Latest Odisha News

BREAKING NEWS

ଶାଢୀରେ ଚମକୁଛି ଓଡିଶାର ସଂସ୍କୃତି, ବୋଇତ ବନ୍ଦାଣ ଡିଜାଇନ କରି ଚର୍ଚ୍ଚାରେ ବାନ୍ଧଶିଳ୍ପୀ

ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ କାରିଗରଙ୍କ ହାତବୁଣା ଲୁଗା ଏବେ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ବେଳେ ପୁଣି ଏବେ ଚର୍ଚ୍ଚାରେ ବୁଣାକାର l ସଂସ୍କୃତି ଓ ପରମ୍ପରାକୁ ଶାଢିରେ ସ୍ଥାନ ଦେଇ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି କାରିଗର l

ସୋନପୁର: ଯୁଗ ବଦଳିଛି ତା ସହ ବଦଳିଛି ଲୋକଙ୍କ ରୁଚି । ଲୋକଙ୍କ ରୁଚି ଅନୁସାରେ କାରିଗରମାନେ ମଧ୍ୟ  ନିଜର ଯାଦୁକରୀରେ କରିଥାନ୍ତି କଳାର ନିଦର୍ଶନ l ବିଶେଷ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ରହିଥିବା ବାନ୍ଧ ଶିଳ୍ପୀମାନେ ସମୟ ସହ ତାଳ ଦେଇ କରିଥାନ୍ତି ନୂତନ ନୂତନ ଡିଜାଇନ l ତେବେ ଏଭଳି ଏକ ଡିଜାଇନ କରି ପୁଣି ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ l

ଐତିହ୍ୟ, କଳା ଓ ସଂସ୍କୃତିର ମାଟି ଓଡ଼ିଶା l ଏଠାକାର ସଂସ୍କୃତି ଓ ପରମ୍ପରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଅର୍ଜନ କରିଛି  l ସେଥି ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପାଳିତ ହେଉଥିବା ବୋଇତ ବନ୍ଦାଣ ହେଉଛି ଅନ୍ୟତମ  l ତେବେ ଏହି ପ୍ରାଚୀନ ପରମ୍ପରାର ଚିତ୍ର ସବୁକୁ ଶାଢି ଦେହରେ ବୁଣି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମର  ବାନ୍ଧଶିଳ୍ପୀ ମଙ୍ଗୁଳୁ ମେହେର l ବାନ୍ଧ ମାଧ୍ୟମରେ ନିଜେ ଡିଜାଇନକୁ ସ୍ଥାନ ଦେଇଥିବାବେଳେ ଅକ୍ଲାନ୍ତ ପରିଶ୍ରମ କରି ବୁଣୁଛନ୍ତି ଏହି ଶାଢୀ  l ଯାହାକୁ ନେଇ ସେ ରାଜ୍ୟ ସରକାରଙ୍କଠାରୁ ପୁରସ୍କାର ମଧ୍ୟ ପାଇଛନ୍ତି l ଯାହାକୁ ନେଇ  ବେସ ଖୁସି ଅନୁଭବ କରିଛନ୍ତି ପରିବାର ଲୋକ ।

ମଙ୍ଗୁଳୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ଶାଢୀ ଦେହରେ ରହିଛି ଆ, କା ମା ବୈ ଲେଖା ସହିତ ସାଧବ ପୁଅ ମାନଙ୍କ ଯାତ୍ରା ଓ ସାଧବ ବୋହୁ ମାନଙ୍କ ବନ୍ଦାଣର ପ୍ରତିଛବି l ଯାହାକୁ ଶାଢିରେ ଦେଖିଲେ ପୁରୁଣା ସ୍ମୃତି ସବୁ ମନେ ପଡ଼ିଯାଏ l ତେବେ ଏହି ଡିଜାଇନକୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଥିଲେ l ପରେ ମଙ୍ଗୁଳୁଙ୍କ ପୁରା ପରିବାର ଏଥିରେ ନିୟୋଜିତ ହେବା ସହ ଅକ୍ଲାନ୍ତ ପରିଶ୍ରମ କରି ଶାଢିବୁଣାକୁ ଶେଷ କରିଛନ୍ତି । ଏବେ ଏହି ଶାଢି ବଜାରରେ ମିଳୁଥିବା ବେଳେ ଏହାର ଦାମ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଥିବା ଜଣାପଡିଛି  l ଓଡ଼ିଶା ବାସୀ  ପାଳନ କରୁଥିବା ପରମ୍ପରାକୁ ଶାଢିରେ ସ୍ଥାନ ଦେଇ ନୁଆଁ ପରିଚୟ ସୃଷ୍ଟି କରିଛନ୍ତି ଏହି ବାନ୍ଧଶିଳ୍ପୀ l ଯାହାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ।

Leave A Reply

Your email address will not be published.