Latest Odisha News

BREAKING NEWS

ପାରାଦୀପ ବନ୍ଦର ଦେଇ ହେଉଛି ଡ୍ରଗ୍ସ କାରବର ! ଇଣ୍ଡୋନେସିଆରୁ ଆସି ଡେନମାର୍କ ଯାଇଥାନ୍ତା ୨୨୦ କୋଟିର କୋକେନ

ପାରାଦୀପ:ବଢୁଛି ବ୍ରାଉନସୁଗର କାରବାର । ଏହି ନିଶା କାରବାରର ଚେର ରାଜ୍ୟରୁ ବିଦେଶ ଯାଏ ଲମ୍ବିଛି । ଇଣ୍ଡୋନେସିଆଠାରୁ ଓଡ଼ିଶା ପୁଣି ଓଡ଼ିଶାରୁ ଡେନମାର୍କ ଦେଇ ଚାଲିଛି ଏହି କାରବାର । ହେଲେ କାହାରି ନଜରକୁ ଆସୁନି ।  ପାରାଦୀପ ବନ୍ଦର ଦେଇ କୋଟି କୋଟି ଟଙ୍କାର କୋକେନ କାରବାର ହେଉଛି । ଗତକାଲି  ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ବିପୁଳ ପରିମାଣର କୋକେନ ଜବତ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି  ।

ପାରାଦୀପରେ ନଙ୍ଗର ପକାଇଥିବା MV DEBI PANAMA ଜାହାଜରୁ ଜବତ ହୋଇଥିଲା ୨୨ଟି ପ୍ୟାକେଟ । ଏଥିୂରେ ଥିଲା ୨୦ କେଜିର କୋକେନ  । ଏହାର ମୂଲ୍ୟ ୨୨୦ କୋଟି ହେବ ବାେଲି ଅନୁମାନ କରାଯାଉଛି ।  ଜାହାଜଟି ଇଣ୍ଡୋନେସିଆରୁ ଆସିିଥିଲା । ଭାୟା ପାରାଦୀପ ଦେଇ ଡେନମାର୍କ ଯାଇଥାନ୍ତା । ହେଲେ କିଏ ପଠାଇଥିଲା ଏହି ନିଷିଦ୍ଧ ଡ୍ରଗ୍ସ ? କୁଆଡେ ଯାଇଥାନ୍ତା ? ଏ ନେଇ କଷ୍ଟମ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି ।

ପାନାମା ରେଜିଷ୍ଟ୍ରେସନ ଏହି ଜାହାଜ ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଷ୍ଟିଲ ବୋଝେଇ କରି ପାରାଦୀପ ଅଭିମୁଖେ ଆସିଥିଲା । ଏହାର ସମସ୍ତ କ୍ରିୟୁ ମେମ୍ବର ଭିଏତନାମ ସହରର ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଏହି ଜାହାଜ ରୁ କୋକେନ ଜବତ ହୋଇଥିବା ବେଳେ ସମସ୍ତ କ୍ରିୟୁ ମେମ୍ବରଙ୍କ ସହ ଜାହାଜର କ୍ୟାପଟେନଙ୍କୁ ପଚରା ଉଚରା ଚାଲିଛି ।

ଡ୍ରଗ୍ସ କାରବାର ସମ୍ପର୍କରେ କାଳେ କିଏ ଯିଏ ଜାଣିବ ସେଥିପାଇଁ ସମସ୍ତ କୋକେନ ପ୍ୟାକେଟକୁ ମ୍ୟାଗନେଟ ସହାୟତାରେ ଜାହାଜର ବିଭିନ୍ନ ଅଂଶରେ ଲୁଚାଇ ରଖାଯାଇଥିଲା। ତେବେ ପାରାଦୀପ ବନ୍ଦରରେ  ପଣ୍ୟ ଲୋଡିଂ ଚାଲି ଥିବା ବେଳେ ଏହା କଷ୍ଟମ ବିଭାଗ ହାବୁଡରେ ପଡ଼ିଯାଇଥିଲା।

ଗତକାଲି ରାତିରେ ୮ ପ୍ୟାକେଟ କୋକେନ ଜବତ ହୋଇଥିବା ବେଳେ ଆଜି ଜାହାଜ ରେ ସନ୍ଧାନୀ (ସ୍ନିଫର ଡଗ) କୁକୁର ଦ୍ଵାରା ତଦନ୍ତ କରିବାପରେ ଆଜି ପୁଣି ଉକ୍ତ ଜାହାଜ ରୁ ୧୪ପ୍ୟାକେଟ ସମୁଦାୟ ୨୨ପ୍ୟାକେଟ କୋକେନ ମିଳିଛି  । ଏହାର ଆନ୍ତର୍ଜାତୀୟ  ମୂଲ୍ୟ ୨୨୦ କୋଟି ହେବ ।

ତେବେ ସବୁଠାରୁ ବଡ କଥା ହେଉଛି, ଜାହାଜ ଭିତରକୁ କାହିଁକି ଆସିଥିଲା ଏହି କୋକେନ ? କିଏ ଆଣିଥିଲା ? ଏହାର ଲକ୍ଷ୍ୟ ସ୍ଥଳ କେଉଁଠା ଥିଲା ?  ଏହି ଆନ୍ତର୍ଜାତୀୟ ଡ୍ରଗ୍ସ କାରବାର କେବେଠାରୁ ଓଡ଼ିଶା ଦେଇ କରାଯାଉଛି ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାରେ ।

Leave A Reply

Your email address will not be published.