ଗଳ୍ପ:ବୋଉ ଅସୁସ୍ଥ

ସ୍ମୃତି ରଞ୍ଜନ ତ୍ରିପାଠୀ

ଧୁ ଧୁ ଖରାବେଳ, ରାସ୍ତା ଘାଟରେ କେହି କୁଆ କୋଇଲି ନାହାନ୍ତି। ରମାକାନ୍ତ ବାବୁ ବେଧଡକ ଚାଲି ଥାଆନ୍ତି ରାଜରାସ୍ତାରେ। ଆଉ କିଛି ବାଟ ପରେ ଗାଁ କୁ ପକ୍କା ସଡକ ଆସିବ। ବସରୁ ଓଲହେଇ ପୁଣି ଦୁଇ ମାଇଲ ଡାହାଣ କୁ ଗଲେ ଯାଇ ତାଙ୍କ ଗାଁ ଦିଶିବ। ଗ୍ରାମ୍ୟ ସଡକ ଯୋଜନାରେ ଆହୁରି କେତେ ଅଳି ବାକି ସେତକ ତାଙ୍କ ମୁଣ୍ଡକୁ ଜୁଟୁ ନଥିଲା। କେମିତି ଯାଇଁ ଘରେ ପହଞ୍ଚିବେ।
ଏ ସହରୀ ରାସ୍ତା ସବୁ ସେଇୟା। କୋଉଠି ବୁଦୁବୁଦିଆ କି ଝଙ୍କାଳିଆ ବରଗଛ ଟିଏ ବି ନାହିଁ, ଦଣ୍ଡେ ବିଶ୍ରାମ ପାଇଁ। ବାର୍ତ୍ତାଟା ଯେବେ ଡାକ ଯୋଗେ ପୁଣି ଟେଲିଗ୍ରାମରେ ଆସିଛି, ସେଯୋଗୁଁ ରମାନା ଭାରି ବ୍ୟସ୍ତ। ଦୁଇ ଦିନ ହେଲା ଝଡ ତୋଫାନରେ କକେଇଙ୍କ ଫୋନ ବି ଲାଗୁନି । ବୋଉ କଥା ବୁଝି ବି ହେଉନି।
ସକାଳୁ ଯେତେ ଚେଷ୍ଟା କଲେ ବି ସିଗନାଲ ମିଳୁନି।ଏମିତି ଅଜଣା ଆଶଙ୍କା ରେ ଗାଁ ମୁହାଁ ହେଲେଣି ରମାନା।
ନନା ଗଲା ଦିନଠୁ ଟିକେ ଟିକେ କଥାରେ ବୋଉ ବ୍ୟସ୍ତ ହବାଟା ଥୟ। ଗଲା ସନ ଗୁହାଳକୁ ବାଛୁରୀ ଫେରିଲାନି ସଞ୍ଜ ଯାଏଁ ଯେ ମୋତେ ଖବର ଦେବାରୁ ମୁଁ ଆସି ଗାଁ ଟା ସାରା ଖୋଜି ଖୋଜି ଗୋଟାଏ ବିଲରୁ ତଡି ତଡି ଆଣି ତାକୁ ଗୁହାଳେ ବାନ୍ଧିଲି। ଛୁଟି ଦରଖାସ୍ତ ଦେଇକି ଆସିଥିଲି ବୋଉ ଅସୁସ୍ଥ . ତୁରନ୍ତ ଯିବାକୁ ପଡ଼ିବ, ଇଆଡ଼େ ବାଛୁରୀ ଫେରାର। ଏ ବୋଉ ବି ନା, ମନେ ମନେ ରାଗ ମାଡିଲେ ବି ଏଇ ବ୍ୟସ୍ତତା କୋଉଠି ନା କୋଉଠି ଆତ୍ମୀୟତା ର ପ୍ରତ୍ୟୟଟିଏ ନିମିଷକେ ଖେଳାଇଦିଏ। ଫେରାଇ ନିଏ ବାଲ୍ୟ ସ୍ମୃତି ର ଉହାଡକୁ। ଯା ହେଲେ ମା ପରା।
