Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ଜେଲରେ ଡ୍ୟୁଟି ସମୟରେ ଶୋଇବା, ୨ ୱାର୍ଡର ନିଲମ୍ବିତ

ଅନୁଗୁଳ: ଜେଲରେ ଶୋଇବା ୨ ୱାର୍ଡରଙ୍କୁ ମହଙ୍ଗା ପଡ଼ିଛି । ଡ୍ଯୁଟି ସମୟରେ ଶୋଇ ପଡ଼ିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଜେଲ୍‌ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ୱାର୍ଡର ଶୋଇଥିବା ସମୟରେ ଜେଲ୍ ଭିତରେ କିଏ ଫଟୋଇ ଉଠାଇଲା, ଫଟେ କିଭଳି ବାହାରକୁ ଆସିଲା ତାକୁ ନେଇ ବି ପ୍ରଶ୍ନ ଉଠିଛି ।

ଭାଇରାଲ୍ ଫଟୋରେ ଦେଖା ଯାଉଛି ଜେଲ୍ ଭିତରେ ଜଣେ ୱାର୍ଡର ଚୌକିରେ ଶୋଇ ପଡ଼ିଛନ୍ତି । ଗୋଟିଏ ଚୌକିରେ ଗୋଡ଼ ରଖି ନିଘୋଡ଼ ନିଦରେ ଶୋଇଛନ୍ତି । ୱାର୍ଡ ଭିତରେ କଏଦୀମାନେ ଥିଲା ବେଳେ ସେ ବାରଣ୍ଡାରେ ବିନା ଚିନ୍ତାରେ ଶୋଇବା ପରି ଜଣାପଡୁଛି । ଆଉ ଜଣେ ୱାର୍ଡର୍ ଫାଟକ ନିକଟରେ ଶୋଇଛନ୍ତି । ଫାଟକ ପାଖରେ ରହିଥିବା ଟେବୁଲ୍ ଉପରେ ଜେଲ୍‌ର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ରହିଥିଲା ବେଳେ ଟେବୁଲ୍ ତଳେ ସେ ଆରାମରେ ଶୋଇଛନ୍ତି । ସେ ୟୁନିଫର୍ମ ଖୋଲି ଖାଲି ଦେହରେ ତଳେ ଗଡୁଛନ୍ତି ।

ଜେଲ୍ ଭିତରେ ଏହି ଫଟୋ ଉଠାଯାଇଛି, ପରେ ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଚାରି କାନ୍ଥ ଭିତରକୁ ମୋବାଇଲ ଫୋନ୍‌ ବାରଣ ଥିଲାବେଳେ ଏମାନଙ୍କ ଫଟୋ କେମିତି ଉଠିଲା ତାହା ବି କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣିଛି । ଫଟୋ ଉଠିଥିବା ମୋବାଇଲ ଫୋନ୍ କଏଦୀ ବ୍ୟବହାର କରୁଥିଲେ କି ? ନା ଏହା କୌଣସି କର୍ମଚାରୀଙ୍କ ତାହା ସ୍ପଷ୍ଟ ହୋଇନି । ଏହି ଜେଲ୍‌ରେ ଏବେ ୧୨୫ କଏଦୀ ରହିଛନ୍ତି ।

ଏମାନଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ୨ ଜଣ ୱାର୍ଡର ଶୋଇ ପଡ଼ିବା ଫଟୋ ଭାଇରାଲ ହେବା ପରେ ଜେଲ୍‌ର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି ।  ଅନ୍ତେବାସୀମାନେ ବୁଲାବୁଲି କରୁଥିଲାବେଳେ ୱାର୍ଡର୍ ଶୋଇ ପଡ଼ିବା ଘଟଣା ସୁରକ୍ଷା ଜନିତ ଗୁରୁତର ତ୍ରୁଟି ବୋଲି କୁହାଯାଉଛି । ଏପରିକି ଏମିତି ଢିଲା ସୁରକ୍ଷା ପାଇଁ ବଡ଼ ଧରଣର ଅଘଟଣର ଆଶଙ୍କା ମଧ୍ୟ ରହିଛି । ଏହି ଘଟଣା ଗଣ ମାଧ୍ଯମରେ ଆସିବା ପରେ ଉଭୟ ୱାର୍ଡରଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି । ୱାର୍ଡର ଦ୍ୱୟ ହେଲେ ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ। ସିନିୟର ସୁପରିଟେଣ୍ଡେଣ୍ଟ ପ୍ରଦୀପ୍ତ ବେହେରା ନିଲମ୍ବନ କରିଥିବା ଜଣା ପଡିଛି ।

Leave A Reply

Your email address will not be published.