Latest Odisha News

BREAKING NEWS

ତମାଖୁ ସେବନ ଏବଂ ମଧୁମେହ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ

ତମାଖୁ ଏକ ଉଦ୍ଭିଦ ଜାତୀୟ ଜିନିଷ ଅଟେ । ଏହି ତମାଖୁ ପତ୍ରକୁ ବ୍ୟବହାର ତମାଖୁ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି। ଯାହା ବଜାରରେ ଅତି ସହଜରେ ଉପଲବ୍ଧ ହେଉଛି । ସାଧାରଣତଃ ବଜାରରେ ତିନି
ପ୍ରକାରର ତମାଖୁ ଦ୍ରବ୍ୟ ଦେଖିବାକୁ ମିଳୁଛି । ଯେଉଁ ତମାଖୁ ଦ୍ରବ୍ୟକୁ ଫୁଙ୍କି ବ୍ୟବହାର କରାଯାଏ ତାହାର ଉଦାହରଣ ବିଡ଼ି, ସିଗାରେଟ୍‌, ହୁକ୍କା ଇତ୍ୟାଦି । ସେହିପରି ଗୁଟ୍‌ଖା, ଖଇନି, ପାନମସଲା, ଜରଦା ଇତ୍ୟାଦି ତମାଖୁ ଦ୍ରବ୍ୟକୁ ଚୋବେଇ ବ୍ୟବହାର କରାଯାଏ । ଗୁଡ଼ାଖୁ ଯାହାକୁ ଦାନ୍ତ ଘଷିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଏହାବ୍ୟତୀତ ଆଜି ଇ-ସିଗାରେଟ୍ ମଧ୍ୟ ବହୁ ପ୍ରସାରିତ ହେବାକୁ ଲାଗିଛି । ତମାଖୁ ସେବନ ସାରା ଦୁନିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହ୍ୱାନ ହୋଇ ମୁଣ୍ଡ ଟେକିଛି ।

‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ ଅନୁଯାୟୀ ତମାଖୁ ତା’ର ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କୁ ମାରି ଦେଇଥାଏ । ପ୍ରତିବର୍ଷ ସାରା ଦୁନିଆରେ ପ୍ରାୟ ୮ ମିଲିୟନ୍ ଲୋକ ତମାଖୁ ଦ୍ୱାରା ଜୀବନ ହରାଉଛନ୍ତି ।
ସେଥିମଧ୍ୟରୁ ୭ ମିଲିୟନ ଲୋକ ତମାଖୁର ପ୍ରତ୍ୟକ୍ଷ ବ୍ୟବହାରକାରୀ ହୋଇଥିବାବେଳେ ୧.୨ ମିଲିୟନ୍ ଲୋକ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଙ୍ଗ୍‌ର ଶିକାର ହୋଇଥାନ୍ତି । ଏହି ୮ ମିଲିୟନ ତମାଖୁ ସେବନକାରୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଲୋକ ନିମ୍ନ ଏବଂ ମଧ୍ୟବିତ୍ତ ଦେଶମାନଙ୍କର ନାଗରିକ ଅଟନ୍ତି । ଯେହେତୁ ଅଧିକ ତମାଖୁ ସେବନକାରୀ ଲୋକ ଗରିବ ଦେଶର ନାଗରିକ, ତେଣୁ ତମାଖୁ ଦ୍ୱାରା ହେଉଥିବା ସମସ୍ୟା ମଧ୍ୟ ଖୁବ୍ ଗଭୀର ଅଟେ । ଭାରତ ଭଳି ଏକ ବିକାଶମୁଖୀ ଦେଶରେ ତମାଖୁର ସେବନ ଏବଂ ଏହାଦ୍ୱାରା ହେଉଥିବା କ୍ଷୟକ୍ଷତି ଖୁବ୍ ଅଧିକ ଅଟେ । ତମାଖୁର ଉତ୍ପାଦନ ଏବଂ ସେବନ କ୍ଷେତ୍ରରେ ଭାରତ ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ ।