ସେଇଥର କିନ୍ତୁ ଭଲକି ଦି ପଦ ଶୁଣେଇଦେଇଥିଲି। “ଆଉ ବ୍ୟସ୍ତ ହବୁନି ଟିକେ ଟିକେ କଥାରେ, ଗାଈ ବାଛୁରୀ ଏମିତି ଯିବେ ଆସିବେ, ୟା ବୋଲି ୨00କିମି ଛୁଟି ନେଇ ଆସିବି ମିଛ ଦରଖାସ୍ତ ଦେଇ। ଯଦି ନ ପାରୁଚୁ, ଦେଇଦେ ଆଉ କାହା ଜିମା, ମୋ ସାଙ୍ଗରେ ଆସେହେରି, ଏ ବୁଢ଼ୀ ବୟସରେ ଗୋବର ଖତ ସାଲୁବାଲୁ ହେଇ, ଗାଈ ବାଛୁରୀଙ୍କ ପଛେ ଗୋଡେଇଲେ କୋଉ ତତେ କଣ ମିଳିଯିବ?
ଏମିତି ବହୁ କିଛି ଭାବି ଭାବି ରମା ବାବୁଙ୍କ ମୁଣ୍ଡ ଭାରାକ୍ରାନ୍ତ ହେଉଥାଏ, ଆଉ କେତେ ବାଟ କି ଗାଁ? ହେଇ ଦିଶିଲାଣି ବୋଧେ।
ପୁଣି ମନେ ପଡ଼ିଲା, ନନା ବଞ୍ଚିଥିଲା ବେଳେ ଖଳା ବାଡିରୁ ଧାନ ଦି ଗଉଣୀ ଚୋରି ହେଇଥିଲା, ଗାଁ ଟା ସାରା ହାଲ୍କା, ଗୋବିନ୍ଦ ମାଷ୍ଟ୍ରେଙ୍କ ଖଳା ବାଡିରୁ ଧାନ ଚୋରି। ସବୁ ଖୋଜା ଖୋଜି ପରେ ଶେଷକୁ କୁଲା ବୁଲିଲା, ଖଟ ବୁଲିଲା। ମୋର ନୂଆ ନୂଆ ଚାକିରୀ। ବାପା ଶିକ୍ଷିତ, ଗୁଣି ଗାରେଡି, ତନ୍ତ୍ର ମନ୍ତ୍ର ରେ ବିଶ୍ୱାସ କରନ୍ତିନି,। ଏଣେ ବୋଉ ର ଏକା ଜିଦ୍, କୁଲା ବୁଲିବ। ଗାଁ ଲୋକ ହତାଶ ହେଲେ, ଚୋର ଧରା ପଡ଼ିଲାନି। ବୋଉର ସେଇ ଏକା କଥା, ସେ ଶୁଣିଛି ରାତିରେ କାହା ମଚ ମଚ ଶବ୍ଦ, ତା’ ନିଦ ଭାଙ୍ଗିଲା ବେଳକୁ ନିଧି ହଳିଆ ଘର ଆଡ଼େ ଦୁଲ ଦୁଲ ହେଇ କଣ କିଏ ବୋହି ନେଇ ପକାଉଥିଲା।ଶେଷରେ ତା ଜିଦ୍ ଆଗରେ ବାପାଙ୍କ ଶିକ୍ଷିତ ଆଉ ମୁରବି ପଣିଆ ମୁଣ୍ଡ ନୋଇଁଲା। ଖଟ ଆଉଥରେ ବୁଲିଲା ନିଧି ହଳିଆ ଘର ଆଡ଼େ। କଁ ହେଲା କେଜାଣି ଖଟ ନିଧି ଘର ପାଖେ ଅଟକିଲା ଆଉ ଗଲାନି ଆଗକୁ।