Latest Odisha News

ଚାଲନ୍ତୁ ବୁଲିଯିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପଞ୍ଚଲିଙ୍ଗେଶ୍ୱର ପୀଠ

ଭୁବନେଶ୍ୱର: ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲାର ନୀଳଗିରି ପାଖରେ ଥିବା ପଞ୍ଚଲିଙ୍ଗେଶ୍ୱରରେ ଅବସ୍ଥିତ । ଏହି ଲିଙ୍ଗଗୁଡ଼ିକର ଦର୍ଶନ କରିବା ପାଇଁ ଜଣକୁ ପାହାଡ଼଼ି ଚଟାଣ ଭିତରେ ବହିଯାଇଥିବା ଝରଣା ପାଣି ଦେଇ ହାତରେ ଛୁଇଁ ଜାଣିବାକୁ ପଡ଼ିବ । ଏଠାରେ ପାହାଡ଼଼ୀ ଝରଣା ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜାପାଉଛନ୍ତି ଯାହାଙ୍କ ନାମ ଅନୁସାରେ ଏହି ଜାଗାର ନାମ ପଞ୍ଚଲିଙ୍ଗେଶ୍ୱର ହୋଇଅଛି ।

ବାଲେଶ୍ୱର ସମୁଦ୍ର ଉପକୂଳରେ ବଙ୍ଗୋପସାଗରର ବେଳାଭୂମିକୁ ସାମନ୍ତରାଳଭାବରେ କୁପାରୀ ଠାରୁ ନୀଳଗିରି ପର୍ଯ୍ୟନ୍ତ ପୂର୍ବଘାଟ ପର୍ବତମାଳା ଲମ୍ବିଆସିଛି । ୧୦୦୦ ଫୁଟ ଛୋଟ ଛୋଟ ପାହାଡ଼ “ଦେବଗିରି” ପର୍ବତମାଳାର ପଞ୍ଚେଲିଙ୍ଗେଶ୍ୱର ଏକ ଅଂଶ ବିଶେଷ । ଏହି ଶୈବପୀଠର ପାଦଦେଶରେ ଝରଣାଟିଏ ବହିଯାଇଛି । ଏହି ଜଳସ୍ରୋତ ମଧ୍ୟରେ ଅଦୃଶ୍ୟ ପାଞ୍ଚଗୋଟି ଲିଙ୍ଗ ହେଉଛନ୍ତି ପଞ୍ଚେଲିଙ୍ଗେଶ୍ୱର ପୀଠ ।

ଭକ୍ତମାନେ ଜଳସ୍ରୋତ ମଧ୍ୟରେ ପଞ୍ଚେଲିଙ୍ଗେଶ୍ୱରଙ୍କୁ ଦର୍ଶନ କରି ପୂଜାକରନ୍ତି । ପ୍ରସ୍ତର ଉପରେ ବସି ପୁଜକ ଶିବଲିଙ୍ଗ ପୂଜା କରିଥାନ୍ତି । ରାଜ୍ୟ ପର୍ଯ୍ୟଟନ ତରଫରୁ ଯାତ୍ରୀନିବାସର ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି । ସରସ୍ୱତୀ ପୂଜା ସମୟରେ ପାଞ୍ଚ ଦିନ ବ୍ୟାପୀ ମେଳା ହୁଏ । ବହୁ ଲୋକ ଏଠାକୁ ଆସି ଦେବଦର୍ଶନ କରିଥାନ୍ତି ଓ ମନୋହାରୀ ଜିନିଷ କିଣିଥାନ୍ତି । ଦେବଗିରି ପର୍ବତର ଶିଖର ଦେଶରେ ମଣ୍ଡଳେଶ୍ୱରୀ ଦେବୀସ୍ଥାନ ରହିନ୍ତି । ଏହାଙ୍କୁ ବର୍ଷାଦେବୀ ମଧ୍ୟ କହାଯାଏ ।

ବର୍ଷା ନହେଲେ ଦେବୀଙ୍କୁ ପୂଜାକଲେ ବର୍ଷା ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି । ଦେବଗିରି ପର୍ବତମାଳା ପରିବେଷ୍ଟିତ ପର୍ବତର ଶୀର୍ଷଦେଶରୁ ମଙ୍ଗଳପୁର ପ୍ରାଚୀନ ପଥ ଓ ଦୁର୍ଗପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ଜନଶୃତି ଅଛି ଯେ ପଞ୍ଚଲିଙ୍ଗେଶ୍ୱର ପାହାଡ଼ର ପାଦଦେଶରୁ ଏହି ସୁଡଙ୍ଗ ରହିଛି ।

ପଞ୍ଚଲିଙ୍ଗେଶ୍ୱରଙ୍କର ଅବିର୍ଭାବ ଓ ମହିମା ବିଷୟରେ ବହୁ କିମ୍ବଦନ୍ତୀ ଓ କାହାଣୀ ପ୍ରଚଳିତ ଅଛି । ପ୍ରବାଦ ଅଛି ପାଣ୍ଡବ ମାନେ ଅଜ୍ଞାତବାସ ସମୟରେ ପାଞ୍ଚ ଟି ଶିବ ଲିଙ୍ଗ ପ୍ରତିଷ୍ଠା କରି ପୂଜା କରୁଥିଲେ । ସେହିଦିନ ଠାରୁ ଏହି ପାଞ୍ଚ ଗୋଟି ଶିବ ଲିଙ୍ଗ ପଞ୍ଚଲିଙ୍ଗେଶ୍ୱର ନାମରେ ପୂଜା ପାଇଆସୁଛନ୍ତି ।

ଏହି ପୀଠର ଆଉ ଏକ ପ୍ରମୁଖ ଆକର୍ଷଣ ହେଲା ଦେବଗିରି ପର୍ବତମାଳା । ଦେବଗିରିର ଯାଦୁଗରୀ ସୌନ୍ଦର୍ଯ୍ୟ, ପ୍ରକୃତିପ୍ରେମୀ ଓ ତୀର୍ଥ ଯାତ୍ରୀଙ୍କୁ ବହୁ ଦୂରରୁ ଟାଣିଆଣେ । ଏଠାକାର ଶାନ୍ତ ବାତାବରଣ, ବନଭୂମିର ବିଜନ ମାଧୁରୀ, ପାହାଡ଼ ଶଯ୍ୟାରେ ଢେଉ ଭାଙ୍ଗି ବହିଯାଉଥିବା ଗିରି ନିର୍ଝରିଣୀର ଛନ୍ଦମୟ ସଂଗୀତ କ୍ଳାନ୍ତ ମନକୁ ସ୍ୱର୍ଗୀୟ ଆନନ୍ଦ ଦିଏ । ପାହଡର ପାଦ ଦେଶରେ ପଡିରହିଥିବା ଖୋଲା ପ୍ରାନ୍ତରେ ଟିକିଏ ସମୟ ବିତାଇବକାକ ଆଗନ୍ତୁକ ମାନେ ଛୁଟି ଆସନ୍ତି । ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଏଠାକୁ ବାରମ୍ବାର ଆସିବାକୁ ମନ ବଳାନ୍ତି ।

Leave A Reply

Your email address will not be published.