ଭୁବନେଶ୍ବର: ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏକ ବଡ଼ ରାକେଟ୍ର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ତମଣ୍ଡୋ ଥାନା ପୋଲିସ ଆଜି ଇନଫୋଭ୍ୟାଲିରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ତୁଷାର ରଞ୍ଜନ ବାରିକ ଓ ତାର ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଘରୋଇ ଓ ବ୍ୟବସାୟିକ ବିଭିନ୍ନ ବ୍ରାଣ୍ଡ୍ର ୭୦ଟି ଚୋରା ଗ୍ୟାସ୍ ସିଲିଣ୍ଡର, ଅପରାଧରେ ବ୍ୟବହୃତ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ସହଯୋଗୀମାନେ ହେଲେ ସୋମନାଥ ପୃଷ୍ଟି, ପଲ୍ଲବ ବେହେରା, ପ୍ରମୋଦ କୁମାର ଦାସ ।
ଗିରଫ ସହଯୋଗୀମାନେ ମୁଖ୍ୟ ଅଭିଯୁକ୍ତମାନଙ୍କ ଠାରୁ ଚୋରା ସିଲିଣ୍ଡର କିଣୁଥିବା ଗ୍ୟାସ୍ ମରାମତି ଦୋକାନୀ ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ପୋଲିସ ସୂଚନାନୁଯାୟୀ, ଗତ ଅକ୍ଟୋବର ୧୭ ସନ୍ଧ୍ୟା ପ୍ରାୟ ୭ଟାରେ କଳିଙ୍ଗ ବିହାରସ୍ଥିତ ୬୯ ବର୍ଷୀୟ ଅଭିଯୋଗକାରୀ ଜାନକୀ ବଲ୍ଲଭ ମହାପାତ୍ରଙ୍କ ଘରେ ଜଣେ ଅଜଣା ଦୁର୍ବୃତ୍ତ ପଶି ଦୁଇଟି ଏଚ୍.ପି. ଗ୍ୟାସ୍ ସିଲିଣ୍ଡର ଚୋରି କରି ନେଇଥିଲା । ଏନେଇ ୧୯ ତାରିଖରେ ଥାନାରେ ଏତଲା ଦାୟର ହେବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଅଭ୍ୟାସଗତ ଚୋର ତୁଷାର ହେଲମେଟ୍ ଓ ଫେସ୍ ମାସ୍କ ପିନ୍ଧି, ଗାଡ଼ିରେ ନକଲି ନମ୍ବର ପ୍ଲେଟ୍ ଲଗାଇ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଘରୁ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିଲା। ଏହି ଚୋରା ସିଲିଣ୍ଡରଗୁଡ଼ିକୁ ସେ ତମାଣ୍ଡୋ ଏବଂ ଜଟଣୀ ଅଞ୍ଚଳରେ ଥିବା ବିଭିନ୍ନ ଗ୍ୟାସ୍ ରିପେୟାରିଂ ଦୋକାନୀଙ୍କୁ ଶସ୍ତାରେ ବିକ୍ରି କରୁଥିଲା । ପୋଲିସ ତୁରନ୍ତ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ତୁଷାର ସମେତ ଚୋରା ସିଲିଣ୍ଡର କିଣୁଥିବା ସୋମନାଥ, ପଲ୍ଲବ ଓ ପ୍ରମୋଦକୁ କାବୁ କରିଥିଲା ।
ସୂଚନାଥାଉକି, ମୁଖ୍ୟ ଅଭିଯୁକ୍ତ ତୁଷାର ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୦ଟି ଚୋରି ମାମଲା ରହିଛି ।