ତେଣେ ନିଧି କାନ୍ଦି କାନ୍ଦି ଗାଁ ଦାଣ୍ଡରେ ଲୋଟି ପଡୁଥାଏ, ମୁଁ ଚୋର ନୁହେଁ, ପୁରୁଷ ପୁରୁଷ ଧରି ହଳିଆ ଲାଗୁଛୁ ମା, ଭାଗ ଚାଷରୁ ଯେତିକି ମିଳେ ଆମ ଦୁଇ ତିନି ପ୍ରାଣୀ ପାଇଁ ନିଅଁଣ୍ଟ, କୋଉଦିନ ହାତ ପତେଇନୁ ବାବୁ, ଅସୁବିଧା ଥିଲେ କଁ ତୁମକୁ କହିନଥାନ୍ତୁ ମା, ବିଧବା ମା ଆଉ ଦୁଇ ପିଲା ମୋର, ଭାରିଯା ତ ସୁତିକିଆ ରେ ମାଡ଼ ଖାଇ ସାରିଛି, ତେମେ ପରା ଥେଲ ବାବୁ। ମୁଁ କାହୁଁ ଆଣିବି ଚୋରି କରିକି,।
ନନା ସବୁ ଶୁଣି କହିଲେ, ଯେ ଯାହା ବାଟରେ ଯାଓ।ଯେତିକି ତଦନ୍ତ, ସନ୍ଧାନ ହେଲା ହେଲା। ରମା ଆସିଲେ ତେଣିକି ବୁଝାହେବ।ଖବର ଗଲା ମୋ ପାଖକୁ, ମୋର ନୂଆ ଚାକିରୀ।
ପ୍ରଥମ ଛୁଟି ଦରଖାସ୍ତ * ବୋଉ ଅସୁସ୍ଥ*
ବଡ଼ ବାବୁ କହିଲେ ତୁରନ୍ତ ଯାଓ, ତେଣେ ବୋଉ ଅସୁସ୍ଥ, ମୁଁ ସବୁ ମ୍ୟାନେଜ କରିଦେବି, ଏପଟେ ଆସି ଦେଖେ ତ ଧାନ ଦି ଗହୁଣୀ ଚୋରି, ଯେତିକି ରାଗ ଆସୁଥାଏ, ସେତିକି ସମବେଦନା ବି ବୋଉ ପ୍ରତି। ଯୁଗ ଯାଇଁ କୋଉଠି ପାହିଲାଣି, ବିଜ୍ଞାନ ର ଚମତ୍କାରିତା ଆକାଶ ଛୁଆଁ।ତଥାପି ଆମ ମାନଙ୍କ ମାନସିକତା ରେ ପରିବର୍ତ୍ତନ ନାହିଁ ।ଅନ୍ଧ ବିଶ୍ୱାସ ଏବେବି କବଳିତ କରି ରଖୁଛି କତିପୟ ଗୋଷ୍ଠିକୁ।ଜଣେ ଆରମ୍ଭ କଲେ, ଆଉ ଚାରିଟା ଡେଇଁବାଟା ଥୟ। କିଛି ତ ତୁଛଟାରେ ମଜା ଦେଖିବାକୁ ନାଁ ରେ ଆଉ ହଁ ରେ ହଁ ଭରନ୍ତି।ଜଣଙ୍କ ଦୁର୍ବଳତାକୁ ଆଗରେ ରଖି ନିଜ ଦୋଷକୁ ଲୁଚେଇବାକୁ ପଛନ୍ତି ନାହିଁ।
