Latest Odisha News

BREAKING NEWS

ମନ୍ତ୍ରୀଙ୍କ କାରକୁ ଢେଲା ମାଡ଼ ଘଟଣା: ପୋଲିସ ଦ୍ୱାରା ୨ ଅଟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବେଲବହଳିଠାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କାର୍ ଉପରକୁ ଢେଲା ମାରିବା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ।

ଏହି ଘଟଣା ଘଟିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ବେଲବହଳି ଗ୍ରାମରୁ ମଙ୍ଗଳବାର ସକାଳେ ଧରି ଥାନାରେ ଅଟକ ରଖିଛି ।

ଭିଡ଼ ଯୋଗୁଁ ମନ୍ତ୍ରୀଙ୍କ କାର୍ ରାସ୍ତା ଉପରେ ଅଟକି ରହିଥିଲା । ତେବେ ଏହାର ସୁଯୋଗ ନେଇ କିଛି ବ୍ୟକ୍ତି ମନ୍ତ୍ରୀଙ୍କୁ ଗାଳି ଗୁଲଜ କରିବା ସହିତ ମନ୍ତ୍ରୀଙ୍କ କାର୍ ଉପରକୁ ଢେଲା ମାଡ଼ କରିଥିବାର ଅଭିଯୋଗ ହୋଇଥିଲା ।

ତେବେ ସୋମବାର ଦିନ ଏହି ଘଟଣାର ପ୍ରତିବାଦ କରି ମନ୍ତ୍ରୀଙ୍କ ସମର୍ଥକମାନେ ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ସମର୍ଥକମାନେ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହିତ ବେଲବହଳି ଗ୍ରାମରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜା ଭସାଣୀ ଉତ୍ସବରେ ମନ୍ତ୍ରୀଙ୍କ କାର ଉପରକୁ ଯେଉଁମାନେ ଢେଲାମାଡ଼ କରିଥିଲେ ସେମାନଙ୍କ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ସେହିପରି ଏହି ଘଟଣାକୁ କେନ୍ଦ୍ରକରି ଘଟଗାଁରେ ମଧ୍ୟ ଅନୁରୁପ ରାସ୍ତା ଅବରୋଧ କରି ସମର୍ଥକମାନେ ଦୋଷୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡ଼ି ବସିଥିଲେ ।

ଅନ୍ୟପକ୍ଷରେ ପୋଲିସ ଏଥିମଧ୍ୟରେ ଘଟଣା ଘଟିବା ଦିନ ରାତିରେ ଗଣେଶ ବିସର୍ଜନ ସମୟରେ ପଟୁଆରରେ ବ୍ୟବହୃତ ହୋଇଥିବା ୫ଟି ଡ଼ିଜେ ସେଟକୁ ମଧ୍ୟ ଜବତ କରିଛି ।

ଏଠାରେ ସୂଚନାଯୋଗ୍ୟ, ଭସାଣୀ ପୂର୍ବ ଦିନ ରାତିରେ ମନ୍ତ୍ରୀ ତାଙ୍କ କାର ଯୋଗେ ବେଲବହଳି ଗ୍ରାମକୁ ଗଣେଶ ବିସର୍ଜନ ଉତ୍ସବକୁ ଯାଉଥିଲେ । ତେବେ ଅଜଣା ଦୁର୍ବୃତ୍ତଙ୍କ ଢେଲାମାଡ଼ରେ ମନ୍ତ୍ରୀଙ୍କ କାର କ୍ଷତିଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.