ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭାଷା, ସଂସ୍କୃତି ଓ ଐତିହ୍ୟ କେନ୍ଦ୍ର ‘ପ୍ରାଚୀନ’ ଆନୁକୂଲ୍ୟରେ ଦୁଇଟି ପୁସ୍ତକ ପ୍ରକାଶିତ ହୋଇଛି। ପ୍ରକାଶିତ ଦୁଇଟି ପୁସ୍ତକ ‘ଯୁଗଭଞ୍ଜଙ୍କ ଦଶପୋଈ’ ଓ ‘ପ୍ରାଚୀନ ଓଡିଆ ଅଭିଲେଖ’ ଓଡିଆ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ଏହି ଦୁଇଟି ପୁସ୍ତକକୁ ଆଜି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି ।
ଏହି ପୁସ୍ତକ ପ୍ରଥମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ୧୮୭୫ ମସିହାରେ ପ୍ରକାଶ ପାଇଥିବା ବେଳେ ପୁର୍ନବାର କୋଲକାତାରେ ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପୁସ୍ତକଟି ଉପେନ୍ଦ୍ର ଭଞ୍ଜଙ୍କ ରଚନା ନୁହେଁ ବରଂ ବଉଦର ତତ୍କାଳୀନ ରାଜା ଯୁଗଭଞ୍ଜ ହେଉଛନ୍ତି ଏହାର ପ୍ରକୃତ ରଚୟିତା। ପ୍ରଥମ ପ୍ରକାଶନର ପ୍ରାୟ ଦେଢଶହ ବର୍ଷ ପରେ ଏହି ପୁସ୍ତକର ସ୍ରଷ୍ଟା ଅନ୍ୟ ଜଣେ ବ୍ୟକ୍ତି ବୋଲି ଦୁଇଜଣ ଗବେଷକ ପ୍ରମାଣିତ କରିଛନ୍ତି । ପୁସ୍ତକଟି ଗୀତର ଭାବ ଅନୁଯାୟୀ ଚିତ୍ରିତ କରାଯାଇଛି। ପୁସ୍ତକ ‘ଦଶପୋଈ’କୁ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଓ ଗୌରାଙ୍ଗ ଚରଣ ଦାଶ ସମ୍ପାଦନା କରିଛନ୍ତି ।
ସେହିପରି ଦ୍ୱିତୀୟ ପୁସ୍ତକ ‘ପ୍ରାଚୀନ ଓଡିଆ ଅଭିଲେଖ’କୁ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ ସମ୍ପାଦନା କରିଛନ୍ତି। ପ୍ରଫେସର ଆଚାର୍ଯ୍ୟ ଉରଜାମ ଶିଳାଲେଖ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଖୋଦିତ ଓଡିଆ ଶିଳାଲେଖ ଓ ତାମ୍ରଲେଖଗୁଡିକର ମୂଳପାଠ ଓ ଅନୁବାଦ ଏହି ପୁସ୍ତକରେ ସ୍ଥାନିତ କରାଯାଇଛି। ଏହି ପୁସ୍ତକର ଆରମ୍ଭରେ ଏକ ଦୀର୍ଘ ମୁଖବନ୍ଧ ରହିଥିବା ବେଳେ ଶେଷରେ ଶିଳାଲେଖ ଓ ତାମ୍ରଲେଖ ଗୁଡିକର ଫଟୋ ମଧ୍ୟ ରହିଛି ।
ଉନ୍ମୋଚନ ସମୟରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଉପସ୍ଥିତ ଥିଲେ ।
Comments are closed.