Latest Odisha News

BREAKING NEWS

ଆଜି ପବିତ୍ର ଜାଗର: କାହିଁକି ପାଳନ କରାଯାଏ ମହାଶିବରାତ୍ରୀ

ଭୁବନେଶ୍ଵର: ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପା ଲାଭ କରିଥାନ୍ତି । ମହାଶିବରାତ୍ରୀ ଅବସରରେ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ ଏବଂ ଭାରତର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କଠାରେ ବିଶେଷ ଆଳତି ଓ ଭୋଗ ଲାଗି କରାଯାଏ। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର କରିବାର ରହିଛି।

ପୁରାଣ ଅନୁଯାୟୀ, ଦେବୀ ସତୀ ମାତା ପାର୍ବତୀଙ୍କ ରୂପରେ ପୁନଃଜନ୍ମ ନେଇଥିଲେ । ମାତା ପାର୍ବତୀ ନିଜ ସୌନ୍ଦର୍ଯ୍ୟରେ ଭଗବାନ ଶିବଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇପାରିନଥିଲେ । ଏହାପରେ ମାତା ପାର୍ବତୀ ଗୌରୀକୁଣ୍ତରେ ତପସ୍ୟା କରି ଶିବଙ୍କୁ ପ୍ରସନ୍ନ କରିଥିଲେ । ଏହି ଦିନ ଭଗବାନ ଶିବ ଓ ଆଦିଶକ୍ତି ମାତା ପାର୍ବତୀଙ୍କ ବିବାହ ହୋଇଥିଲା। ଅନ୍ୟ ପୌରାଣିକ କଥା ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ବାରା ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରକ୍ଷା କରିଥିଲେ ଦେବ ଦେବ ମହାଦେବ । କିନ୍ତୁ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ ଆଦି ଦେବଗଣ ନିଶି ଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୂର ଆଦି ବିଭିନ୍ନ ଶୀତଳକାର ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତା ଫେରିଆସିଥିଲା । ବିଷ୍ଣୁ ଉକ୍ତ ଦିନଟି ସମ୍ପର୍କରେ ପ୍ରଜାପିତା ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି  ବୋଲି କହିଥିଲେ। ସେହିଦିନ ଅନୁଯାୟୀ, ଶ୍ରଦ୍ଧାଳୁମାନେ  ମହାଶିବରାତ୍ରି ପାଳନ କରିଥାନ୍ତି।

କୁହାଯାଏ ମହାଶିବରାତ୍ରୀରେ ବତ୍ର ବା ଉପବାସ କରିବା ଦ୍ବାରା ପୁନଃ ମିଳିଥାଏ । ଶିବରାତ୍ରୀରେ ବତ୍ର, ଉପବାସ ଓ ଅଭିଷେକ କରିବା ଦ୍ବାରା ମଣିଷ ଭାଗ୍ୟଶାଳୀ ହୋଇଥାଏ । ଏନେଇ ଭଗବାନ ରାମ କହିଛନ୍ତି ଯେ, ଯିଏ ଭଗବାନ ଶିବଙ୍କୁ ଦ୍ବାହି ଦେଇ ମୋତେ ପାଇବାକୁ ଚେଷ୍ଟା କରେ ସେ ମୋତେ ସ୍ବପ୍ନରେ ମଧ୍ଯ ପାଇପାରିବ ନାହିଁ । ଏହି କାରଣରୁ ଏହି ଦିନ ଶିବଙ୍କୁ ପୂଜା କରିବା ସହିତ ଶ୍ରୀ ରାମଚରିତ ପାଠ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅନ୍ୟ ଏକ କଥାରେ କୁହାଯାଇଛି ଯେ, ଥରେ ମାତା ପାର୍ବତୀ ଥରେ ଭଗବାନ ଶିବଙ୍କୁ ପଚାରିଥିଲେ ଯେ, କେଉଁ ଉପବାସ ତାଙ୍କୁ ସର୍ବୋତ୍ତମ ଭକ୍ତି ଓ ପୁଣ୍ୟ ପ୍ରଦାନ କରିଥାଏ । ଏହାର ଉତ୍ତରରେ ଭୋଳଶଙ୍କର କହିଥିଲେ ଯେ, ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ଯିବ ଉପବାସ ରଖିଥାଏ ତା ଭକ୍ତିରେ ମୁଁ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାଏ ।

Leave A Reply

Your email address will not be published.