Latest Odisha News

BREAKING NEWS

ଉମାଶଙ୍କର ମିଶ୍ରଙ୍କ ‘ତ୍ରିତୟ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଉମାଶଙ୍କର ମିଶ୍ରଙ୍କ ଉପନ୍ୟାସିକା ସଂକଳନ ‘ତ୍ରିତୟ’ ସ୍ଥାନୀୟ ବୁଲନ୍ ଭାଇ ଭବନଠାରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଅଧ୍ୟାପକ ବିଶ୍ୱରଂଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାହିତ୍ୟ ସଭାରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ପୁସ୍ତକକୁ ଉନ୍ମୋଚନ କରି କହିଲେ ଯେ ଉମାଶଙ୍କରଙ୍କ ଉପନ୍ୟାସିକା ‘ତ୍ରିତୟ’ ସାମାଜିକ ମୂଲ୍ୟବୋଧ ଓ ସମାଜ ଗଠନର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହୋଇଛି । ଅଧିକାର ଓ ସମାନ୍ତରାଳକୁ ସେ ତାଙ୍କ ଲେଖାରେ ଗୁରୁତ୍ୱ ଦେଇଛନ୍ତି । ସରଳ ଓ ସାବଲୀଳ ଭାବରେ ଉପନ୍ୟାସଟି ଚିତ୍ରିତ ହୋଇଛି ଯାହାକି ସଂପ୍ରତି ପାଠକମାନେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଉନ୍ମୋଚିତ ଉପନ୍ୟାସିକାର ସମୀକ୍ଷକ ଭାବେ ବିଶିଷ୍ଟ ଅନୁବାଦକ ସୁଭାଷ ଚନ୍ଦ୍ର ଶତପଥୀ ଯୋଗ ଦେଇ କହିଲେ ସାମାଜିକ ବିବର୍ତ୍ତନ ଓ ସମାଜରେ ଘଟୁଥିବା ପ୍ରତିଦିନର ସମସ୍ୟାକୁ ଏହା ଉନ୍ମୋଚନ କରିଛି ।

ଦୀର୍ଘ ଗଳ୍ପ ଓ ଉପନ୍ୟାସିକାର ସମକକ୍ଷ ନୁହେଁ । ଉପନ୍ୟାସିକା ସଦାସର୍ବଦା ପାଠକଙ୍କୁ ସ୍ୱତନ୍ତ୍ର ରୁଚି ଦେଇଆସିଛି । ‘ତ୍ରିତୟ’ ଉପନ୍ୟାସିକାଟି ଓଡ଼ିଆ ସାହିତ୍ୟର ପାଠକମାନଙ୍କୁ ବାନ୍ଧିରଖିବାରେ ସକ୍ଷମ ହେବ ବୋଲି ଏହି ସାହିତ୍ୟ ସଭାର ସଭାପତି ଅଧ୍ୟାପକ ବିଶ୍ୱରଂଜନ ତାଙ୍କ ଅଭିଭାଷଣରେ କହିଲେ ।

ପ୍ରାଚୀତାରା ମିଶ୍ରଙ୍କ ସଂଯୋଜନା ଓ ମୋନିସା ମିଶ୍ର ପରିଚାଳନାରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ଲେଖକ ଉମାଶଙ୍କର ମିଶ୍ର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବାବେଳେ ନାଟ୍ୟକାର ସଂଜିତ୍ କୁମାର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇ ପୁସ୍ତକର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସତୀର୍ଥର ଆବାହକ ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ କଥାକାର ବିରାଜ ମୋହନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.