Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍

 

 

 

୧) ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆରୁ ବର୍ଷା ଲାଗି ରହିଛି । ତଳିଆ ଅଞ୍ଚଳରେ ସାମୟିକ ଭାବେ ବର୍ଷା ଜଳ ଜମିବା ଦେଖିବାକୁ ମିଳିଛି । ଅଣ୍ଡରପାସ ରୋଡରେ ବର୍ଷା ଜଳ ଜମିବା ସହ ଯାତାୟାତରେ ସମସ୍ୟା ଉପୁଜିଛି । ୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୭ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

୨) ଅନ୍ୟପଟେ ଗୋଦାବରୀର ପଛୁଆ ପାଣି ଯୋଗୁଁ ମାଲକାନଗିରିର ମୋଟୁରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି । ମୋଟୁ ବ୍ଲକରେ ଗୋଦାବରୀର ବନ୍ୟାଜଳ ପଶିଛି । ଜଳସ୍ତର ବଢୁଥିବାରୁ ମୋଟୁର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ମୋଟୁ ଗ୍ରାମର ଅଧିକାଂଶ ଅଞ୍ଚଳ ପାଣିରେ ବୁଡି ରହିଛି । ଗତ ୪ ଦିନ ଧରି ମାଲକାନଗିରିରେ ଲଗାଣ ବର୍ଷା ହେଉଛି । ଗୋଦାବରୀର ପଛୁଆ ପାଣି ଯୋଗୁଁ ଶାଖା ନଦୀ ସାବରୀ ଓ ସିଲେରୁରେ ଜଳସ୍ତର ବଢ଼ି ଏହାର ଆଖପାଖ ଅଞ୍ଚଳ ଜଲମଗ୍ନ ହୋଇଥିବା ବେଳେ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପ୍ରଭାବିତଙ୍କୁ ରିଲିଫ କ୍ୟାମ୍ପରେ ଥଇଥାନ କରିଛି ।

୩) ଆସନ୍ତା ୧୮ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ଦିନ ୧୧ଟାରେ ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ତଳମୁଣ୍ଡରେ ଥିବା ୧୨ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବ । ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୭୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୩୧ ହଜାର ୮୪୭ କ୍ୟୁସେକ୍ ଜଳ ।

୪) ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ରେଡ୍ ଜୋନକୁ ଆସୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲା । ଗତକାଲି ୧୦୪୩, ଆଜି ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରେ । ଅନ୍ୟପଟେ ରାଜ୍ୟରେ ଟେଷ୍ଟ ପଜିଟିଭିଟ୍ ରେଟ୍ ବୃଦ୍ଧି ପାଉଛି । ରାଜ୍ୟରେ ଟିପିଆର୍ ୫ ପ୍ରତିଶତ ଉପରେ ରହିଛି । ଗତ ୨୪ ଘଣ୍ଟାରେ ଆଉ ୧୦୬୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ପରେ ରେଡ୍ ଜୋନକୁ ଆସିଛି ରାଜ୍ୟର ୫ ଜିଲ୍ଲା । ଦିନକରେ ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩୫, ସୁନ୍ଦରଗଡ଼ରୁ ୧୧୧ ସଂକ୍ରମଣ ମାମଲା ଆସିଛି । ଲଗାତାର ଦ୍ୱିତୀୟ ଦିନରେ ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୩୭୬କୁ ବୃଦ୍ଧି ପାଇଛି ।

୫) ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଉଠିଛି । ଆଜି ଗୃହର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଖାଦ୍ୟ ଖାଇ ଲୋକଙ୍କର ମୃତ୍ୟୁ ଘଟୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ ରିପୋର୍ଟ ଆସିଥିବ । ବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ଗୃହକୁ ଆସି ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

