Latest Odisha News

ମ୍ୟାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ନିଲମ୍ବିତ

କଟକ : ମ୍ୟାଟ୍ରିକ୍ ପରୀକ୍ଷାରେ ଶନିବାର ଦିନ ଗଣିତ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ମାଧ୍ୟମିକ ଶିକ୍ଷା ପରିଷଦ ଆଜି କଳାହାଣ୍ଡି ଜିଲ୍ଲାର ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ୩ଜଣଙ୍କୁ ନିଲମ୍ବିତ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବିଏସଇ ଅଧ୍ୟକ୍ଷା ଜାହାନ ଆରା ବେଗମ୍ କହିଛନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଆଜି ପରମାନନ୍ଦ ଉଚ୍ଚ ବିଦ୍ୟାପୀଠର ସୁପରିଟେଣ୍ଡେଣ୍ଟ୍, ପରୀକ୍ଷା ନିରିକ୍ଷକ ଓ ଜଣେ ରିଲିଭରଙ୍କୁ ନିଲମ୍ବିତ କରିଛନ୍ତି । ଏହି ୩ଜଣଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ଗଣିତ ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୩୦ମିନିଟ୍ ପରେ ପ୍ରଶ୍ନପତ୍ର ଓ ଆଡମିଟ୍ କାର୍ଡର ଏକ କପି ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଗଣିତ ବିଷୟର ସେଟ୍-ଡିର ଦୀର୍ଘଉତ୍ତରମୂଳକ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଥିଲା ।

ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ବିଏସଇ ଅଧ୍ୟକ୍ଷା ଜାହାନ ଆରା ବେଗମ୍ । ଏଥିସହିତ କେଉଁ ଜାଗାରେ ଏଭଳି ଘଟଣା ହୋଇଛି, ସେନେଇ ଯାଞ୍ଚ ଚାଲିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.