Latest Odisha News

BREAKING NEWS

ଟିଏମ୍‌ସିରେ ମହାଭାରତ: ଫ୍ରିଜ୍ ହେଲା ଦଳର ୩ଟି ବ୍ୟାଙ୍କ ଆକାଉଣ୍ଟ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ କ୍ଷମତାଚ୍ୟୁତ ହୋଇଥିବା ମମତା ବାନାର୍ଜୀଙ୍କ ଟିଏମ୍‌ସି ଭିତରେ ଚାଲିଥିବା ଗୃହଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଦଳୀୟ ପାଣ୍ଠି ଓ ସମ୍ପତ୍ତି ଉପରେ କବଜା କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ବେଙ୍ଗଲ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

 

ଘରୋଇ ବ୍ୟାଙ୍କ HDFCରେ ଥିବା ଟିଏମ୍‌ସିର ୩ଟି ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟକୁ ପୋଲିସ ‘ଡେବିଟ୍ ଫ୍ରିଜ୍’ କରିଦେଇଛି। ଏହି ଆକାଉଣ୍ଟଗୁଡ଼ିକରେ ପ୍ରାୟ ୪୪୦ କୋଟି ଟଙ୍କା ଜମା ରହିଛି। ପୋଲିସର ଏହି ପଦକ୍ଷେପ ଯୋଗୁଁ ଏବେ ଦଳୀୟ ପାଣ୍ଠିରୁ ଟଙ୍କା ଉଠାଣ ବା କୌଣସି ପ୍ରକାର ବାହ୍ୟ କାରବାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଯାଇଛି, ଯାହା ମମତା ବାନାର୍ଜୀଙ୍କ ଗୋଷ୍ଠୀ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି।

 

ବିଧାନନଗର ପୋଲିସ କମିଶନରେଟ୍‌ର ସାଇବର କ୍ରାଇମ ଥାନାରେ ଦଳର ୧୦ ଜଣ ବିଦ୍ରୋହୀ ବିଧାୟକ ଅଭିଯୋଗ କରିବା ପରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ବିରୋଧୀ ଦଳ ନେତା ରିତବ୍ରତ ବାନାର୍ଜୀଙ୍କ ସମର୍ଥକ କୁହାଯାଉଥିବା ଏହି ବିଧାୟକମାନେ ଆକାଉଣ୍ଟରେ ଜମା ଥିବା ବିପୁଳ ପରିମାଣର ଅର୍ଥର ଉତ୍ସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦଳୀୟ ଆକାଉଣ୍ଟରେ ଜମା ଥିବା ଏହି ୪୪୦ କୋଟି ଟଙ୍କା ସାଧାରଣ ଲୋକଙ୍କଠାରୁ ଆଦାୟ କରାଯାଇଥିବା ବେଆଇନ କଟ୍-ମନି, ସରକାରୀ ଅନୁଦାନର ହେରଫେର ଏବଂ ବିଭିନ୍ନ ଦୁର୍ନୀତିର କଳାଟଙ୍କା ହୋଇଥାଇପାରେ ବୋଲି ସେମାନେ ଅଭିଯୋଗ କରି ଏହାର ଅପରାଧିକ ତଦନ୍ତ ଦାବି କରିଛନ୍ତି।

 

“ଟିଏମ୍‌ସିର ଆକାଉଣ୍ଟଗୁଡ଼ିକୁ କେବଳ ଡେବିଟ୍ ଫ୍ରିଜ୍ କରାଯାଇଛି। ଏହାର ଅର୍ଥ ହେଉଛି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରିବ, କିନ୍ତୁ କେହି ସେଥିରୁ ଟଙ୍କା ଉଠାଇ ପାରିବେ ନାହିଁ। ଦଳର ଆଉ କେତେକ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖାଯାଇଛି” ବୋଲି ବିଧାନନଗର ପୋଲିସର ବରିଷ୍ଠ ଅଧିକାରୀ କହିଛନ୍ତି।

 

ଏହି ଆର୍ଥିକ ବିବାଦର ସୂତ୍ରପାତ କିଛି ଦିନ ପୂର୍ବରୁ ହୋଇଥିଲା, ଯେତେବେଳେ ମମତାଙ୍କ ଅତି ବିଶ୍ୱସ୍ତ ତଥା ପୂର୍ବତନ ମନ୍ତ୍ରୀ ଅରୂପ ବିଶ୍ୱାସ ବ୍ୟାଙ୍କକୁ ଚିଠି ଲେଖି ଦଳର ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର ଜମା ରାଶିକୁ ସୁରକ୍ଷିତ ରଖିବାକୁ ଏବଂ କାରବାର ସ୍ଥଗିତ ରଖିବାକୁ କହିଥିଲେ। ସେ ଦର୍ଶାଇଥିଲେ ଯେ ଦଳ ଭିତରେ ଚାଲିଥିବା ସାଂଗଠନିକ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଏହି ପାଣ୍ଠି ଅପରେଟ୍ କରାନଯାଉ।

 

ମାତ୍ର ବିଦ୍ରୋହୀ ଗୋଷ୍ଠୀ ଏହାକୁ ସାଧାରଣ ପ୍ରଶାସନିକ ବିବାଦ ପରିବର୍ତ୍ତେ ସିଧାସଳଖ ଅପରାଧିକ ମାମଲା ଭାବେ ପୋଲିସ ପାଖକୁ ନେଇଯାଇଛନ୍ତି। ଏହି ଆକାଉଣ୍ଟ ଫ୍ରିଜ୍ ମାମଲାକୁ ନେଇ ଦଳ ଭିତରେ କାଦୁଅ ଫିଙ୍ଗାଫିଙ୍ଗି ଆହୁରି ତୀବ୍ର ହୋଇଛି। ମମତା ଗୋଷ୍ଠୀର ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଅରୂପ ବିଶ୍ୱାସଙ୍କର ଆଉ ଆର୍ଥିକ ମାମଲାରେ କହିବାର କୌଣସି ଅଧିକାର ନାହିଁ। ଗତ ଜୁନ୍ ୫ ତାରିଖରେ ବସିଥିବା କାର୍ଯ୍ୟକାରୀ କମିଟି ବୈଠକରେ ଅରୂପଙ୍କ ସ୍ଥାନରେ ସୁଭାଷିଷ ଚକ୍ରବର୍ତ୍ତୀଙ୍କୁ ଟିଏମ୍‌ସିର ନୂଆ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିଯୁକ୍ତ କରାଯାଇଛି।

 

ସେହିପରି ଅନ୍ୟପଟେ ଦଳର ସାଂସଦ ଅଭିଷେକ ବାନାର୍ଜୀ ନିଜ ସମର୍ଥକଙ୍କ ସହ ନୂଆଦିଲ୍ଲୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ବିଦ୍ରୋହୀ ସାଂସଦମାନଙ୍କ ବିରୋଧରେ ଦଳ ବଦଳ ବିରୋଧୀ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନିର୍ବାଚନ ହାରିବା ପରେ ଟିଏମ୍‌ସି କେବଳ ରାଜନୈତିକ ସ୍ତରରେ ନୁହେଁ, ବରଂ ଆର୍ଥିକ ସ୍ତରରେ ମଧ୍ୟ ଭାଙ୍ଗି ପଡ଼ିଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି।

Leave A Reply

Your email address will not be published.