Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୧ କୋଟି ୪ ହଜାର ପାର କଲା ବୃକ୍ଷରୋପଣ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ । ଏହି ଅବସରରେ ଏକାମ୍ର କଲେଜ ପରିସରରେ ଗଛ ଲଗାଇ ‘ଏକ୍‌ ପେ ମାକେ ନାମ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବେ ବୋଲି ଲକ୍ଷ୍ୟ ରଖିଥିଲେ ସରକାର । ହେଲେ ଏହି ସଂଖ୍ୟାରେ ଅହେତୁକ ମାତ୍ରାରେ ବୃଦ୍ଧି ପାଇଛି ।

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବା ସୂଚନା ରହିଥିଲା । ତେବେ ସାରା ରାଜ୍ୟରେ ଦିନ ୨ ଟା ୧୬ ସୁଦ୍ଧା ମେରୀ ଲାଇଫ୍ ପୋର୍ଟାଲରେ ଅପଲୋଡ୍ ହୋଇଥିବା ଚାରା ସଂଖ୍ୟା ୧ କୋଟି ୪ ହଜାର ୪୦୯ରେ ପହଞ୍ଚିଛି । ବୃକ୍ଷରୋପଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୩୦ ତାରିଖ ଯାଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ତେବେ ଆଜି ବୃକ୍ଷରୋପଣରେ କୋରାପୁଟ ପ୍ରଥମ, କେନ୍ଦୁଝର ଦ୍ଵିତୀୟ, ମୟୁରଭଞ୍ଜ ତୃତୀୟ, ସୁନ୍ଦରଗଡ଼ ଚତୁର୍ଥ, କଳାହାଣ୍ଡି ପଞ୍ଚମ ସ୍ଥାନ ଅଧିକାର କରିଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଶର ବିକାଶ ପୁରୁଷ ତଥା ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜର ଜନ୍ମଦାତୀ ମା’ଙ୍କ ସ୍ମୃତିରେ ଗଛଟିଏ ଲଗାନ୍ତୁ, ଏବଂ ସେହି ଗଛଟିକୁ ନିଜ ପରିବାରର ସଦସ୍ୟ ଭଳି ଦେଖାଶୁଣା କରନ୍ତୁ। ଗଛ ଯେପରି ଫୁଲ, ଫଳ ଧରି ଆପଣଙ୍କ ପରିଶ୍ରମକୁ ସାର୍ଥକ କରିବ। ଏହା ହେବ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ, ଧରିତ୍ରୀ ମାତାଙ୍କୁ ଓ ଆମର ଆଗାମୀ ପିଢିକୁ ଓଡିଶାବାସୀଙ୍କ ଶ୍ରେଷ୍ଠ ଉପହାର ।

ଓଡିଶାର ବିକାଶ ପାଇଁ ମୋଦୀଜୀଙ୍କର ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଆଜିର ଦିନରେ ସେ ଓଡିଶା ଆସିଥିଲେ ଏବଂ ଆମର ମା’ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସୁଭଦ୍ରା ଯୋଜନା ଆଜି ଓଡିଶାର କୋଟିଏ ମା’ଙ୍କ ପାଇଁ ଆର୍ଥିକ ସଶକ୍ତିକରଣର ଏକ ପ୍ରମୁଖ ଅସ୍ତ୍ର ହୋଇଛି। ଆଉ ଆଜି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ମା’ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବୈପ୍ଲବିକ ଅଭିଯାନ ଆରମ୍ଭ କରୁଛନ୍ତି- ସୁସ୍ଥ ନାରୀ, ସଶକ୍ତ ପରିବାର । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ, ଜନ୍ମଦାତ୍ରୀ ମା ଓ ଧରିତ୍ରୀ ମାତାର ସୁରକ୍ଷା ପାଇଁ ଏକ ସଂକଳ୍ପର ଦିନ ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଭୁବନେଶ୍ବରରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ମନ୍ତ୍ରୀ, ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.