପାଇଁ ସିଡିଏମ୍ଓ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉକି ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଛି। କଣାସ ବ୍ଲକରେ ହଇଜା ନିଦ ହଜାଇଛି। ପୁଣି ଥରେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ୩ ଜଣ। ଅସୁସ୍ଥମାନେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏବେ ଝାଡାବାନ୍ତିରେ କଣାସ ବ୍ଲକର ଅନେକ ଗାଁ ଆକ୍ରାନ୍ତ ହୋଇଛି। ତେଣୁ ସାମୁହିକ ଭୋଜିରୁ ଲୋକଙ୍କୁ ଦୂରେଇ ରହିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି।
Comments are closed.