Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ପୁଣି ଭିଜିବ ଓଡ଼ିଶା । ୧୩ରୁ ବଢ଼ିବ ବର୍ଷା । ଲଘୁଚାପ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଲାଗି ରହିଛି । ଅବପାତ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ପ୍ରଭାବରେ ଆଜି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅଗଷ୍ଟ ୧୩ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

୨) ନୂଆପଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ସାରାବଙ୍ଗ ନିକଟ ପାୱାରତଲା ଠାରେ ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଫଳରେ ୩ଟି ପଞ୍ଚାୟତର ପାଖାପାଖି ୩୦ଟି ଗାଁ ସହ ପଡ଼ୋଶୀ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲା ପ୍ରଶାସନ ସହ ବିଭାଗୀୟ ଅଧିକାରୀ, ନୂଆପଡ଼ା ବିଧାୟକ ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ବ୍ରିଜ୍ ଭୁଶୁଡ଼ି ଥିବା ସ୍ଥାନ ପରିଦର୍ଶନ କରିଛନ୍ତି । ଲୋକଙ୍କ ଗମନାଗମନ ସୁବିଧା ପାଇଁ ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ।

୩) ଲଗାଣ ବର୍ଷା ଯୋଗୁଁ ବ୍ୟାପିପାରେ ଝାଡ଼ାବାନ୍ତି । ଲଗାତର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ କଥା ହୋଇ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରି କହିଛନ୍ତି ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ଯାହାକୁ ନେଇ ରାଜ୍ୟରେ ଝାଡ଼ାବାନ୍ତି ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ସବୁ ଜିଲ୍ଲାର ସିଡିଏମଓଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୪) ପୁଣି ଥରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ସୁପ୍ରିମୋ । ତାଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ । ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ ।

୫) ବିହାରରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶୁକ୍ରବାର ବିହାରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଜେପି ସହିତ ମେଣ୍ଟ କରି ତିଆରି ହୋଇଥିବା ସରକାରକୁ ଭାଙ୍ଗିବା ପରେ ସେ  ଆରଜେଡି-ଏଲଇଡି ମହାଗଠବନ୍ଧନ ସାହାଯ୍ୟରେ ପୁଣି କ୍ଷମତାକୁ ଆସିଛନ୍ତି । ଏହା ମଧ୍ୟରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି କହିଛନ୍ତି ଏବେ ତିଆରି ହୋଇଥିବା ମହାଗଠବନ୍ଧନ ସରକାର ତାର ୨୦୨୫ରେ କାର୍ଯ୍ୟକାଳ ସରିବା ପୂର୍ବରୁ ଧରାଶାୟୀ ହେବ ।

୬) ପାରାଦୀପ ପୋର୍ଟ କନଭେୟର ବେଲ୍ଟ ମରାମତି ନାଁରେ ୨୫ ଲକ୍ଷ ଲାଞ୍ଚ ଘଟଣାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ବୁଧବାର ସମସ୍ତଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ଗିରଫଙ୍କ ମଧ୍ୟରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଅଛନ୍ତି । ବୁଧବାର ସକାଳୁ ସମସ୍ତ ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଆଣିଥିଲା ସିବିଆଇ ।

୭) ଡାକ ସେବାକୁ ଘରୋଇକରଣ ଆଦି ୨୦ ଦଫା ଦାବିରେ ଅଖିଳ ଭାରତ ଡାକ କର୍ମଚାରୀ ସଂଘ ଡାକରାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ କର୍ମଚାରୀ । ଫଳରେ ଢେଙ୍କାନାଳ ଜିଲ୍ଲାବ୍ୟାପୀ ଡାକ ଘର ବନ୍ଦ ରହିଥିବା ବେଳେ ଡାକ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଆନ୍ଦୋଳନରେ ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସମସ୍ତ ଡାକ କର୍ମଚାରୀ ସାମିଲ ହୋଇଛନ୍ତି । ଡାକ ସେବାକୁ ଘରୋଇକରଣ ନକରିବା, ବକେୟା ପେନସନ ପ୍ରଦାନ, ଖାଲିଥିବା ଡାକ କର୍ମଚାରୀ ପଦବୀ ପୂରଣ ଆଦି ୨୦ ଦଫା ଦାବି ପୂରଣ ପାଇଁ ଅଡି ବସିଛନ୍ତି ଡାକ କର୍ମଚାରୀ ।

୮) ଖାଉଟିଙ୍କ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ । ଖାଇବା ତେଲର ଅହେତୁକ ଦର ବୃଦ୍ଧି ପରେ ଏବେ ଡାଲି ଦର ବଢ଼ିବାରେ ଲାଗିଛି । ଗତ ୬ ସପ୍ତାହ ଧରି ହରଡ଼ ଡାଲି ଏବଂ ବିରି ଡାଲିର ଦାମ୍‌ରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଏହାର ବଡ଼ କାରଣ ଫସଲ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେତୁ କ୍ଷତିର ଆଶଙ୍କା ଏବଂ ଖରିଫ୍‌ ଋତୁରେ କମ୍‌ ମହଜୁଦ୍‌ କମ୍‌ ଥିବା କୁହାଯାଉଛି ।

