ଚେନ୍ନାଇ: ଯଶସ୍ୱୀ ଜୈସୱାଲଙ୍କ ଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆକୁ ୯ ୱିକେଟରେ ଜିତିନେଇଛି । ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ସମସ୍ତ ମୁକାବିଲା ଜିତି କ୍ଲିନ ସୁଇପ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୪୪.୨ ଓଭରରେ ୨୧୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ହସମୁତାଲ୍ଲା ୧୦୨ ରନର ଚମତ୍କାର ଇନିଂସ ଖେଳିଥିଲେ । ଅଜମୁତାଲ୍ଲା ଓମ୍ରଜାଇ ୫୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ପ୍ରସିଦ୍ଧ କ୍ରିଷ୍ଣା ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ ।
୨୧୯ ରନର ଲକ୍ଷ୍ୟକୁ ଟିମ ଇଣ୍ଡିଆ ମାତ୍ର ୨୮.୪ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା । ଯଶସ୍ୱୀ ଜୈସୱାଲ ୧୧୦ ଓ ଶ୍ରେୟାଶ ଆୟାର ୨୦ ରନ କରି ଅପରାଜିତ ରହିଥିଲେ । ରୋହିତ ଶର୍ମା ୭୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅଧିନାୟକ ଭାବେ ଶୁଭମନ ଗିଲଙ୍କ ଏହା ପ୍ରଥମ ଦିନିକିଆ ସିରିଜ ବିଜୟ । ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଗିଲ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦ୍ୱିପାକ୍ଷିକ ସିରିଜରେ ଭାରତ ସହଜରେ ବିଜୟ ହାସଲ କରିଛି ।
