Latest Odisha News

ଏମିତି ଏକ ଗାଁ, ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ !

କୋଡିନ୍ନା: କୌଣସି ମାଆର ଯାଆଁଳା ସନ୍ତାନ ଜନ୍ମ ହେବାଟା କିଛି ଆଶ୍ଚର୍ଯ୍ୟକର ଘଟଣା ନୁହେଁ । କିନ୍ତୁ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁରେ ଜନ୍ମ ହେଉଥିବା ଯାଆଁଳା ସନ୍ତାନଙ୍କ କଥା ଟିକେ ନିଆରା ।

ଏଠାରେ ପ୍ରାୟ ଅଧିକାଂଶ ମାଆ ଯାଆଁଳା ସନ୍ତାନ ଜନ୍ମ ଦେଇଥାଆନ୍ତି। ବର୍ତ୍ତମାନ ଏଠାରେ ପ୍ରାୟ ୪୦୦ ଯୋଡ଼ା ଯାଆଁଳା ସନ୍ତାନ ରହିଛନ୍ତି। ଏହି ଯମଜ ମାନଙ୍କ ମଧ୍ୟରେ ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୬୫ ବର୍ଷୀୟ ବୃଦ୍ଧ ପର୍ଯ୍ୟନ୍ତ ରହିଛନ୍ତି ।

ଏକ ଗବେଷଣାରୁ ଜଣାପଡିଛି ଯେ ସାଧାରଣତଃ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ ଯୋଡ଼ା ଯାଆଁଳା ସନ୍ତାନ ଜନ୍ମ ନିଅନ୍ତି। ମାତ୍ର କେରଳର କୋଡିନ୍ନା ଗାଁ ଏହାର ଏକ ବ୍ୟତିକ୍ରମ। ଏଠାରେ ପ୍ରତି ୧ ହଜାରରେ ୪୫ ଯୋଡ଼ା ଯାଆଁଳା ସନ୍ତାନ ଜନ୍ମ ନେଉଛନ୍ତି।

ଯାଆଁଳା ସନ୍ତାନ ଜନ୍ମ କରିବା କ୍ଷେତ୍ରରେ ଏହି ଗାଁ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଓ ଏସିଆର ପ୍ରଥମ ସ୍ଥାନରେ ରହିଛି ରହିଛି । ଏହା ଏକ ମୁସଲମାନ ବହୁଳ ଗାଁ ହୋଇଥିବା ବେଳେ ଏହାର ଜନସଂଖ୍ୟା ପାଖାପାଖି ୨ହଜାର ହେବ । ଏଠାକାର ସ୍କୁଲ, କଲେଜ, ବ୍ୟବସାୟ ସ୍ଥଳ ସବୁଠି ଦେଖିବାକୁ ମିଳେ ଏମିତି କେତେଜଣ ଯାଆଁଳା ବ୍ୟକ୍ତିଙ୍କୁ।

ଏକସାଙ୍ଗରେ ଏତେ ଯାଆଁଳା ପିଲାଙ୍କ ଯୋଗୁଁ ଏଠାକାର ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି । ଖାସକରି ସ୍କୁଲରେ, ଶିକ୍ଷକ ପିଲାଙ୍କୁ ଠିକ ଭାବରେ ଚିହ୍ନଟ କରିପାରୁନାହାନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ୨୦୦୮ରେ ଏଠାରେ ଜନ୍ମ ନେଇଥିବା ୩ଶହ ପିଲାଙ୍କ ମଧ୍ୟରେ ୧୫ ଯୋଡା ଯାଆଁଳା ଶିଶୁ । ଯାହା ଏକ ବର୍ଷରେ ଜନ୍ମ ନେଇଥିବା ଯାଆଁଳା ଶିଶୁଙ୍କ ମଧ୍ୟରେ ସର୍ବାଧିକ ବୋଲି କୁହାଯାଏ। ତେବେ ଗତ କିଛି ବର୍ଷ ହେବ ଏହି ଗାଁରେ ୨ ଯାଆଁଳା ସନ୍ତାନଙ୍କ ବଦଳରେ ଅନେକ ସ୍ଥଳେ ଏକକାଳୀନ ୩ ସନ୍ତାନ ଜନ୍ମ ନେଉଥିବା ମଧ୍ୟ କୁହାଯାଉଛି ।

ଅନେକ ବଡ଼ବଡ଼ ବୈଜ୍ଞାନିକଙ୍କ ଗବେଷଣା ଓ ଡାକ୍ତରୀ ପରୀକ୍ଷା ପରେ ମଧ୍ୟ ଏହା ପଛରେ ରହିଥିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Leave A Reply

Your email address will not be published.