Latest Odisha News

BREAKING NEWS

ଓଡିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ

ଭୁବନେଶ୍ୱର : ଓଡିଶାରେ ପୁଞ୍ଜି ନିବେଶ କରିବ ଫ୍ରାନ୍ସ । ରାଜ୍ୟ ସଚିବାଳୟରେ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗଲର ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସହିତ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନେଇ ଆଲୋଚନା କରିଛନ୍ତି ।

ବିଶେଷକରି ହୋଟେଲ, ଇସ୍ପାତ, ବୈଦ୍ୟୁତିକ ଉପକରଣ, ଶକ୍ତି ଓ ଅନ୍ୟନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଫ୍ରାନ୍ସର ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫରାସୀ କମ୍ପାନୀ ଗୁଡିକୁ ଓଡିଶାରେ ପୁଞ୍ଜିନିବେଶ କରିବା ଓ ଆଗାମୀ ନଭେମ୍ବରରେ ହେବାକୁ ଥିବା ମେକ୍-ଇନ୍-ଓଡିଶା କନକ୍ଲେଭରେ ଭାଗ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବର୍ତ୍ତମାନ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି । ଓଡିଶାରେ ପୁଞ୍ଜିନିବେଶ ଦ୍ୱାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ବ୍ୟାପକ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ହୋଇପାରିବ ।

ଅନ୍ୟପକ୍ଷରେ ଓଡିଶା ଏକ ଖଣି ସମୃଦ୍ଧ ରାଜ୍ୟ । ଦେଶର ମୋଟ ଆଲୁମିନିୟମ ଉତ୍ପାଦନର ୫୪ ପ୍ରତିଶତ ଉତ୍ପାଦନ କରି ଓଡିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବରେ ପରିଗଣିତ ହେଉଛି ।

ଆହୁରି ମଧ୍ୟ ଇସ୍ପାତ ଉତ୍ପାଦନର ୨୫ ପ୍ରତିଶତ ମଧ୍ୟ ଓଡିଶାରେ ଉତ୍ପାଦିତ ହେଉଛି । ଓଡିଶା ବର୍ତ୍ତମାନ ଏକ ଷ୍ଟିଲ ହବ ଭାବେ ସୁନାମ ଅର୍ଜନ କରିପାରିଛି । ଧାତୁ କ୍ଷେତ୍ରରେ ଅନୁପ୍ରବାହ ଓ ଆନୁସାଙ୍ଗିକ ଶିଳ୍ପର ବିକାଶ ପାଇଁ ଭିଜନ-୨୦୩୦ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି ।

ସେହିପରି ପ୍ରତିରକ୍ଷା, ଏରୋସ୍ପେଶ କ୍ଷେତ୍ରରେ ଖୁବ୍ ଶୀଘ୍ର ଏକ ନୀତି ପ୍ରସ୍ତୁତ କରାଯାଉଥିବା ନେଇ ସେ କହିଛନ୍ତି । ଏୟାରକ୍ରାଫ୍ଟ, ବୈଦ୍ୟୁତିକ ଉପକରଣ, ମେଡିକାଲ ଯାନ୍ତ୍ରିକ ଉପକରଣ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ଏଥିସହିତ ଓଡିଶାରେ ପୁଞ୍ଜିନିବେଶ ପାଇଁ ପ୍ରକୃଷ୍ଟ ପରିବେଶ ରହିଛି ବୋଲି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗଲର ଓ ତାଙ୍କ ସହିତ ଓଡିଶା ଆସିଥିବା ଇଣ୍ଡୋ-ଫ୍ରେଞ୍ଚ ଚାମ୍ବର ଅଫ କମର୍ସର ସଦସ୍ୟଗଣ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଫ୍ରାନ୍ସ ଓ ଓଡିଶା ମଧ୍ୟରେ ଅଧିକ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଜିଗଲର ପ୍ରକାଶ କରିଛନ୍ତି ।

ଏହି ବୈଠକରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

Leave A Reply

Your email address will not be published.