Latest Odisha News

ମହାଶିବରାତ୍ରୀ: ଶିବଲିଙ୍ଗରେ ବେଲପତ୍ର ଦେଉଥିଲେ ମାନନ୍ତୁ ଏହି ନିୟମ

ଭୁବନେଶ୍ଵର: ମହାଶିବରାତ୍ରୀ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ପର୍ବରେ ଭଗବାନ୍ ଶିବଙ୍କୁ ଆରାଧନା କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରୀର ପାର୍ବଣ ଅବସର ପାଳନ ହୋଇଥାଏ । ପୁରାଣରେ ରହିଛି, ଏହିଦିନ ମଧ୍ୟରାତ୍ରୀରେ ଭଗବାନ୍ ଶିବ ରୁଦ୍ର ରୂପରେ ଅବତରଣ କରିଥିଲେ । ଏହାଛଡା ଏହି ଦିନ ଶିବ-ପାର୍ବତୀଙ୍କର ବିବାହ ମଧ୍ୟ ହୋଇଥିଲା । ଏହିଦିନ ଶିବଭକ୍ତମାନେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇ ପୂଜାର୍ଚ୍ଚନା କରିଥାନ୍ତି । ଦିନସାରା ଉପବାସ ରଖି ରାତିରେ ଜାଗର ଉପବାସ ରଖିଥାନ୍ତି । ତେବେ ଶିବଙ୍କ ମସ୍ତକରେ ଚଢାଯାଉଥିବା ବେଲପତ୍ର ତୋଳିବା ପୂର୍ବରୁ ଏହି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ଜଳପ୍ରିୟ ଶିବଙ୍କର ପୂଜା ବେଲପତ୍ର ବିନା ସମ୍ପନ୍ନ ହୁଏ ନାହିଁ । ବେଲପତ୍ର ଅର୍ପଣ କରି ପୂଜା କଲେ ଯଥାଶୀଘ୍ର ଶିବଙ୍କ କୃପା ମିଳେ । ବେଲପତ୍ରର ଆଉ ଏକ ବିଶେଷତ୍ୱ ଏହା କେବେ ବାସି ହୁଏନାହିଁ । ଯେଉଁ ପତ୍ର ଶିବଲିଙ୍ଗରେ ଚଢ଼ାଯାଇଥାଏ ତାକୁ ଧୋଇ ଆଉ ଥରେ ପୂଜାରେ ବିନିଯୋଗ କରାଯାଇପାରେ । ବେଲଗଛକୁ ମହାଦେବଙ୍କ ସ୍ୱରୂପ ବୋଲି ବିଚାର କରାଯାଏ । ବେଲଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ । ଏହି ବୃକ୍ଷକୁ ପୂଜା କଲେ ମା’ ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ବିଲ୍ୱବୃକ୍ଷ ମୂଳରେ ଗିରିଜା, ଦେହରେ ମାହେଶ୍ୱରୀ, ଶାଖାରେ ଦକ୍ଷାୟନୀ ବାସକରନ୍ତି । ସେହିପରି ପତ୍ରରେ ପାର୍ବତୀ, ପୁଷ୍ପରେ ଗୌରୀ, ଫଳରେ କାତ୍ୟାୟନୀ ବାସ କରନ୍ତି ।

ତେବେ ଶିବଲିଙ୍ଗ ଉପରେ ବେଲପତ୍ର ପ୍ରଦାନ କରିବାର କିଛି ନିୟମ ରହିଛି। ଶିବଲିଙ୍ଗ ଉପରେ କେବଳ ତିନିଟିକିଆ ପତ୍ର ଥିବା ବେଲପତ୍ର ଚଢାଯାଇଥାଏ । ଶୁଖିଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ବେଲପତ୍ର ଶିବଲିଙ୍ଗ ଉପରେ ଭୁଲରେ ସୁଦ୍ଧା ଦିଅନ୍ତୁ ନାହିଁ। ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବା ପୂର୍ବରୁ ସଫାପାଣିରେ ତାହାକୁ ଧୋଇ ଦିଅନ୍ତୁ। ଏବଂ ଶିବ ଲିଙ୍ଗ ଉପରେ ବେଲପତ୍ର ଦେବା ବେଳେ ପତ୍ରର ଚିକ୍କଣ ଅଂଶ ବା ଭିତରପଟ ଶିବଲିଙ୍ଗ ଆଡକୁ ରଖିବେ ଏବଂ ବେଲପତ୍ର କଠିନ ଅଂଶ ବା ଉପର ପଟ ଉପରକୁ ରଖିବା ଉଚିତ। ଶିବଲିଙ୍ଗରେ ୧୧ କିମ୍ବା ୨୧ ବେଲପତ୍ର ଦିଆଯାଏ, ଯଦି କୈଣସି କାରଣରୁ ଆପଣଙ୍କ ପାଖରେ ଏତେ ବେଲପତ୍ର ନଥାଏ, ତେବେ ଆପଣ ତିନିଟିକିଆ ପତ୍ର ଥିବା ଗୋଟିଏ ବେଲପତ୍ର ମଧ୍ୟ ଦେଇପାରିବେ।

 

 

 

Leave A Reply

Your email address will not be published.