Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ: ରୌପ୍ୟରୁ ଆରମ୍ଭ, ସ୍ୱର୍ଣ୍ଣରେ ଶେଷ

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା କାଳରେ କଟକଣା ସହ ମେଗା ଇଭେଣ୍ଟ ଆୟୋଜନ ସବୁଦିନ ପାଇଁ ମନେ ରହିବ । ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ବି ସ୍ମରଣୀୟ ରହିବ । ମୋଟ ୭ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ରୌପ୍ୟରୁ ଆରମ୍ଭ ଓ ସ୍ୱର୍ଣ୍ଣ ପଦକ ସହ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛି ଭାରତ ।

ଅଲିମ୍ପିକ୍ସରେ ଭାରତ ଜିତିଛି ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ । ଏଯାଏ ଅଲିମ୍ପିକ୍ସରେ ଏହା ହେଉଛି ଭାରତୀୟ କ୍ରୀଡାବିତଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତରୁ ମେଡାଲ୍ ଭେଟି ଦେଇଥିଲେ ମୀରାବାଇ ଚାନୁ । ଶେଷରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଆଣିଦେଲେ ନୀରଜ ଚୋପ୍ରା ।

ନୀରଜ ଚୋପ୍ରା (ସ୍ୱର୍ଣ୍ଣ ପଦକ)
ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଜକ ଜିତିଛନ୍ତି । ଟ୍ରାକ୍ ଏଣ୍ଡ ଫିଲ୍ଡ ଆଥଲେଟର ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ । ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ମିଟର ଫିଙ୍ଗିଥିଲେ । ଟୋକିଓ ଅଲିମ୍ପିକ୍ସରେ ଭରାତ ପାଇଁ ସେ ଆଣି ଦେଇଛନ୍ତି ପ୍ରଥମ ଗୋଲ୍ଡ ମେଡାଲ୍ ।

ମୀରାବାଇ ଚାନୁ (ରୌପ୍ୟ ପଦକ)
ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଇ ଚାନୁ । ପ୍ରଥମ ଦିନରେ ମେଡାଲ୍ ଜିତି ଟୋକିଓ ଅଲିମ୍ପିକ୍ସର ଭାରତର ଖାତା ଖୋଲିଥିଲେ । ୪୯ କିଲୋଗ୍ରାମ ବର୍ଗରେ ସଫଳତା ହାସଲ କରିଥିଲେ ମୀରାବାଇ ଚାନୁ । ମୋଟ୍ ୨୦୨ କିଲୋ ଓଜନ ଉଠାଇ ନିଜ ନାଁରେ କରିଥିଲେ ରୌପ୍ୟ ପଦକ ।

ରବି ଦହିୟା (ରୌପ୍ୟ ପଦକ)
ମୀରାବାଇ ଚାନୁଙ୍କ ପରେ ଭାରତ ପାଇଁ ଦ୍ୱିତୀୟ ରୌପ୍ୟ ପଦକ ଜିତିଥିଲେ କୁସ୍ତିଯୋଦ୍ଧା ରବି କୁମାର ଦହିୟା । ୫୭ କିଲୋ ବର୍ଗ କୁସ୍ତିଯୋଦ୍ଧାରେ ତାଙ୍କ ପାଖରୁ ସ୍ୱର୍ଣ୍ଣ ପଦକ ଆଶା କରାଯାଉଥିଲା । କିନ୍ତୁ ଫାଇନାଲରେ ସେ ବିଜୟୀ ହୋଇ ପାରିନଥିଲେ । ରୌପ୍ୟ ଜିତିଥିଲେ ରବି କୁମାର ।

ପି. ଭି. ସିନ୍ଧୁ (ବ୍ରୋଞ୍ଜ ପଦକ)
ଭାରତର ସଟଲକ କୁଇନ୍ ପି. ଭି. ସିନ୍ଧୁ ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ହୋଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ । ବ୍ରୋଞ୍ଚ ମେଡାଲ୍ ମ୍ୟାଚରେ ଚୀନ ଖେଳାଳିଙ୍କୁ ହରାଇ ପଦକ ନିଜ ନାଁରେ କରିଥିଲେ ସିନ୍ଧୁ ।

ଲଭଲିନା ବୋରଗୋହେନ (ବ୍ରୋଞ୍ଜ ପଦକ)
ଟୋକିଓ ଅଲିମ୍ପିକ୍ସ ବକ୍ସିଂରେ ଭାରତକୁ ପଦକ ଭେଟି ଦେଇଛନ୍ତି ମହିଳା ବକ୍ସର ଲଭଲିନା ବୋରଗୋହେନ୍ । ବ୍ରୋଞ୍ଜ ପଦକ ଜିତିଛନ୍ତି । ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ଲଭଲିନା ସେମିରେ ପରାଜୟର ସାମନା କରିଥିଲେ । ତଥାପି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି ଲଭଲିନା ।

ବଜରଙ୍ଗ ପୁନିଆ (ବ୍ରୋଞ୍ଜ ପଦକ)
ଚଳିତ ଅଲିମ୍ପିକ୍ସରେ କୁସ୍ତିଯୋଦ୍ଧାରେ ଭାରତକୁ ମିଳିଛି ଦୁଇଟି ପଦକ । ରବି କୁମାରଙ୍କ ସହ ବଜରଙ୍ଗ ପୁନିଆ ବି ପଜକ ଆଣିଛନ୍ତି । ୬୫ କିଲୋଗ୍ରାମ୍ ବର୍ଗରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି । ତାଙ୍କ ବିଜୟ ସହ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା ।

ପୁରୁଷ ହକି ଟିମ୍ (ବ୍ରୋଞ୍ଜ ପଦକ)
ଅଲିମ୍ପିକ୍ସ ହକିରେ ୪୧ ବର୍ଷ ପରେ ପଦକ ଜିତିଲା ଭାରତୀୟ ପୁରୁଷ ହକି ଟିମ୍ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲା ଟିମ୍ ଇଣ୍ଡିଆ । ପୂର୍ବରୁ ୧୯୮୦ରେ ବାସୁଦେବନ୍ ଭାସ୍କରଙ୍କ ନେତୃତ୍ୱରେ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ଚଳିତ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ଭାରତ । ସେହିପରି ମହିଳା ହକି ଟିମ୍ ବି ଟୋକିଓ ଅଲିମ୍ପିକ୍ସରେ ଅଳ୍ପକେ ବ୍ରୋଞ୍ଜ ମେଡାଲରୁ ଦୂରରେ ରହିଗଲା ।

Leave A Reply

Your email address will not be published.