Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୩ ପୋଲିସ ଆହତ

ବ୍ରହ୍ମପୁର/ଜୟପୁର: ଆଜି ଓଡ଼ିଶାରେ ୨ଟି ଭିନ୍ନ ଭିନ୍ନ ପୋଲିସ ଏନକାଉଣ୍ଟରରେ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହେବା ସହିତ ଅପରାଧୀଙ୍କ ସହ ଗୁଳି ବିନିମୟରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।

ଗୁରୁବାର ଦିନ ହୋଇଥିବା ପ୍ରଥମ ଘଟଣାଟି ଗଞ୍ଜାମ ଜିଲ୍ଲାରେ ଘଟିଛି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଚାଙ୍ଗୁଡ଼ିଦେଇ ପାହାନ ନିକଟବର୍ତ୍ତୀ ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ସହିତ ପୋଲିସର ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଜୟ ପ୍ରଧାନ ଆହତ ହେବା ପରେ ପୋଲିସ ଦ୍ୱାରା ଗିରଫ ହୋଇଛି ।

ଦିଗପହଣ୍ଡିରେ ଜୟ ପ୍ରଧାନ ଏବଂ ତାର ଗ୍ୟାଙ୍ଗ ଡ଼କାୟତି କରିବାକୁ ମସୁଧା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଡ଼କାୟତ ଦଳ ଲୁଚିଥିବା ସ୍ଥାନଟିକୁ ଘେରାଉ କରିଥିଲେ । ପୋଲିସକୁ ଦେଖି ସେମାନଙ୍କ ଉପରକୁ ଜୟ ଆଖିବୁଜା ଗୁଳି ଚାଳନା କରିଥିଲା । ଏହି ଗୁଳି ବିନିମୟ ଚାଲିଥିବା ବେଳେ ପୋଲିସର ପାଲଟା ଜବାବରେ ଜୟର ଗୋଡ଼ରେ ଗୁଳି ବାଜିଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ପୋଲିସ ଏନକାଉଣ୍ଟରରେ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ୩ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରୁ ଗୋଟିଏ ଦେଶୀ ପିସ୍ତଲ ସହିତ ଦେଶୀ ବୋମା ଏବଂ ଏକ ମୋଟରସାଇକେଲ ଜବତ କରିଛି । ଏହି ଏନକାଉଣ୍ଟରରେ ଆହତ ହୋଇଥିବା ଅପରାଧି ଜୟ ପ୍ରଧାନକୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ଜୟ ନାମରେ ପୂର୍ବରୁ ୨୦ଟି ଡ଼କାୟତି ଓ ଅପହରଣ ପରି ବିଭିନ୍ନ ଅପରାଧ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି ।

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ସହରସ୍ଥ ଇରିଗେସନ କଲୋନୀରେ ଘଟିଥିବା ଅନ୍ୟ ଏକ ଘଟଣାରେ, ୱାଣ୍ଟେଡ୍ କ୍ରିମିନାଲ୍ ସେକ୍ ଜାଭେଦ ଅଖତାର ମଧ୍ୟ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ।

ଦୁର୍ଦ୍ଦାନ୍ତ ଅପରାଧି ଅଖତାର ଜୟପୁର ଇରିଗେସନ କଲୋନୀ ନିକଟରେ ବୁଲୁଥିବା ବେଳେ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା ।

ପୋଲିସକୁ ଦେଖି ଅଖତାର ଏବଂ ତା’ର ସହଯୋଗୀମାନେ ସେମାନଙ୍କୁ ଦେଖି ସେଠାରୁ ଖସିଯିବାକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ପୋଲିସ ଘଟଣାସ୍ଥଳରୁ ଅଖତାରକୁ ଧରିଥିଲେ ମଧ୍ୟ ମଧ୍ୟ ତା’ର ୨ଜଣ ସହଯୋଗୀ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ ।

ପୋଲିସ ସୂଚନା ଦେଇ କହିଛନ୍ତି, କୋରାପୁଟ ଜିଲ୍ଲାର ବିଭିନ୍ନ ଥାନାରେ ଅଖତାର ନାମରେ ବିଭିନ୍ନ ମାମଲା ସମେତ ହତ୍ୟାକାଣ୍ଡ ମାମଲା ରହିଛି ।

Leave A Reply

Your email address will not be published.