୬) ନୂଆପଡ଼ାରେ ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ । ସେଠାରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସକାଳୁ ଜଙ୍ଗଲକୁ ଯାଇ ରତନ ନ ଫେରିବାରୁ ଖୋଜିବାକୁ ବାହାରିଥିଲେ ପରିବାରର ଅନ୍ୟ ସଦସ୍ୟ । ସେମାନଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା । ଜୀବନ ରକ୍ଷା କରିବାକୁ ଯାଇ ଲୋକେ ଭାଲୁଟିକୁ ମାରି ଦେଇଛନ୍ତି ।

୭) ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲଗାତାର ୨ଦିନ ଧରି ପ୍ରଶ୍ନପତ୍ର ଲିକ୍ କର୍ତ୍ତୃପକ୍ଷଙ୍କୁ ଅଡ଼ୁଆରେ ପକାଇଛି । ପରୀକ୍ଷା ନିୟନ୍ତ୍ରକଙ୍କ ପାରିବା ପଣିଆ ପଦାରେ ପଡ଼ିଥିବା ବେଳେ କିଏ ପ୍ରଶ୍ନପତ୍ର ଲିକ୍ କଲା ତାକୁ ନେଇ ଅନ୍ଧାରରେ ବାଡି ବୁଲାଇଛନ୍ତି କର୍ତ୍ତୃପକ୍ଷ । ବାରମ୍ବାର ଅପିଲ ପରେ ଥାନାରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ୨ ପ୍ରଫେସରଙ୍କୁ ଡାକି ନିଜର ପକ୍ଷ ରଖିବା ପାଇଁ କହିଛନ୍ତି କର୍ତ୍ତୃପକ୍ଷ । ହେଲେ ସତରେ ଦୋଷୀ ଧରାପଡିବେ ନା ଅନ୍ୟ କାହାକୁ ଫସାଇ ଦିଆଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

୮) ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ବିଭିନ୍ନ ରାଜ୍ୟରେ ଥିବା ବିଧାନସଭା ଏବଂ ସଂସଦରେ ବିଧାୟକ ଓ ସାଂସଦମାନେ ଭୋଟ୍ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ବିଧାୟକ ଓ ସାଂସଦମାନେ ନିଜ ନିଜ ରାଜ୍ୟରେ ଥିବା ବିଧାନସଭା ଏବଂ ସାଂସଦ ସଂସଦରେ ଭୋଟ୍ ଦେଇ ପାରିବେ । ସେପଟେ ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଯଶବନ୍ତ ସିହ୍ନାଙ୍କୁ କଂଗ୍ରେସ ଭୋଟ୍ ଦେବ । ସେ ବିଜୟୀ ହେବେ କି ପରାଜୟ ତାହା ପରବର୍ତ୍ତୀ କଥା ବୋଲି ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୁହାଯାଇଛି ।

୯) ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ଆପ୍ । ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏନେଇ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବୈଠକ ଡାକିଥିଲେ । ଏହି ବୈଠକରେ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ, ସଞ୍ଚୟ ସିଂ, ଗୋପାଲ ରାୟ, ରାଘବ ଚଡ୍ଢା, ଇମରାନ ହୁସୈନଙ୍କ ସମେତ ଆପ୍ର ୧୧ ସଦସ୍ୟ ସାମିଲ ଥିଲେ । ବୈଠକ ପରେ ସାଂସଦ ସଞ୍ଜୟ ସିଂ ଗଣମାଧ୍ୟମକୁ ଆପ୍ ନିଷ୍ପତ୍ତି ଜଣାଇଛନ୍ତି ।