ମୁଁ ଆସିଲା ପରେ ତନ୍ନ ତନ୍ନ କରି ସବୁ ବସ୍ତା ଗଣା ହେଲା, ଥରେ ନୁହଁ, ଦଶ ପନ୍ଦର ଥର। ସବୁ ହିସାବ ଠିକ୍। ଗାଁ ରୁ ଚାକିରୀ କୁ ଫେରିବା ବାଟରେ ନନାଙ୍କ କଥା କାନ ରେ ବାଜୁଥାଏ, “ଆରେ ମୋତେ କଁ କହୁଚୁ, ତୋ ବୋଉକୁ ଟିକେ ବୁଝା, ତାର ତ ସବୁବେଳେ ଗୋଟାଏ ଜିଦ, ମୋ କଥା ଶୁଣୁଛି କିଏ, ଆରଥର ଆସିଲେ, ବୋଉକୁ ତୋ ବସା କୁ ନେଇଯା”। ନାନାଙ୍କ ସେଇ କେଇପଦ କଥା ମୋତେ ମୁରୁକି ମୁରୁକି ହସି ପୁଣି କିଛି ଲୁହ ଗଡେଇବାକୁ ବାଧ୍ୟ କରେ, ମୁଁ ଜାଣେ ନନା ବୋଉ କୁ ଛାଡି କେବେ ରହି ପାରିବେନି। ସତରେ ଏ ହିଁ ଜୀଵନ ଗୋଟେ ପରିଣତ ବୟସରେ।
ଆରେ ଏଇତ ଆମ ଗାଁ ମୁଣ୍ଡ ଦିଶିଲାଣି। ଭାବୁ ଭାବୁ ରମାକାନ୍ତ ବାବୁ କେତେବାଟ ଚାଲି ଆସିଲେଣି, ସେ ନିଜେ ବି ଜାଣି ନାହାନ୍ତି। ବେଳେବେଳେ ସ୍ମୃତି ବିଧୌତ ଲହରୀସବୁ ନିଜେ ନାଉରୀ ସାଜି ବାଟ କଢେଇ ନିଅନ୍ତି, ।
ଚାହୁଁ ଚାହୁଁ ଘର ପାଖାପାଖି। ହେଲେ ଏ କଣ। ଗାଁ ଟା ସାରା ଖାଁ ଖାଁ।ଖରାବେଳ ଟା , ମୋବାଇଲ ବି ଅଚଳ। ସମୟେ ସମୟେ ପଡିଶା ଘର ଦାଶରଥି କକେଇଙ୍କୁ ଫୋନ କରି ଭଲ ମନ୍ଦ ବୁଝନ୍ତି ରମାନା।କାଲିଠୁ ସେତକ ବି ନାହିଁ, ଗାଁ ଟା ସାରା ନିସବ୍ଧ। କି ଝଡ଼ଟା ହେଲା କେଜାଣି, ସବୁ ସିଗ୍ନାଲ ଠପ।
ଦାସୀ କକେଇ  ଦେଖା ବି ନାହିଁ। ଦାଣ୍ଡ ଦୁଆରୁ ରମା ବାବୁ ବୋଉ ବୋଉ କହି ଡାକ ଛାଡିଲେ। କଁ ହେଇଛି କିଲୋ, ମୁଁ ଆସିଲିଲିଣି ପରା। ଦର ଆଉଜା କବାଟକୁ ଠେଲି ରାମା ବାବୁ ସିଧା କୂଅ ମୂଳେ। ପାଣି କାଢି ଆଗ ଦି ବାଲ୍ଟି ମୁଣ୍ଡରେ ଅଜାଡି ହେଇଗଲେ।।
ବୋଉ ବ୍ୟାଗ ନେଇ ରଖ, ଭୀଷଣ ଭୋକ, ବାଢ଼ିଲୁ , ଯାହା ହେଇଛି, ପରେ କହିବୁ।
ଆଜି କିଛି କହିବିନି ତତେ, ଆଲୋ ନନା ଗଲା ବେଳକୁ ମୋତେ ରାଣ ଖୁଆଇଛନ୍ତି ପରା।ବୁଝିଲୁ ବଡ ବାବୁ ଏଥର ସଫା ସଫା କହିଦେଲେ, ବୋଉକୁ କ୍ବାଟର କୁ ନେଇ ଆସ । କେତେ ଛୁଟି ନେବ, ବୟସ ହେଲାଣି, କେତେବେଳେ କୋଉ କଥା, ନନା ତ କୋଉକାଳୁ ସେପାରିରେ। ଏଗୁରା କଁ ମୋତେ ଶୁଣିବାକୁ ଭଲ ଲାଗୁଚି।
