Latest Odisha News

BREAKING NEWS

ସାଂଘାତିକ ପ୍ରେମ ସଂପର୍କର ଜଘନ୍ୟ ପରିଣାମ, ବଳିପଡିଲେ ୨ ନବଜାତ ଶିଶୁ

କଳାହାଣ୍ଡି: ଆଜିର ଦିନରେ କେତେ ଶାଶ୍ୱତ ପ୍ରେମ ସଂପର୍କ ? କେତେ ପବିତ୍ର ପ୍ରେମର ସଂଜ୍ଞା ? ବୋଧ ହୁଏ ଏହି ପ୍ରଶ୍ନ ଆପଣଙ୍କ ମନକୁ ଆନ୍ଦୋଳିତ କରୁଥିବ । ହେଲେ କଳାହାଣ୍ଡି ଜିଲ୍ଲାରେ ସାମ୍ନାକୁ ଆସିଥିବା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ପ୍ରେମ ସଂପର୍କକୁ ଲୁଚାଇବାକୁ ଯାଇ ପ୍ରେମର ସନ୍ତକକୁ ନଷ୍ଟ କରିବାକୁ ପଛାଇନଥିଲେ ତ୍ରିପାଳ ନାମକ ଜଣେ ଯୁବକ, ଜଣେ ବିଧବା ମହିଳା ଓ ଜଣେ ଅବିବାହିତା ମହିଳା । ଘଟଣାଟି ସୁଦୂର ଗୋଆରେ ଘଟିଥିଲାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ପର୍ଦ୍ଦାଫାସ କରିଥିଲା କେସିଙ୍ଗା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ମାର୍ଚ୍ଚ ମାସରେ ଲକ୍‌ଡାଉନ୍ ଘୋଷଣା ପୂର୍ବରୁ ଗୋଆରେ ଦାଦନ ଖଟିବାକୁ ଯାଇଥିଲେ ତ୍ରିପାଳ ଓ ଦୁଇଜଣ ମହିଳା । ଲକ୍‌ଡାଉନ୍ ସମୟରେ ସେହି ଦୁଇ ମହିଳାଙ୍କ ସହ ତ୍ରିପାଳର ପ୍ରେମ ସଂପର୍କ ଗଢିଉଠିଥିଲା । ଏପରିକି ଦୁଇ ମହିଳାଙ୍କ ସହ ତ୍ରିପାଳର ଶାରିରୀକ ସଂପର୍କ ମଧ୍ୟ ସ୍ଥାପନ ହୋଇଥିଲା । ସମୟକ୍ରମେ ଦୁଇ ମହିଳା ଗର୍ଭବତୀ ହେବା ସହ ଗୋଟିଏ ଶିଶୁପୁତ୍ର ଓ ଶିଶୁକନ୍ୟାର ଜନନୀ ସାଜିଥିଲେ । ହେଲେ ଛୁଆ ଦୁହିଁଙ୍କୁ ଧରି ଘରକୁ ଫେରିବା ସେମାନଙ୍କ ପକ୍ଷେ ସମ୍ଭବପର ହୋଇନଥିଲା । ଅନୈତିକ ପ୍ରେମ ସଂପର୍କକୁ ଘରେ ଲୁଚାଇବାକୁ ଯାଇ ତ୍ରିପାଳଙ୍କ ସହ ଦୁଇ ମହିଳା ମିଶି ଦୁଇ ନବଜାତ ଶିଶୁଙ୍କୁ ହତ୍ୟା କରି ମାଟିରେ ପୋତିଦେଇଥିଲେ ।

ଗତ ଜୁଲାଇ ମାସରେ ତିନିଜଣ ଓଡିଶା ଫେରିଥିଲେ । ବିଧବା ମହିଳାଙ୍କୁ ବାଦ୍ ଦେଇ ଅବିବାହିତା ମହିଳାଙ୍କୁ ଧରି ତ୍ରିପାଳ ପୁଣିଥରେ ଗୋଆ ଫେରିଯିବାକୁ ଚେଷ୍ଟା କରିଥିଲା । ତେବେ ବିଧବା ମହିଳା ଜଣକ ଏ କଥା ଜାଣିବା ପରେ ଅବିବାହିତ ଯୁବତୀଙ୍କ ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇଥିଲେ । ସମସ୍ତ କଥା ଶୁଣି ଯୁବତୀଙ୍କ ପରିବାର ଲୋକେ ପୋଲିସ ସହାୟତାରେ କେସିଙ୍ଗାରେ ତ୍ରିପାଳ ସହ ଯୁବତୀଙ୍କୁ କାବୁ କରିଥିଲେ । ତେବେ ଜେରା ସମୟରେ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଥିଲା, ତାହା ପୋଲିସକୁ ଚକିତ କରିଦେଇଥିଲା ।

ଏହାପରେ ତ୍ରିପାଳକୁ ରିମାଣ୍ଡରେ ନେଇ କେସିଙ୍ଗା ପୋଲିସ ଗୋଆରେ ପହଂଚିଥିଲା । ସେଠାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇ ଛୁଆଙ୍କ କଙ୍କାଳ ଉଦ୍ଧାର କରିବା ସହ ଡିଏନ୍‌ଏ ଟେଷ୍ଟ ପାଇଁ ପଠାଯାଇଛି । ଏହି ଘଟଣା ପରେ ତ୍ରିପାଳଙ୍କ ସମେତ ଅନ୍ୟ ଦୁଇ ମହିଳାଙ୍କୁ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.