Latest Odisha News

BREAKING NEWS

ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ: ଶ୍ରମଦାନ ଅଭିଯାନରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଲୋକ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପୂର୍ବରୁ ଆଜି ଦେଶ ସାରା ସ୍ଚଚ୍ଛତା ହିଁ ସେବା ଅଭିଯାନ ଅନୁସାରେ ଶ୍ରମଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଆଜି ସକାଳ ୧୦ରୁ ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମନ୍ କି ବାତ କାର୍ଯ୍ୟକ୍ରମରେ ଗାନ୍ଧି ଜୟନ୍ତୀ ପୂର୍ବଦିନ ଅର୍ଥାତ୍ ଆଜି ଦିନ ୧୦ଟାରୁ ୧୧ଟା ଘଣ୍ଟାଏ ପାଇଁ ସମସ୍ତେ ସମୟ ବାହାର କରି ନିଜ ଅଞ୍ଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସାଧାରଣ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ । ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ହେବ ବୋଲି କହିଥିଲେ ମୋଦି । ଏହି କ୍ରମରେ ଆଜି ଶ୍ରମଦାନ ଅଭିଯାନରେ ଲକ୍ଷାଧିକ ଲୋକ ଯୋଗ ଦେଇ ସ୍ଵଚ୍ଛତା ହିଁ ସେବା ଅଭିଯାନକୁ ଆଗକୁ ବଢାଇଛନ୍ତି । ସେହିପରି ‘‘ଏକ ତାରିଖ, ଏକ ଘଣ୍ଟା, ଏକ ସାଥ’’ ଅଭିଯାନର ଅଂଶ ଭାବରେ, ମନ୍ତ୍ରଣାଳୟ ଅଧୀନରେ ଅଙ୍ଗନୱାଡି କେନ୍ଦ୍ର, ୱାନ ଷ୍ଟପ୍ ସେଣ୍ଟର ଏବଂ ଜାତୀୟ ଜନ ସହଯୋଗ ଓ ଶିଶୁ ବିକାଶ ସଂସ୍ଥାନ (ଏନଆଇପିସିସିଡି) ର କାର୍ଯ୍ୟାଳୟରେ ସ୍ବଚ୍ଛତା ଅଭିଯାନର ଆୟୋଜନ କରାଯାଇଛି।

କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଗତ ଶୁକ୍ରବାର ଦିନ କହିଥିଲେ ଯେ ପରିଷ୍କାର ପରିଚ୍ଛନ୍ନତାର ବିଷୟବସ୍ତୁ ହେଉଛି ବର୍ଜ୍ୟବସ୍ତୁ ମୁକ୍ତ ଭାରତ ।  ଏହି ଅଭିଯାନ ପାଇଁ ସାରା ଦେଶରେ ୬.୪ଲକ୍ଷ ସ୍ଥାନ ଚୟନ କରାଯାଇଛି । ଏଥିମଧ୍ୟରେ ୩୫ହଜାର ଅଙ୍ଗନୱାଡି, ୨୨ ହଜାର ବଜାର, ୭ହଜାର ବସ୍ ଷ୍ଟାଣ୍ଡ, ୧ ହଜାର ଗୋ ଆଶ୍ରୟସ୍ଥଳ ଏବଂ ୩୦୦ ପ୍ରାଣୀ ଉଦ୍ୟାନ ଅନ୍ତର୍ଭୁକ୍ତ |

ଦେଶ ଏବେ ‘ଆବର୍ଜନା ମୁକ୍ତ ଭାରତ’ ପ୍ରସଙ୍ଗ ଉପରେ ଚାଲୁଥିବା ସ୍ୱଚ୍ଛତା ହିଁ ସେବା ୨୦୨୩ ଅଭିଯାନ ନାମରେ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପକ୍ଷର ପର୍ବ ପାଳନ କରୁଛି । ସାମୂହିକ ରୂପରେ ଏକତା ଏବଂ ସଂକଳ୍ପ ପ୍ରଦର୍ଶନ କରିବା ପାଇଁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛତା ଆହ୍ୱାନରୁ ପ୍ରେରଣା ନେଇ, ଗତ ସେପ୍ଟେମ୍ବର ୧୫ ରୁ ୨୯, ୨୦୨୩ରେ ୧୪ ଦିନ ମଧ୍ୟରେ ସମଗ୍ର ଦେଶରେ ୩୨ କୋଟିରୁ ଅଧିକ ଲୋକ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି, ଯେଉଁଥିରେ ଦୈନିକ ହାରାହାରି ପ୍ରାୟ ୨.୩ କୋଟି ଲୋକ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.