୯) ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହୋଇଛି । ଏହାକୁ ମାନ୍ଦାବସ୍ଥାର ପ୍ରଭାବ ବୋଲି କୁହାଯାଉଛି । ମାନ୍ଦାବସ୍ଥା ଯୋଗୁ ଆମେରିକା ସମେତ ବୃହତ୍ତ ମହାଶକ୍ତିମାନେ ପେଟ୍ରୋଲିୟମ ପଦାର୍ଥର ଖର୍ଚ୍ଚ ହ୍ରାସ କରିଛନ୍ତି । ଫଳରେ ବଜାରରେ ଚାହିଦା ନଥିବାରୁ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଛି । ତଥ୍ୟ ଅନୁସାରେ ଗତ ସପ୍ତାହରେ ଆମେରିକାର ଅଶୋଧିତ ତୈଳ ଡିପୋଜିଟ୍ ଢେର ବଢି ଯାଇଛି। ଏଣୁ ଚାହିଦା ହ୍ରାସ ହୋଇଥିବା କୁହାଯାଇଛି ।

୧୦) ରେଳ ମନ୍ତ୍ରଣାଳୟ ସହ ଜଡିତ ସଂସଦୀୟ କମିଟି ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ତତ୍କାଳ ରିହାତି ପ୍ରଦାନ କରିବା ପାଇଁ ସୁପାରିସ କରିଛି । କମିଟି ଅନୁସାରେ, ଅତି କମରେ ସ୍ଲିପର ଏବଂ ଥାର୍ଡ ଏସି କୋଚରେ ପୁଣି ଥରେ ଏହାକୁ ଲାଗୁ କରାଯିବା ଦରକାର । ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଲୱେ ପକ୍ଷରୁ ୪୦ରୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା, କିନ୍ତୁ କରୋନା ମହାମାରୀ ପରେ ଏହାକୁ ବନ୍ଦ କରି ଦିଆଯାଇଛି ।

୧୧) ବଦଳିବ ଅଗ୍ନିଶମ ବାହିନୀ ନାଁ । ଅଗ୍ନିଶମ ନାଁ ପରିବର୍ତ୍ତେ ଅଗ୍ନିଶମ ଏମର୍ଜେନ୍ସି ବିଭାଗ ରଖାଯିବ । ରାଜ୍ୟ ସରକାର ଅଗ୍ନିଶମ ବିଭାଗ ପାଇଁ ୪୦୦ କୋଟିର ଖର୍ଚ୍ଚ ପାଇଁ ଆକଳନ କରିଛନ୍ତି । ତେବେ କେନ୍ଦ୍ର ଅଗ୍ନିଶମ ବିଭାଗକୁ ରାଜ୍ୟ ଅଗ୍ନିଶମ ବିଭାଗର ଉନ୍ନତିକରଣ ପାଇଁ ୨୪୬ କୋଟି ପ୍ରଦାନ ପାଇଁ ଏକ ଚିଠା ପ୍ରସ୍ତୁତ କରାଯାଇଛି । ଆଗକୁ ଅଗ୍ନିଶମ ବିଭାଗ କେବଳ ନିଆଁ ଲିଭା ନୁହେଁ ଏନଡିଆରଏଫ କରୁଥିବା କାର୍ଯ୍ୟ ଠାରୁ ଅଧିକ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

୧୨) ଆଇସିସି ପକ୍ଷରୁ ଜୁଲାଇ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀଲଙ୍କାର ପ୍ରତିଭାବାନ ସ୍ପିନର ପ୍ରବଥ ଜୟସୂରିଆ ଓ ଇଂଲଣ୍ଡର ମହିଳା କ୍ରିକେଟ୍‌ର ଇମା ଲ୍ୟାମ୍ବ ଏହି ପୁରସ୍କାର ପାଇଛନ୍ତି । ଜୟସୂରିୟା ଇଂଲଣ୍ଡର ଷ୍ଟାର୍‌ ବ୍ୟାଟର ଜନି ବେୟାରଷ୍ଟୋ ଓ ଫ୍ରାନ୍ସର ଗୌସ୍ତଭ ମ୍ୟାକ୍‌କିଓନଙ୍କୁ ପଛରେ ପକାଇ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ଗତମାସ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ପ୍ରଥମ ଟେଷ୍ଟର ଉଭୟ ଇନିଂସ୍‌ରେ ୧୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ।

୧୩) ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ ହୋଇ ଯାଇଛି । ୬୫ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଓଡ଼ିଆ ଫିଲ୍ମ ସହ ସେ ଅନେକ ମେଗା ସିରିଏଲରେ ସଂଳାପ ରଚନା କରିଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

୧୪) ଜଣାଶୁଣା କମେଡିଆନ୍ ରାଜୁଙ୍କ ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କ ଭାଇ ଓ ରାଜୁଙ୍କ ପିଆରଓ ଏନେଇ ସ୍ପଷ୍ଟ କରିଛନ୍ତି । ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ ।

୧୫) ଟେଲି ଅଭିନେତା ଧୀରଜ ଧୋପରଙ୍କ ଘରକୁ ଆସିଛି କୁନି ଅତିଥି । ଧୀରଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଭିନି ଆରୋରା ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଧୀରଜ ଧୋପର ଏବଂ ଭିନି ଆରୋରା ଏକ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି ।

Leave A Reply

Your email address will not be published.