Latest Odisha News

BREAKING NEWS

ରାଜଧାନୀରେ ଉଦଘାଟିତ ହେଲା ‘ଟ୍ରାଇବ୍ସ ଇଣ୍ଡିଆ’ ମେଗା ଆଉଟଲେଟ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଇବ୍ସ ଇଣ୍ଡିଆର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ ହୋଇଛି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସତ୍ୟନଗର ୱେଷ୍ଟସାଇଡ୍ ନିକଟରେ ‘ଟ୍ରାଇବ୍ସ ଇଣ୍ଡିଆ’ର ନିଜସ୍ୱ ଆଉଟଲେଟର ଶୁଭାରମ୍ଭ କରିଛନ୍ତି ।

ବର୍ତ୍ତମାନ ଟ୍ରାଇଫେଡ୍ ସମଗ୍ର ଦେଶରେ ୪୨ଟି ନିଜସ୍ୱ ଆଉଟଲେଟ୍, ୩୩ ଟି ଏଜେଣ୍ଟ ଭିତ୍ତିକ କନ୍ସାଇନ୍ମେଣ୍ଟ ଆଉଟ୍ଲେଟ୍ ଏବଂ ୧୪ଟି ଫ୍ରାଞ୍ଚାଇଜ୍ ଭିତ୍ତିକ ଆଉଟଲେଟ୍ ଖୋଲିସାରିଛି । ଏହି ଆଉଟଲେଟ୍ ସାହାଯ୍ୟରେ ବୃହତ ପରିମାଣର ପାରମ୍ପରିକ ଆଦିବାସୀ ହସ୍ତକଳା, ସାର୍ଟ, କୁର୍ତ୍ତା ଏବଂ କୁର୍ତ୍ତି ଆଦି ପୋଷାକର ହସ୍ତତନ୍ତ ଏବଂ ବିଭିନ୍ନ ଘରକରଣା ଓ ଘର ସାଜସଜ୍ଜା ସାମଗ୍ରୀ ଆଦିର ପ୍ରଚାର ପ୍ରସାର ଏବଂ ମାର୍କେଟିଂ କରାଯାଇଥାଏ । ଅନ୍ୟପକ୍ଷରେ ଏମ୍ଏଫ୍ପି ବିକାଶ ପ୍ରୟାସ ସ୍ଥାୟୀ ଜୀବନ ଜୀବୀକା ସୃଷ୍ଟି କରିବାରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାଏ ।

ଏହାଦ୍ୱାରା କେବଳ ଆଦିବାସୀଙ୍କ ହସ୍ତକଳା ଏବଂ ହସ୍ତତନ୍ତ ପାଇଁ ବଜାର ପ୍ରସ୍ତୁତ ହେଉଛି ତାହାନୁହେଁ, ବରଂ ଟ୍ରାଇବ୍ସ ଇଣ୍ଡିଆ ସହିତ ଜଡ଼ିତ ଆଦିବାସୀଙ୍କ ରୋଜଗାର ବଢ଼ାଇବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଉ ଏଥିରେ ଟ୍ରାଇବ୍ସ ଇଣ୍ଡିଆର ବୃହତ୍ ନେଟ୍ୱର୍କ, ଆଦି ମହୋତ୍ସବ, ପ୍ରଦର୍ଶନୀ ଏବଂ ଇ-କମର୍ସ ପୋର୍ଟାଲ ପ୍ରମୁଖ ଭୂମିକା ନେଉଛି । ଟ୍ରାଇଫେଡ୍ ଏପରି ଉଦ୍ୟମରେ କେବଳ ଆଦିବାସୀ କଳା ଏବଂ ହସ୍ତକଳାକୁ ପ୍ରୋତ୍ସାହନ ଦେଉନାହିଁ, ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପରପିଢ଼ି ପାଇଁ ସଂରକ୍ଷଣ କରିବାରେ ସହାୟକ ହେଉଛି ।

ଏହି ଅବସରରେ ଖୁଚୁରା ବ୍ୟବସାୟରେ ବ୍ୟବସାୟିକ ସଫଳତା ପାଇଁ ଟ୍ରାଇଫେଡ୍କୁ ମନ୍ତ୍ରୀ ଶ୍ରୀ ଓରାମ୍ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଆଦିବାସୀ ଉତ୍ପାଦକୁ ଏତେ ମାତ୍ରାରେ ଲୋକପ୍ରିୟ କରାଇବା ଏବଂ ଫ୍ଲିପକାର୍ଟ, ଅ।ମାଜନ୍ ଓ ସ୍ନାପଡିଲ ଆଦିରେ ଏହି ଉତ୍ପାଦଗୁଡ଼ିକୁ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ସଫଳ ହୋଇଥିବା ବାବଦରେ ଆଲୋକପାତ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ୫୦ କୋଟି ବ୍ୟବସାୟର ଟାର୍ଗେଟ୍ ରହିଥିବାବେଳେ ଏହି ୪୪ତମ ଆଉଟ୍ଲେଟ୍ ଏହାକୁ ସଫଳାୟନ କରିବାରେ ସହାୟକ ହେବ ।

ଏହି ଅବସରରେ ଶ୍ରୀ ଓରାମ୍ ଆହୁରି ମଧ୍ୟ କହିଥିଲେ ଯେ, ଆଦିବାସୀ ସଶକ୍ତିକରଣ ପାଇଁ ସମସ୍ତ ପ୍ରୟାସ କରାଯିବ । ଏହି ଅବସରରେ ସମଗ୍ର ଦେଶରେ ଆୟୋଜିତ ହେଉଥବା ଆଦି ମହୋତ୍ସବ ବାବଦରେ କହିଥିଲେ ଯେ, ଏହା ଦ୍ୱାରା ଆଦିବାସୀମାନେ ସିଧାସଳଖ ଗ୍ରାହକମାନଙ୍କୁ ଉତ୍ପାଦ ବିକ୍ରି କରି ପ୍ରତ୍ୟକ୍ଷଭାବେ ଲାଭବାନ ହୋଇପାରୁଛନ୍ତି ।

ସେହିଭଳି ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ମୂଲ୍ୟ ଯୋଗଦାନ ଯୋଜନା ‘ବନ୍ଦନ’ ବିଷୟରେ ଘୋଷଣା କରିଥିଲେ । ବର୍ତ୍ତମାନ ଏହାକୁ ଆହୁରି ସୁଦୃଢ଼ କରିବା ପ୍ରୟାସରେ ହାଟ ବଜାର ଭିତ୍ତଭୂମି ସଜାଡ଼ିବା, ଆଦିବାସୀଙ୍କଠାରୁ ଉତ୍ପାଦ କିଣିବାକୁ ଆହୁରି ବ୍ୟାପକ କରିବା, ଗୋଦାମ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବିକଶିତ କରିବା ପାଇଁ ପ୍ରୟାସ କରାଯାଉଛି । ଏପରିକି ଲଘୁ ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ । ଆଜି କାର୍ଯ୍ୟକ୍ରମ ଶେଷରେ ଟ୍ରାଇଫେଡ୍ ପରିଚାଳନା ନିର୍ଦ୍ଦେଶକ ପ୍ରବୀର କ୍ରିଷ୍ଣା କେନ୍ଦ୍ର ମନ୍ତ୍ରୀ, ଅନ୍ୟ ଅତିଥି ଏବଂ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଚଳିତ ଆର୍ଥିକ ବର୍ଷର ଟାର୍ଗେଟ୍ ହାସଲ ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସେ ଦୃଢ଼ତାର ସହିତ କହିଥିଲେ ।

Leave A Reply

Your email address will not be published.