Latest Odisha News

ଉଦଯାପିତ ହେଲା ଆଦିବାସୀ ମେଳା, ୧୧ ଦିନରେ ବୁଲିଲେ ୧୦ଲକ୍ଷରୁ ଅଧିକ ଦର୍ଶକ

ଭୁବନେଶ୍ବର: ୧୧ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି। ଓଡ଼ିଶାର ଆଦିବାସୀ ଜୀବନ, ଭାଷା, କୃଷି ସମୃଦ୍ଧି, ଆଦିବାସୀ ମହିଳା ସଶକ୍ତୀକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାର ସୁଯୋଗକୁ ନେଇ ଆଦିବାସୀ ମେଳା ଆୟୋଜିତ ହୋଇଥିଲା। ଏହା ଭୁବନେଶ୍ବର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆକୁ ଏକ ମିନି ଆଦିବାସୀ ଗ୍ରାମ ଓ ‘ହାଟ’ରେ ପରିଣତ କରିଥିଲା । ଚଳିତ ବର୍ଷ ଏହି ମେଳାରେ ୧୦ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଏହି ମେଳାରେ ଚଳିତ ବର୍ଷ ୫କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆଯୋଜକଙ୍କ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷର ବାର୍ଷିକ ଆଦିବାସୀ ମେଳାର ମୁଖ୍ୟ ଆକର୍ଷଣ ଥିଲା ୩ ଦିନିଆ ବହୁଭାଷୀ ନାଟକ ମହୋତ୍ସବ।ଏହି ମହୋତ୍ସବରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ପରିବେଷିତ ସାମାଜିକ ସଚେତନତା ଓ ବହୁସଂସ୍କୃତିକୁ ପ୍ରୋତ୍ସାହିତ କରାଯାଇଥିବା ନାଟକ । ମନ୍ଦିରମାଳିନୀ ସହରରେ ଅନୁଷ୍ଠିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟରେ ମାତୃଭାଷା ଭିତ୍ତିକ ଶିକ୍ଷାର ମହତ୍ତ୍ବ ଓ ଏହାର ପୃଷ୍ଠପୋଷକତା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଅତିରିକ୍ତ ଦୁଇଟି ମୁଖ୍ୟ ଆକର୍ଷଣ ମଧ୍ୟରେ ୧୦ଟି ଆଦିବାସୀ କୁଡ଼ିଆ ରହିଥିଲା । ଯେଉଁଥିରେ ୭ଟି ଆଦିମ ଜନଜାତି ବା ପିଭିଟିଜି ଏବଂ ୩ଟି ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଗୋଷ୍ଠୀ ରହିଥିଲେ । ୬୨ଟି ଜନଜାତି ମଧ୍ୟରୁ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ୪୦ଟି ଦଳ ଦ୍ୱାରା ଆଦିବାସୀ ସଂସ୍କୃତିର ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା ।

ସମାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜାତି/ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ର ଉପଦେଷ୍ଟା ପ୍ରଦୀପ ମାଝୀ, ଅନୁସୂଚିତ ଜାତି/ଜନଜାତି ଜାତି ବିକାଶ ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ତାହେରା ଖାତୁନ, ଅନ୍ବେଶା ଓ ଆକାଂକ୍ଷା ଯୋଜନାର ଉପଦେଷ୍ଟା ଏଲିନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ରୂପା ରୋଶନ ସାହୁ ଓ ଆଦିବାସୀ ଉନ୍ନୟନ ସମବାୟ ନିଗମ ଓଡ଼ିଶା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡ. ପୋମା ଟୁଡୁ ଯୋଗ ଦେଇଥିଲେ। ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ମେମ୍ବର ସେକ୍ରେଟାରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.