ତୁ ବାଢେ, କାଲିକୁ ଦିହେଁ ପଳେଇବା ମୋ ବସାକୁ। ଗୁହାଳ ଧନ୍ଦା ନିଧି କୁ ଦେଇଦେଦବା। ମଝିରେ ମଝିରେ ଆସି ଦେଖିଯିବାନି କି।
ରମାନା ଗାମୁଛା ରେ ପୋଛା ପୋଛି ହେଇ ସିଧା ଦିଅଁ ଘର ଦୁଆରେ।ବୋଉ କୁଆଡେ ଗଲୁ। ଦିଅଁ ଘର କଁ ଆଜି ପୂଜା ହେଇନିକି। ଶୀଘ୍ର ଆସେ ଗୁହାଳରୁ।ଯେତେବେଳେ ଦେଖିବ, ସେଇ ଗୁହାଳରେ।ଆସେ ଭୋକ ଲାଗିଲାଣି।
ରମା ବାବୁ ଏମିତି ଅର୍ଜେଣ୍ଟଟିଆ ଖବର ପାଇ ଆସିଲେ, କାଳେ ପୁଅ ପାଟି କରିବ ବୋଲି ବୋଉ କିଛି ସମୟ ଜାଣିଶୁଣି ତୁନି ରହନ୍ତି।
କିନ୍ତୁ ଆଜି ବ୍ୟତିକ୍ରମ। ପାଟି ଶୁଣି ଦାସ କକେଇ ମୁହଁ ଶୁଖେଇ ଆସି ପହଁଚିଲେ।
କିରେ! କେତେବେଳୁ ଆସିଲୁଣି। କାଲି ବାଧ୍ୟ ହୋଇ ତାର ଦେଲି ଗାଁ ପିଲା ହାତରେ। ତୋ ବୋଉ ର ସେଇ ଏକା ଜିଦ୍, ରମାକୁ କିଛି ଜଣାନି।
ଚାକିରୀ କଥା ନା। ଦରଖାସ୍ତ ଦେବାକୁ ପଡ଼ିବ।
**
କାହିଁ ବୋଉର କଁ ହେଇଛି କି?
ଆରେ ପାଗଳା ଦୁଇଦିନ ହେଲା ଭାଉଜଙ୍କ ପାଟି ନ ଶୁଣି ଖୁଡୀ ମୁଁ ଆସି ଦେଖିଲା ବେଳକୁ ତୋ ବୋଉ ଜରରେ କମ୍ପୁଛି। ଗାଁ ଦୋକାନୀ କୁ ପଚାରି କିଛି ଔଷଧ ବି ଦେଲି, କହିଲି ରମାକୁ ଜଣାଉଛି। ବୁଢୀ ଲୋକଟା , ହାତଗୋଡ ଧରି ନେହୁରା ହେଲେ, କହିକେ ରମାକୁ ଜଣାନି। ଜର ତ ହେଇଚି, ବଳେ କମିଯିବନି।ଭଲ ତ ଟିକେ ଲାଗୁଚି। ପାଗଳାଟା, ଆସିଲେ କହିବ ସବୁବେଳେ ତ ଖାଲି * ବୋଉ ଅସୁସ୍ଥ* ବୋଲି ତାର ଦେଉଛୁ। ବ୍ୟସ୍ତ ହବ ସେ। ପିଲା ଛୁଆ ସଂସାର ତା’ର.