୧୦) ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏ ନେଇ ସେ ଫେସବୁକରେ ଏକ ପୋଷ୍ଟ କରିଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦରୁ ଉଠନ୍ତୁ ବୋଲି ଉଲ୍ଲେଖ କରିଛନ୍ତି। ସରକାରଙ୍କ ନିଦ ନ ଭାଙ୍ଗିଲେ ଅର୍ଥବ୍ୟବସ୍ଥା ଭୁଶୁଡି ପଡିବ ବୋଲି କହିଛନ୍ତି । ନଚେତ ସରକାରଙ୍କ ଅପାରଗତାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡିବ ବୋଲି ସତର୍କ କରିଛନ୍ତି। ଇତିହାସରେ ପ୍ରଥମ ଥର ଆମେରିକୀୟ ଡଲାର ତୁଳନାରେ ଟଙ୍କା ସବୁଠୁ ଦୁର୍ବଳ ସ୍ଥିତିକୁ ପହଞ୍ଚିଛି । ଗୋଟିଏ ଡଲାର ଏବେ ୮୦ ଟଙ୍କାକୁ ପହଞ୍ଚିବା ଦେଶର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଇଙ୍ଗିତ କରୁଥିବା ରାହୁଲ ଗାନ୍ଧୀ କହିଛନ୍ତି ।

୧୧) ବ୍ରିଟେନରେ ପ୍ରଧାନମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ଋଷି ସୁନାକ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଋଷି ସୁନାକଙ୍କ ବିରୋଧରେ ସମର୍ଥକଙ୍କ ଯୋଗାଡ କରିବାରେ ଲାଗି ପଡ଼ିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ସେ ତାଙ୍କ ସମର୍ଥକଙ୍କୁ କାହାକୁ ସମର୍ଥନ ନକରିବାକୁ ଉସକାଉଛନ୍ତି । ସେ କହୁଛନ୍ତି ଆଉ ଯିଏ ହେଉ ପଛେ ଚଳିବ କିନ୍ତୁ ସୁନାକ ନୁହେଁ । ଜୁଲାଇ ୭ରେ ଶାସକ କନଜରଭେଟିବ୍ ଦଳର ନେତା ଭାବେ ଇସ୍ତଫା ଦେଇଥିବା ଜନସନ ତାଙ୍କ ନେତାଙ୍କ ସହ ସାକ୍ଷାତ କରି ସୁନାକଙ୍କୁ ସମର୍ଥନ ନକରିବାକୁ କହିଛନ୍ତି । ଟାଇମ୍ସ ରିପୋର୍ଟ ଅନୁଯାୟୀ ଜନସନ ଋଷିଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ପାଇଁ ତାଙ୍କ ବିରୋଧରେ ଚକ୍ରାନ୍ତ କରଥିବା ଅଭିଯୋଗ କରିଛନ୍ତି ।

୧୨) ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ରାଜପକ୍ଷେ ପରିବାରକୁ ଆଉ ଏକ ଝଟକା ଲାଗିଛି । ପୂର୍ବରୁ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ରାଷ୍ଟ୍ରପତି ପଦରେ ଥାଇ ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାୟନ କରିଥିଲେ । ଏବେ ସୁପ୍ରିମକୋର୍ଟ ନୂଆ ଆଦେଶରେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଏବଂ ପୂର୍ବତନ ଅର୍ଥ ମନ୍ତ୍ରୀ ବେସିଲ ରାଜପକ୍ଷେ ଦେଶ ଛାଡ଼ି ଯାଇ ପାରିବେ ନାହିଁ । ବେସିଲ ରାଜପକ୍ଷେ ମହିନ୍ଦ୍ରାଙ୍କ ଭଲି ବିମାନବନ୍ଦର ଦେଇ ଦେଶ ବାହାରକୁ ପଳାୟନ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଯାତ୍ରୀମାନଙ୍କ ହଙ୍ଗାମା କାରଣରୁ ବିମାନବନ୍ଦରରୁ ଫେରିଯିବାକୁ ପଡିଥିଲା । ଅନ୍ୟପକ୍ଷରେ ଗତ କିଛିଦିନ ହେବ ମହିନ୍ଦ୍ରା ରାଜପକ୍ଷେଙ୍କ ଠିକଣା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।

