ନୂଆଦିଲ୍ଲୀ: ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେବା ତୁର୍କୀ ପାଇଁ ମହଙ୍ଗା ପଡ଼ିଛି। ରାଜନୈତିକ ନିଷ୍ପତ୍ତିର ପ୍ରଭାବ କେବେ ଓ କେଉଁଠାରେ ପଡ଼ିଯାଏ, ଏହା ତୁର୍କୀଠାରୁ ଅଧିକ କେହି ବୁଝି ପାରିବେ ନାହିଁ। ଏହାର ସିଧାସଳଖ ଆଘାତ ପଡ଼ିଛି ତୁର୍କୀର ବିବାହ ପର୍ଯ୍ୟଟନ ଶିଳ୍ପ ଉପରେ। ଭାରତର ଅସନ୍ତୋଷ ତୁର୍କୀର ଅର୍ଥନୀତିର ସେହି ଅଂଶକୁ ଝଟକା ଦେଇଛି, ଯାହା ବିଗତ କିଛି ବର୍ଷ ଧରି ଅତ୍ୟନ୍ତ ଲାଭଜନକ କ୍ଷେତ୍ର ଭାବେ ଗଣା ଯାଉଥିଲା । କାରଣ ଅନେକ ଭାରତୀୟ ତୁର୍କୀକୁ ବିବାହ ଡେଷ୍ଟିନେସନରେ ଗଣୁଥିଲେ।
ପୂର୍ବରୁ ପ୍ରତିବର୍ଷ ହାଇ-ପ୍ରୋଫାଇଲ ଭାରତୀୟ ବିବାହ ତୁର୍କୀର ଆଲିଶାନ ହୋଟେଲ ଓ ରାଜପ୍ରାସାଦଗୁଡ଼ିକରେ ଆୟୋଜିତ ହେଉଥିଲା। କିନ୍ତୁ ଏବେ ଭାରତର ବଡ଼ ବଡ଼ ବିବାହ ତୁର୍କୀରୁ ମୁହଁ ଫେରାଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୫ ପାଇଁ ତୁର୍କୀରେ ନିର୍ଦ୍ଧାରିତ ୫୦ଟି ଭାରତୀୟ ବିବାହ ମଧ୍ୟରୁ ୩୦ଟି ଏବେ ଅନିଶ୍ଚିତତାରେ ରହିଛି। ପ୍ରତ୍ୟେକ ବିବାହର ହିସାବ ହେଉଛି ସର୍ବନିମ୍ନ ୨୫ କୋଟି ଟଙ୍କା ପାଖାପାଖି। ଏହା ହିସାବ କଲେ ତୁର୍କୀର ମୋଟ କ୍ଷତି ହେଉଛି ୭୭୦ କୋଟି ଟଙ୍କାରୁ ଅଧିକ, ଅର୍ଥାତ୍ ପ୍ରାୟ ୯୦ ମିଲିୟନ ଡଲାର। ଏହାଛଡ଼ା ୨,୦୦୦ରୁ ଅଧିକ ପର୍ଯ୍ୟଟକ ବୁକିଂ ଏବେ ରଦ୍ଦ ହୋଇ ସାରିଛି।
୨୦୨୪ରେ ତୁର୍କୀ ପ୍ରାୟ ୫୦ଟି ଭାରତୀୟ ବିବାହର ଆୟୋଜନ କରିଥିଲା । ଯେଉଁଥିରୁ ଅନେକର ମୂଲ୍ୟ ୬୦ କୋଟି ଟଙ୍କାରୁ ଅଧିକ ଥିଲା। ଏହି ବିବାହଗୁଡ଼ିକ ତୁର୍କୀକୁ କେବଳ ଆର୍ଥିକ ଲାଭ ଦେଇନଥିଲା, ବରଂ ଏହା ଏକ ବିଶ୍ୱସ୍ତରୀୟ ବିବାହ ଗନ୍ତବ୍ୟ ଭାବେ ବ୍ରାଣ୍ଡିଂ ମଧ୍ୟ ଦେଇଥିଲା। ଏହି ଆୟୋଜନଗୁଡ଼ିକ ତୁର୍କୀର ହୋଟେଲ ଶିଳ୍ପ, ସ୍ଥାନୀୟ ବିକ୍ରେତା, ସାଜସଜ୍ଜାକାରୀ, ଫୁଲ ବ୍ୟବସାୟୀ ଓ ଟ୍ରାଭେଲ କମ୍ପାନୀମାନଙ୍କୁ ବିପୁଳ ରୋଜଗାର ଯୋଗାଇ ଦେଉଥିଲା। କିନ୍ତୁ ଭାରତର ବିରୋଧ ଯୋଗୁଁ ଏହି ଲାଭଜନକ କ୍ଷେତ୍ର ଏବେ ସଙ୍କଟରେ ପଡ଼ିଛି।