ହେ କିଛି ହବନି ମୋର। ତୁ ଦେଖିବୁନି, ତାର ନ ପାଇ କି ସେ ଆସିବ।

ଝଡ଼ ବର୍ଷା ତ ଲାଗି ରହିଛି। କଁ କରିବୁ। ରାସ୍ତା ସାରା ଗଛ, ବିଜୁଳି ତାର।ଟିକେ କମିବାରୁ, ଗାଁ ପିଲା ହାତରେ ତାର ଦେଇ ପଠେଇଲୁ।।
ଆଉ ବୋଉ?
ନାହିଁ ରେ ରମା, ଜର କମିଲାନି, ବୁଢ଼ୀ କିଛି ସମୟ ବିଳି ବିଳେଇ ଚୁପ ହେଇଗଲେ।ଦେହଟା ସାରା ବରଫ ।ଅବଧାନଙ୍କ ପୁଅ ଯିଏ ସହରରେ ଡାକ୍ତରୀ ପଢୁଛି, କିଛି ଦିନ ହେଲା ଗାଁ ରେ ଥିଲା, ତାକୁ ଡାକି ଦେଖେଇଲୁ, ସେ କହିଲା, ରମାନା ଙ୍କୁ ଖବର ଦିଅ, ମାଉସୀ ଆଉ ନାହାନ୍ତି।ତୋ ବାପାଙ୍କ ଖଟ ପାଖେ ସେମିତି ନିଶ୍ଚଳ ହେଇ ପଡି ରହିଥିଲେ।ବର୍ଷା କମିବାରୁ ଭୋରୁ ଦାହ କରିଦେଇ ଆସିଲୁ। ନିଧି ହଳିଆ ମୁଖାଗ୍ନି ଦେଲାରେ।
ରମା ବାବୁ ଦଉଡି ଗଲେ ନନାଙ୍କ ଶୋଇବା ଘରକୁ। ବୋଉ ପାନଡାଲା, ଗୁଆକାତି ସବୁ ସେମିତି ଥୁଆ ହେଇଚି। ଲମ୍ବ ହେଇ ପଡିଗଲେ ନନାଙ୍କ ଫୋଟୋ ପାଖରେ। ନନା ମୋତେ କ୍ଷମା ଦିଅ, ମୁଁ ଅଭାଗା ବୋଉର ଶେଷ ଦର୍ଶନ କରିପାରିଲିନି କି ମୁଖାଗ୍ନି ଦେଇ ପାରିଲିନି।
ସାଇ ପଡିଶା ଆସି ବୁଝାଉଥାନ୍ତି, ରମା ତୋର ତ କିଛି ଦୋଷ ନାହିଁ, ଝଡ ବର୍ଷା ସବୁ କେଲଙ୍କାରୀ କରିଦେଲା। କେହି କେହି ଆଶ୍ୱାସନା ଦେଉଥାନ୍ତି, ବୁଢ଼ୀ ର ଯେତିକି ଆୟୁଷ ଥିଲା ସେତିକି ବଂଚିଲା, ଘାଣ୍ଟି ହେଇନି ତ ।
ବେଳେବେଳେ ପ୍ରାକୃତିକ ବିପର୍ଯ୍ୟୟ କେତେ ନିଃସଙ୍ଗତା, ଜିଦ, ଭୟ, କ୍ରୋଧ ସବୁକୁ ସାଙ୍ଗରେ ନେଇଯାଏ, ଆଉ ଯାହା ଛାଡ଼ିଦେଇଯାଏ, ତାହା ଜୀବନ ତମାମ କିଛି ଅମୁଲ୍ୟ ସ୍ନେହ ଥଳିର ଶୂନ୍ୟସ୍ଥାନ ନିଚ୍ଛକ ନିଃସଙ୍ଗତା ଯାହା ପ୍ରତିକ୍ଷଣେ ଅନ୍ୟମନସ୍କ କରାଏ।।