ପ୍ରତିବର୍ଷ ପ୍ରାୟ ୧.୩ ମିଲିୟନ୍ ଲୋକ ତମାଖୁ ଦ୍ୱାରା ମୃତ୍ୟୁର ଶିକାର ହୁଅନ୍ତି । ତମାଖୁର ବହୁଳ ବ୍ୟବହାର ଫଳରେ ଆମ ଦେଶ ମୁଖଗହ୍ୱର କର୍କଟରୋଗର ରାଜଧାନୀ ପାଲଟିଲାଣି । ଏତଦ୍‌ବ୍ୟତୀତ ତମାଖୁ ଦ୍ୱାରା ଆମେ ନାନାପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ପାଉଛୁ । ତମାଖୁ ଦ୍ୱାରା ହେଉଥିବା କ୍ୟାନ୍‌ସର ବିଷୟରେ ପ୍ରାୟ ସମସ୍ତ ଲୋକ ଅବଗତ ଥିବେ ଏବଂ ତମାଖୁ, କ୍ୟାନ୍‌ସର ସହିତ ଅନ୍ୟାନ୍ୟ ଅନେକ ଦୁରାରୋଗ୍ୟକୁ ମଧ୍ୟ ଆମନ୍ତ୍ରଣ କରିଥାଏ । ମଧୁମେହ, ଉଚ୍ଚ ରକ୍ତଚାପ ହେଉକି ଅନ୍ୟ ହୃଦ୍‌ସମ୍ବନ୍ଧୀୟ ସମସ୍ୟା, ଏହି ସବୁ ରୋଗରେ ପୀଡ଼ିତ ସମସ୍ତ ରୋଗୀ ତମାଖୁ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଏ ।

ମଧୁମେହ ନିଜେ ଗୋଟେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଅଟେ । ଏହି ରୋଗକୁ ନିୟନ୍ତ୍ରଣରେ ନରଖିଲେ, ଅନେକ ରୋଗ ହେବାର ଅନେକ ସମ୍ଭାବନା ରହିଥାଏ । ‘ସେଣ୍ଟର୍ ଫର୍ ଡିଜିସ୍‌ କଣ୍ଟ୍ରୋଲ୍ ଏଣ୍ଡ ପ୍ରିଭେନ୍‌ସନ୍‌’ ଅନୁଯାୟୀ ଯଦି ଜଣେ ମଧୁମେହ ରୋଗୀ ଧୂମପାନ ତଥା ତମାଖୁ ସେବନ କରନ୍ତି ତା’ହେଲେ ତାଙ୍କୁ ଅନ୍ୟାନ୍ୟ ଦୁରାରୋଗ ଯଥା- ହୃଦ୍‌ଜନିତ ରୋଗ, କିଡ଼୍‌ନୀ ବେମାରୀ, ରେଟିନୋପାଥି, ଗୋଡ଼ରେ ରକ୍ତ ସଞ୍ଚାଳନର ସମସ୍ୟା ଯାହା ପରବର୍ତ୍ତୀ ସମୟରେ ଗୋଡ଼ କଟା ହେବାର ପରିସ୍ଥିତି ଉପୁଜିବା । ସେହିପରି ମଧୁମେହ ରୋଗୀ ଯଦି ତମାଖୁ ତ୍ୟାଗ କରନ୍ତି ତେବେ ତାଙ୍କର ମଧୁମେହ ନିୟନ୍ତ୍ରଣରେ ମଧ୍ୟ ଫାଇଦା ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ତମାଖୁ ବ୍ୟବହାର କରୁଥିବା ବ୍ୟକ୍ତି ଏପରିକି ସେକେଣ୍ଡ ହ୍ୟାଣ୍ଡ୍ ସ୍ମୋକିଙ୍ଗ୍ ର ଶିକାର ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ମଧୁମେହ ହେବାର ଆଶଙ୍କା ରହିଥାଏ ।

ଜଣେ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପରିବାରର କହିବା ଅନୁଯାୟୀ ରୋଗୀ ଉଭୟ ମାନସିକ ରୋଗ ଓ ମଧୁମେହ ପାଇଁ ନିୟମିତ ଔଷଧ ସେବନ କରିଆସୁଛନ୍ତି । ମାତ୍ର ତାଙ୍କର ତମାଖୁର ଅଭ୍ୟାସ ରହିଥିବାରୁ ଉଭୟ ମଧୁମେହ ଚିକିତ୍ସା ଏବଂ ମାନସିକ ରୋଗ ଚିକିତ୍ସା ପ୍ରଭାବିତ ହେଉଛି ବୋଲି ଡାକ୍ତର କହିଛନ୍ତି । ଡାଇବେଟିସ୍ ନିୟନ୍ତ୍ରଣରେ ନ ରହିଲେ ଏହା ମାନସିକ ରୋଗ କିମ୍ବା ଅନ୍ୟାନ୍ୟ ରୋଗକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞ କହନ୍ତି । ସେହିପରି ନିକୋଟିନ୍‌ ଏବଂ ତମାଖୁ ସେବନ ଦ୍ୱାରା ଗୋଡ଼ରେ ଗ୍ୟାଙ୍ଗ୍ରିନ୍ ହେବାର ଆଶଙ୍କା ଥାଏ ଏବଂ ଏହି ସମସ୍ୟା ମଧୁମେହ ରୋଗୀଙ୍କୁ ମଧ୍ୟ ଦେଖାଯାଇଥାଏ । ତେଣୁ ଯଦି ମଧୁମେହ ରୋଗୀ ତମାଖୁ ସେବନ କରନ୍ତି ତାଙ୍କର ଏହି ସମସ୍ୟାର ଆଶଙ୍କା ଖୁବ୍ ଅଧିକ ବୋଲି ଡକ୍ଟର ମନୋଜ କୁମାର ବାରିକ କହିଛନ୍ତି । ଗୋଡ଼ରେ ଗ୍ୟାଙ୍ଗ୍ରିନ୍ ହେଲେ ଗୋଡ଼ କଟାଯାଏ । ଯାହାକି ରୋଗୀଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଥାଏ । ତେଣୁ ମଧୁମେହ ରୋଗୀ ନିଜର ମଧୁମେହ ନିୟନ୍ତ୍ରଣରେ ରଖିବା ସହିତ ତମାଖୁରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ପାଇଁ ଡକ୍ଟର ମନୋଜ ପରାମର୍ଶ ଦେଇଛନ୍ତି ।

