Latest Odisha News

BREAKING NEWS

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ର ଟ୍ରଫି ଟୁର୍ କୁ ଶୁଭାରମ୍ଭ କରିଛନ୍ତି ।  ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲିପ୍ ତିର୍କୀଙ୍କୁ ସେ ଟ୍ରଫି ହସ୍ତାନ୍ତର କରିଛନ୍ତି । ଟ୍ରଫି ଟୁର୍ ର ସଫଳତା ନେଇ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୧୬ଟି ଟିମର ହୋଷ୍ଟ ରହିଛି ଓଡ଼ିଶା । ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଗୁଡିକ ହକି ଖେଳାଳି ଓ ହକି ପ୍ରେମୀଙ୍କ ପାଇଁ ସ୍ମରଣୀୟ ରହିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଭୋଳାନାଥ ସିଂ, କମିଶନର ତଥା ସଚିବ ଆର୍ ଭିନିଲ୍ କ୍ରିଷ୍ଣା, ହକି ଇଣ୍ଡିଆ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀବାସ୍ତବ ଓ ଅନ୍ୟ ଅଧିକାରୀଙ୍କ ସହ ହକି ଖେଳାଳି ଉପସ୍ଥିତ ଥିଲେ । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଟ୍ରଫି ଯିବ ଓ ଡିସେମ୍ୱର ୨୫ ତାରିଖ ପୂର୍ବରୁ ଓଡ଼ିଶାରେ ପହଞ୍ଚିବ ।

ପରବର୍ତ୍ତୀ ୨୧ ଦିନ ଧରି ଟ୍ରଫିଟି ପଶ୍ଚିମବଙ୍ଗ, ମଣିପୁର, ଆସାମସ ଝାଡଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡକୁ ଯିବ । ଓଡ଼ିଶାକୁ ଫେରିବା ପରେ ହକି ପୁରୁଷ ବିଶ୍ୱ କପ୍ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାଗୁଡିକୁ ଯିବ । ହକିର ଏନ୍ତୁଡିଶାଳ ବୋଲାଉଥିବା ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ପୁରୁଷ ବିଶ୍ୱ କପ୍ କୁ ନିଆଯିବ । ଶେଷରେ ରାଉରକେଲାରେ ପରିଭ୍ରମଣ କରାଯିବା ପରେ ଟ୍ରଫିକୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ଫେରାଇ ଅଣାଯିବ । ୨୯ ଜାନୁଆରୀ ୨୦୨୩ରେ ଏଠାରେ ଫାଇନାଲ ଖେଳାଯିବ ।

Leave A Reply

Your email address will not be published.