Latest Odisha News

BREAKING NEWS

ପାଖରେ ନାହିଁ ଜମିପଟା, ତେଣୁ ପାଠପଢ଼ାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ

ଯାଜପୁର: ଆଦିବାସୀ ମାନଙ୍କର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି l ହେଲେ ସତରେ କଣ ସେହି ଯୋଜନା ସଫଳ ହେଉଛି? ଜମିପଟା ନଥିବାରୁ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ଅନେକ ଆଦିବାସୀ ଛାତ୍ରଛାତ୍ରୀ l ତାହା ବି କେଉଁ ଉପାନ୍ତ ଅଞ୍ଚଳ ନୁହେଁ , ଉପକୁଳ ଓଡିଶାର ବିକଶିତ ଜିଲ୍ଲା ଯାଜପୁରରୁ ଆସିଛି ଏପରି ଚିତ୍ର । ବ୍ୟାସନଗର ତହସିଲ ଠାରୁ ମାତ୍ର ୮ କିଲୋମିଟର ଦୁର କେଉଁଝର ଓ ଯାଜପୁର ସୀମାନ୍ତରେ ଥିବା ଗୋହିରାଗାଡିଆ ଓ ଭାଲୁକାହୁଡି ଅଞ୍ଚଳରେ ରହୁଛନ୍ତି ୬୬ଟି ଆଦିବାସୀ ପରିବାର । ଶହଶହ ବର୍ଷ ହେବ ଏହି ସାହିରେ ବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଆଦିବାସୀ ପରିବାରକୁ ଜମିପଟ୍ଟା ମିଳିପାରିନାହିଁ । ଏନେଇ ବାରମ୍ବାର ବିଭିନ୍ନ ମହଲରେ ଅଭିଯୋଗ ହେଉଛି ମାତ୍ର କୌଣସି ଅଭିଯୋଗ ଜିଲ୍ଲା ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ପରିବାର । ସେପଟେ ଜମି ପଟ୍ଟା ନଥିବାରୁ ଏହି ଆଦିବାସୀ ସାହିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସମସ୍ତ ସରକାରୀ ସୁବିଧା ସହ ଜାତିଗତ ପ୍ରମାଣ ନପାଇ ଉଚ୍ଚଶିକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଆଦିବାସୀ ପରିବାରକୁ ଖଣ୍ଡେ ଜମିପଟା ଦେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଥିଲେ ବି କୌଣସି ସୁଫଳ ମିଳୁନାହିଁ l ଖଣ୍ଡେ ଜମିପଟା ପାଇଁ ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ମଧ୍ୟ ଯାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟରେ ବାରମ୍ବାର ଧାରଣା ଦେଇଛନ୍ତି ଏହି ୬୬ ଆଦିବାସୀ ପରିବାର l ପୁର୍ବରୁ ପ୍ରଶାସନ ପକ୍ଷରୁ କମିଟି ଗଠନ କରି ସମସ୍ୟାର ସମଧାନ ଲାଗି ପ୍ରତିଶୃତି ଦେଇଥିଲେ ବି ବର୍ଷ ପରେ ବର୍ଷ ବିତୁଛି ହେଲେ ପଟ୍ଟା ମିଳୁନି । ଏହି ଆଦିବାସୀ ପରିବାରକୁ ସରକାରଙ୍କ ଜଙ୍ଗଲଜମି ଆଇନ, ଯାଗାମିଶନ ଘରଢିହ ଯୋଜନା କି ବସୁନ୍ଧରା ଯୋଜନା କେଉଁଥିରେ ବି  ଜିଲ୍ଲାପ୍ରଶାସନ ସାମିଲ କରୁନଥିବା ଅଭିଯୋଗ କରଛି ସିଭିଲ ସୋସାଇଟି ଫୋରମ l

ଭାଲୁକାହୁଡ଼ି ଆଦିବାସୀ ସାହିରେ ଅନେକ ଛାତ୍ର ପିଜି, ବିଟେକ, ଡିପ୍ଲୋମା ଭଳି ଉଚ୍ଚଶିକ୍ଷା ପଢୁଥିବା ବେଳେ ଜମିପଟା ନଥିବାରୁ ଶିକ୍ଷା ପାଇଁ ଆସୁଥିବା ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏହି ଛାତ୍ରଛାତ୍ରୀ । ଏନେଇ ପଚାରିବାରୁ ଉପ-ଜିଲ୍ଲାପାଳ କହିଛନ୍ତି, ତଦନ୍ତ ପାଇଁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ ଏହି ୬୬ଟି ଆଦିବାସୀ ପରିବାରକୁ ଜମିପଟ୍ଟା ପ୍ରଦାନ କରାଯିବ l ରାଜ୍ୟ ସରକାର ଆଦିବାସୀମାନଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଥିବା କହି ଡିଣ୍ଡିମ ପିଟୁଛନ୍ତି । ମାତ୍ର ଭାଲୁକାହୁଡ଼ିରେ ଶହେ ବର୍ଷ ଧରି ଏହି ଆଦିବାସୀ ପରିବାର ରହୁଥିଲେ ବି ଜମିପଟ୍ଟା ନମିଳିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l

Leave A Reply

Your email address will not be published.