ଏନ୍‌.ସି.ଡ଼ି. କ୍ଲିନିକ୍‌ରେ କାର୍ଯ୍ୟରତ ଜଣେ ପରାମର୍ଶଦାତାଙ୍କ କହିବା ଅନୁଯାୟୀ ସମସ୍ତ ମଧୁମେହ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କୁ ଆମେ ଯେକୌଣସି ପ୍ରକାରର ତମାଖୁ ଦ୍ରବ୍ୟ ସେବନ କରିବାର ଦେଖୁଛୁ ଏବଂ ଏହି ସମସ୍ତ ରୋଗୀଙ୍କୁ ତମାଖୁ ଛାଡ଼ିବା ପାଇଁ ପରାମର୍ଶ ଦେଉଛୁ । ନିୟମିତ ପରାମର୍ଶ କରେଇବାକୁ ମଧ୍ୟ ସଚେତନ କରାଉଛୁ । ମାତ୍ର ଖୁବ୍ କମ୍ ରୋଗୀ ଆମ ପରାମର୍ଶ କେନ୍ଦ୍ରକୁ ଦ୍ୱିତୀୟ ଥର ପାଇଁ ପରାମର୍ଶ କରେଇବା ପାଇଁ ଆସନ୍ତି । ଏଠି ଉଲ୍ଲେଖ କରିବାକୁ ଚାହେଁ ଯେ, ତମାଖୁ ଛାଡ଼ିବା ହେଉ କିମ୍ବା ଅଣସଂକ୍ରମଣ ରୋଗ (ନନ୍‌କମ୍ୟୁନିକେବଲ୍ ଡିଜିସ୍‌) ବିଷୟରେ ସମସ୍ତ ପ୍ରକାରର ପରାମର୍ଶ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସରକାରୀ ହସ୍ପିଟାଲ୍‌ରେ ଉପଲବ୍ଧ ରହିଛି । ମାତ୍ର ଏହି ପରାମର୍ଶ କେନ୍ଦ୍ରକୁ ଦରକାର ମୁତାବକ ନିୟମିତ ପରାମର୍ଶ କରେଇବା ପାଇଁ ଆସିବାକୁ ହେବ ଏବଂ ତାଙ୍କ ପରାମର୍ଶ ଅନୁଯାୟୀ ଜୀବନ ବଞ୍ଚିଲେ, ଏକ ସୁସ୍ଥ ଜୀବନ ବଞ୍ଚିବା ସହଜ ହେବ ।

ମଧୁମେହକୁ ନିୟନ୍ତ୍ରଣ କରିବାକୁ ହେଲେ ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିବାକୁ ପଡ଼ିବ । ନିୟମିତ ଚିକିତ୍ସା କରାଇବା ସହିତ ତମାଖୁ ମୁକ୍ତ ତଥା ନିଶାମୁକ୍ତ ଜୀବନ ଅପରିହାର୍ଯ୍ୟ । ନିୟମିତ ବ୍ୟାୟାମ କରିବା ସହିତ ନିୟନ୍ତ୍ରିତ ଖାଦ୍ୟ ସେବନ କରିବା ଏବଂ ଚିନ୍ତାହୀନ ଜୀବନ ବଞ୍ଚିବା ପାଇଁ ପ୍ରୟାସ କରିବା । ଚାଲନ୍ତୁ ଆମେ ତମାଖୁ ଛାଡ଼ିବା, ଜୀବନ ବାଛିବା ।

ମୋ-୯୪୩୮୭୪୭୩୨୦

Leave A Reply

Your email address will not be published.