୧୩) ଶନିବାର ମେକ୍ସିକୋ ସିନାଲୋଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମେକ୍ସିକୋ ନୌସେନାର ହେଲିକପ୍ଟର ବ୍ଲାକ୍ ହକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ କଣ ଜଣାପଡିନାହିଁ । ସୂଚନା ଅନୁଯାୟୀ, ମେକ୍ସିକୋ ନୌସେନାର ହେଲିକପ୍ଟର ବ୍ଲାକ୍ ହକ୍ ସାଇନାଲୋଆର ଲସ୍ ମୋଚିସରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ନୌସେନା ଏକଥା ସ୍ପଷ୍ଟ କରିଛି । ଗତ ଶୁକ୍ରବାର ନୌସେନା ଅପରେସନ କରି କୁଖ୍ୟାତ ଡ୍ରଗ ବ୍ୟବସାୟୀ ରାଫେଲ କାରୋ କ୍ୟୁଣ୍ଟେରୋକୁ ଧରିଥିଲା । ପରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ହେଲିକପ୍ଟର ଦୁର୍ଘଟଣା ସହ ଡ୍ରଗ୍ସ ନେଟଓ୍ବର୍କର ସମ୍ପର୍କ ରହିଥିବା ଆଶଙ୍କା କରାଯାଉଛି ।

୧୪) ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ଟି୨୦ ବିଶ୍ୱକପ । ଶନିବାର ନେଦରଲାଣ୍ଡ ଓ ଜିମ୍ବାୱେ କ୍ୱାଲିଫାଇ କରିବା ପରେ ୧୬ ଟିମ ଚୂଡାନ୍ତ ହୋଇଛି । ଭାରତ ସମେତ ୮ ଟିମ ସୁପର ୧୨ରେ ଖେଳିବେ । ଅନ୍ୟ ୮ ଟିମରୁ ୪ଟି ପ୍ରଥମ ରାଉଣ୍ଡ ପରେ ସୁପର ୧୨ରେ ପହଞ୍ଚିବେ । କ୍ୱାଲିଫାୟର ସେମିଫାଇପାଲରେ ଜିମ୍ବାୱେ ଓ ନେଦରଲାଣ୍ଡ ବିଜୟ ହାସଲ କରିଥିଲେ । ପୂର୍ବରୁ ଆୟର୍ଲାଣ୍ଡ ଓ ୟୁଏଇ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ଅକ୍ଟୋବର ୧୬ରୁ ବିଶ୍ୱକପ ଆରମ୍ଭ ହେବ । ଭାରତ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଅକ୍ଟୋବର ୨୩ରେ ଭେଟିବ ।

୧୫) ବଲିଉଡର ବାର୍ବିଡଲ୍ ଭାବେ ବେଶ୍ ପରିଚିତ କ୍ୟାଟ୍ରିନା କୈଫ୍ । କ୍ୟାଟ୍ରିନା ୧୬ ଜୁଲାଇ ୧୯୮୩ରେ ହଂକଂରେ ଜନ୍ମଗ୍ରହଣ କରିଥିଲେ। ମୂଳତଃ ବ୍ରିଟିଶ ମଡେଲ ଏବଂ ଅଭିନେତ୍ରୀ ‘ବୁମ୍’ ଚଳଚ୍ଚିତ୍ର ସହିତ ହିନ୍ଦୀ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ବଲିଉଡର ସର୍ବୋଚ୍ଚ ଅଭିନେତ୍ରୀରେ ସ୍ଥାନ ପାଇଥିବା କ୍ୟାଟ୍ରିନାଙ୍କ ନାଁ ସଲମାନ ଏବଂ ରଣବୀର କପୁରଙ୍କ ଯୋଡି ହୋଇ ରହିଛି। କିନ୍ତୁ କ୍ୟାଟ୍ରିନା ଅଭିନେତା ବିକି କୌଶଲଙ୍କୁ ତାଙ୍କ ଜୀବନ ସାଥୀ ଭାବେ ବାଛି ଖୁସି ଜୀବନ ବିତାଉଛନ୍ତି । କ୍ୟାଟ୍ରିନା ଆଜି ବିକିଙ୍କ ସହ ମାଲଦ୍ୱୀପରେ ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି।

Leave A Reply

Your email address will not be published.