Latest Odisha News

BREAKING NEWS

ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମ; କଳାହାଣ୍ଡିରୁ କଲିକତା ଗଲେ ୨୦ ଯୁବକ ଯୁବତୀ

ଭବାନୀପାଟଣା: କଳାହାଣ୍ଡିରେ ଥିବା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ୨୪ ବାଟାଲିୟନ ସିଆରପିଏଫ୍ ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲାର ୨୦ ଜଣ ଯୁବକ ଯୁବତୀ ପଶ୍ଚିମବଙ୍ଗର କଲିକତା ଯାତ୍ରା କରିଛନ୍ତି । ଏହି ସମସ୍ତ ଯୁବକ ଯୁବତୀ ମଦନପୁର ରାମପୁର, ନର୍ଲା ଓ କେସିଙ୍ଗା ବ୍ଲକର ।

କେସିଙ୍ଗା ରେଳ ଷ୍ଟେସନରୁ ଯାତ୍ରା କରିଥିବା ଦଳରେ ଦଶଜଣ ଯୁବକଙ୍କ ସହ ଦଶ ଜଣ ଯୁବତୀ ଏବଂ ଏମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସିଆରପିଏଫ୍ ର ସାକ୍ଷୀ ଗୋପାଳ ଘୋଷ ଓ ମହିଳା କନେଷ୍ଟବଳ ଜି. ଦିବ୍ୟା ମଧ୍ୟ ସେମାନଙ୍କ ସହ ଯାତ୍ରା କରିଛନ୍ତି ।

ଏହି ଦଳକୁ ବିଦାୟ ଦେବା ଅବସରରେ ସ୍ଥାନୀୟ ସହରରେ ଥିବା ସିଆରପିଏଫ୍ କ୍ୟାମ୍ପ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସିଆରପିଏଫ୍ ର କମାଣ୍ଡାଣ୍ଟ୍ ପଙ୍କଜ ଚୌଧୁରୀ ଏବଂ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଲେଖାପାଳ ଦ୍ୱିତୀୟ ବନଛୋର୍ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।

ପ୍ରକାଶ ଯୋଗ୍ୟ ଯେ, ଏହି ଜନଜାତି ଯୁବ ବିନିମୟ କାର୍ଯ୍ୟକ୍ରମରେ ନକ୍ସଲ ପ୍ରଭାବିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବକ ଯୁବତୀ ମାନେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସେହି ସବୁ ରାଜ୍ୟର ଯୁବକ ଯୁବତୀଙ୍କ ସହ ମିଶି ନିଜ ରାଜ୍ୟର କଳା, ସଂସ୍କୃତି, ପରମ୍ପରା ତଥା ଦର୍ଶନୀୟ ସ୍ଥାନ ସମ୍ପର୍କରେ ଜାଣିବା ସହ ଅନ୍ୟ ରାଜ୍ୟ ବିଷୟରେ ଜାଣିଥାଆନ୍ତି । କଲିକତା ଠାରେ ୨୪.୧୧.୨୩ ଠାରୁ ୩୦.୧୧.୨୩ ପର୍ଯ୍ୟନ୍ତ ଏହି ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଜଣାପଡିଛି ।

 

Leave A Reply

Your email address will not be published.