୨୦୨୪ରେ ତୁର୍କୀର ମୋଟ ବିବାହ ପର୍ଯ୍ୟଟନ ରାଜସ୍ୱ ଥିଲା ପ୍ରାୟ ୩ ବିଲିୟନ ଡଲାର । ଯେଉଁଥିରୁ ଭାରତୀୟ ବିବାହଗୁଡ଼ିକର ଅଂଶ ଥିଲା ୧,୧୭୦ କୋଟି ଟଙ୍କାରୁ ଅଧିକ। ଭାରତର ଅସନ୍ତୋଷ ଏବେ ଏହି ଅଂଶକୁ ପ୍ରାୟ ବିପଦ ଆଡ଼କୁ ଠେଲି ଦେଇଛି। ତୁର୍କୀର ପର୍ଯ୍ୟଟନ ଶିଳ୍ପର ମୋଟ ମୂଲ୍ୟ ୬୧.୧ ବିଲିୟନ ଡଲାର। ଯଦି ଏହି ପରିସ୍ଥିତି ଏମିତି ଚାଲୁ ରହେ, ତେବେ ଏହାର ପ୍ରଭାବ ଏହା ସହ ଜଡ଼ିତ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପଡ଼ିବ।
ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗାନଙ୍କ ପାକିସ୍ତାନ ପ୍ରୀତି ଏବେ ତାଙ୍କୁ ଆର୍ଥିକ ଦୃଷ୍ଟିରୁ ବଡ଼ ଝଟକା ଦେଇଛି। ‘ଅପରେସନ ସିନ୍ଦୂର’ ପରେ ଭାରତ-ତୁର୍କୀ ସମ୍ପର୍କରେ ଯେଉଁ ତିକ୍ତତା ଦେଖାଦେଇଛି, ତାହା ଭାବନାତ୍ମକ ଓ ରଣନୈତିକ ଦୁଇଟି ସ୍ତରରେ କ୍ଷତି ପହଞ୍ଚାଇଛି। ଏବେ ପ୍ରଶ୍ନ ଉଠୁଛି ଯେ, ଏର୍ଦୋଗାନ ସରକାର ଏହି ସଙ୍କଟକୁ ସମୟ ଥାଉ ଥାଇ ବୁଝି ପାରିବେ କି, ନା ତୁର୍କୀ ତା’ର ସବୁଠୁ ମହଙ୍ଗା ଅତିଥି ଅର୍ଥାତ ଭାରତୀୟ ପର୍ଯ୍ୟଟକଙ୍କୁ ସବୁଦିନ ପାଇଁ ହରାଇ ଦେବ?
ଏହାରି ଭିତରେ ଭାରତରୁ ତୁର୍କୀ ସେଓ ଓ ଅନ୍ୟାନ୍ୟ ଜିନିଷକୁ ବୟକଟ କରିବା ଆରମ୍ଭ ହୋଇଛି । ତୁର୍କୀ ବୁଲିବାକୁ ପସନ୍ଦ କରୁଥିବା ବ୍ୟକ୍ତି ତାଙ୍କ ପସନ୍ଦ ପରିବର୍ତ୍ତନ କରିଥିବା କୁହାଯାଉଛି । ସେହିପରି ଭାରତରେ କାମ କରୁଥିବା ତୁର୍କୀ କମ୍ପାନୀକୁ ବ୍ୟାନ କରାଯାଉଛି । ବଡ଼ କଥା ହେଉଛି ଯେତେବେଳେ ତୁର୍କୀରେ ଗୋଟିଏ ବଡ଼ ଭୂକମ୍ପ ହୋଇଥିଲା ସେତେବେଳେ ଭାରତ ହିଁ ନିଜ ଭାଇ ଭଳି ଛିଡ଼ା ହୋଇଥିଲା ଆଉ ଅନେକ ସାହାଯ୍ୟ ସହଯୋଗ କରିଥିଲା । କିନ୍ତୁ ଭାରତର ଆତଙ୍କବାଦୀ ନିପାତରେ ଶତ୍ରୁଦେଶକୁ ସହଯୋଗ କରି ତୁର୍କୀ ଦେଖାଇଛି ଅସଲ ରୂପ ।
Comments are closed.