ଅଜଣା ଆତଙ୍କ, ଅଘୋଷିତ ଅନୁତାପରେ ଜର୍ଜରିତ ରମାବାବୁ ବୋଉ ଅସ୍ଥି କୁ ଧରି ଛୋଟ ପିଲାଟି ପରି ବାହୁନୁ ଥାଆନ୍ତି।ରାତିସାରା ବାଡିପଟେ ବସି ନିଜକୁ ସମ୍ଭାଳି ବାକୁ ଚେଷ୍ଟାରତ ସେ। ଦଶାହ କର୍ମ ପାଇଁ ପ୍ରସ୍ତୁତ ହେବାକୁ ପଡିବ।କଁ ମନେ ହେଲା ଜେଜାଣି, ଗୁହାଳ ଆଡକୁ ଟିକେ ନିରେଖି ଦେଖିଲେ।ଆସିଲା ବେଳଠୁ ସିଆଡିକି ନଜର ଯାଇନି ତାଙ୍କର।ଗଲା ବାତ୍ୟାଠୁ ନେତ ନିଖୋଜ ହେଲା ପରଠୁ ବୋଉ ଥିଲା ଏ ବାଛୁରୀ ର ଏକା ସାହା ଭରସା।କିଏ ବୋଧେ ଦିଟା ନଡା ପଜେଇଦେଇଛି ତା ଆଗରେ। ସେ ବି ପୁରା ନିର୍ବାକ।ରାତିସାରା ବିଳାପୁଥାନ୍ତି ରମାବାବୁ।ଏମିତି ଗୋଟେ ନିର୍ଜନତାକୁ ସେ ସାମ୍ବା କରିବେ, ସେ ବିଶ୍ୱାସ କରିପାରୁନାହାନ୍ତି।
ହଟାତ ଫୋନ ରିଂ ହେଲା। ବୋଧେ ନେଟୱର୍କ ଆସିଲାନି ନା କଣ।
ସେପଟୁ ଶୁଭିଲା, ବାପା କଣ ହେଇଛି, ଆଜିବି କଣ ବାଛୁରୀ ଫେରାର ନା ଧାନ ଚୋରୀ। ତୁମ ଫୋନ ନ ଲାଗିବାରୁ ବୋଉ ମୁଁ ପୁରା ବ୍ୟସ୍ତ।
ରମାବାବୁ ବାକଶୂନ୍ୟ।ସେଇମିତି ଅନେଇଥାନ୍ତି ବାଛୁରୀଟାକୁ ଗୁହାଳ ଆଡେ।
ପୁଣି ଶୁଭିଲା, ଶୁଣୁଛ! ବୋଉ କଁ ସବୁ ରୋଷେଇ କରିଥିଲେ, କେତେବେଳେ ପହଁଚିଲ, ହ୍ୟାଲୋ ହ୍ୟାଲୋ
ରମାବାବୁ ବାଷ୍ପରୁଦ୍ଧ କଣ୍ଠରେ କହିଲେ,
ବୋଉ ଚାଲିଗଲା, ଏଥର ସବୁଦିନ ପାଇଁ। ମୁଁ ଅନାଥ ହେଇଗଲି।
ଘରେ ପୂଜା ପୁଜି କରିବନି। ଯଥାଶୀଘ୍ର ପୁଅକୁ ନେଇ ଗାଁ କୁ ଆସହେରି।
ଆଁ…ମାନେ..ବୋଉ, କେମିତି?
**
ନିର୍ଜନତାର ସ୍ୱାଦ କୁହୁକ ନିଶା ଭଲି।କେତେବେଳେ ରମାବାବୁଙ୍କ ଆଖି ଲାଖିଯାଇଛି।ସକାଳ ପାହିଲା ବେଳକୁ ଡକା ହକା ହେଇ ଜଣେ ଜଣେ ଆସୁଥାନ୍ତି।କୁଟୁମ୍ବ କହିଲେ ଜଣେ ମାମୁଁ ସମ୍ପର୍କୀୟ ସହରରେ।ରାମାବାବୁ ଙ୍କ ବାପା ଗୋବିନ୍ଦ ମାଷ୍ଟ୍ରେ ଭିନ୍ନେ ହେଇଥିଲେ ଜେବେଠୁ।ପିଉସା ପିଉସୀ ଦୀର୍ଘକାଳରୁ ସମ୍ପର୍କରେ ନାହାନ୍ତି।ରମାନା ଙ୍କ ପତ୍ନୀ ପୁଅ ଆସିଗଲେଣି।ପୁଅ ବାଛୁରୀ ସଙ୍ଗେ ଖେଳ ଆରମ୍ଭ କରିଦେଲାଣି। ରମାବାବୁ ସେମିତି ଗୁହାଳକୁ ଅନେଇ ହଟାତ ମନେ ପକେଇଦେଲେ ଖୁଡ଼ିଙ୍କ କଥା।ଥରେ ଖୁଡୀ କହୁଥିଲେ, ଜାଣିଛ ରମା! ଏ ବାଛୁରୀ ଟା ବେଳେବେଳେ ନାନୀ ଙ୍କୁ ଭାରି ନୟାନ୍ତ କରେ। ଏଇ କ୍ଷଣି ଥିବ, ପୁଣି କୁଆଡେ ପଳେଇବ, ବୁଢ଼ୀ ଲୋକ ସେମିତି ଗୋବର ସାଲୁବାଲୁ ହେଇ ତାରି ବାଟକୁ ଅନେଇଥିବେ। ମୋତେ କୁହନ୍ତି, ରମା ପିଲାବେଳେ ମୋତେ ଏମିତି ହଇରାଣ କରେ। ଭୋକ ଲାଗିଲେ ମନକୁ ଛାଁ ଆସିବନିକି।
ରମାବାବୁଙ୍କ ଆଖରୂ ଲୁହ ସବୁ କୋହ ହେଇ ଝରୁଥାଏ।
ଏଣେ ପୁଅରଏକା ଜିଦ।। ବାପା ବାଛୁରୀକୁ ଆମ ସାଙ୍ଗେ ସହରକୁ ନେଇଯିବା, ମୁଁ ତା ସାଙ୍ଗେ ଖେଳିବି। ଆମେ ତାକୁ କାହାକୁ ଦେବାନି।
ମନେ ମନେ ରମାବାବୁ ଭାବୁଥାନ୍ତି,
କାହ ସାଙ୍ଗେ ଖେଳିବୁ ତୁ।
ବାଛୁରୀ ଜୁଆନ ହେଲେ ତୁ ଆଉ କାହା ସଂଗେ ଖେଳିବୁ।
ବରଂ ଏଠି ଥିଲେ କାହା କାମରେ ଲାଗିବରେ ବାୟା।।
***
ବଡ ବାବୁଙ୍କୁ ଫୋନ କରି ସବୁ ଜଣେଇଲେ ରମାବାବୁ।
ବଡ ବାବୁ ବୁଝେଇ କହିଦେଲେ, ସବୁ କାମ ସାରି ଆସ। ହେଲେ ଫୋନ ଖବର ଟା ଯଥାର୍ଥ ନୁହଁ। ବରଂ ଅଫିସ କୁ ଗୋଟେ ତାର ଦେଇଦିଅ।
ଗାଁ ଡାକଘରକୁ ଗଲାବେଳେ ରମାନା ଙ୍କ ମନେ ପଡୁଥିଲା ନିଧି ହଳିଆ, ଧାନ ଚୋରୀ, ବାଛୁରୀ ହଜିବା, ଏମିତି ଅନେକ କଥା।
ରମାବାବୁ ବୁଝିପାରୁନଥିଲେ କଣ ଲେଖିବେ ତାରରେ।।।
ବୋଉ ଅସୁସ୍ଥ ନା ଆଉ କିଛି ?

ଜଟଣୀ, ଖୋର୍ଦ୍ଧା