Latest Odisha News

BREAKING NEWS

ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବେ ପୁରୀର ୨ ମହିଳା

ପୁରୀ: ତାଳ ପତ୍ରରେ ନିଖୁଣ ଖୋଦେଇ ପାଇଁ ପୁରସ୍କାର । ପୁରୀରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଳପତ୍ର ପୋଥି ଚିତ୍ର କାରିଗରୀ ଉପସ୍ଥାପନ କରି ପୁରସ୍କୃତ ହେବାକୁ ଯାଉଛନ୍ତି ପିପିଲି ବଜାର ଭବାନୀପୁରର ଜଣାଶୁଣା ମହିଳା ଶିଳ୍ପୀ ସ୍ୱପ୍ନ ମଞ୍ଜରୀ ନାୟକ । ସ୍ଵପ୍ନ ମଞ୍ଜରୀଙ୍କୁ ମହିଳା ବର୍ଗରେ ୨୦୧୯ ବର୍ଷ ପାଇଁ ଚୟନ କରାଯାଇଛି । ମାଟ୍ରିକ୍ ପାସ ପରେ ମାତ୍ର ୧୬ ବର୍ଷ ବୟସରେ ବାପାଙ୍କ ଠାରୁ ତାଳପତ୍ର ପୋଥି ଚିତ୍ର କାରିଗରୀ ଶିକ୍ଷା ଗ୍ରହଣ କରିଥିଲେ ସ୍ୱପ୍ନ ମଞ୍ଜରୀ । ବିବାହ ପରେ ମଧ୍ୟ ପିପିଲିରେ ସେ ଅନେକ ଯୁବକ ଯୁବତୀଙ୍କୁ ତାଳପତ୍ର ପୋଥି ଚିତ୍ର କାରିଗରୀ ଶିଖାଉଛନ୍ତି ।

ସ୍ୱପ୍ନମଞ୍ଜରୀଙ୍କ ଭଳି ପୁରୀ ଜିଲ୍ଲା ଚନ୍ଦନପୁର ବାସୁଦେଇପୁରର ବିଜୟଲକ୍ଷ୍ମୀ ସ୍ୱାଇଁ ପାଇବେ ଜାତୀୟ ପୁରସ୍କାର । ତାଳପତ୍ର ବାକ୍ସରେ କୃଷ୍ନଲୀଳା ବିଷୟ ବସ୍ତୁକୁ ନିଖୁଣ ଭାବେ ଖୋଦେଇ କରି ବିଜୟଲକ୍ଷ୍ମୀ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଦୀର୍ଘ ୨୭ ବର୍ଷ ଧରି ବିଜୟଲକ୍ଷ୍ମୀ ତାଳପତ୍ର ଖୋଦେଇ କରୁଛନ୍ତି । ସେପଟେ ପର୍ଯ୍ୟଟକ ମାନେ ମଧ୍ୟ ଓଡ଼ିଶାର ମହିଳା କାରିଗରଙ୍କୁ ଜାତୀୟ ପୁରସ୍କାର ମିଳୁଥିବାରୁ ଖୁସି ବ୍ୟକ୍ତ କରୁଛନ୍ତି ।

ବିଭିନ୍ନ କଳାକୃତି ପାଇଁ ଦେଶ ଓ ବିଦେଶରେ ଓଡ଼ିଆ ଶିଳ୍ପୀ ପୁରସ୍କୃତ ହେଉଛନ୍ତି । ଦୀର୍ଘ ବର୍ଷର ଅକ୍ଲାନ୍ତ ପରିଶ୍ରମ ଓ ଏକାଗ୍ରତା ଯୋଗୁଁ ସ୍ୱପ୍ନ ମଞ୍ଜରୀ ଓ ବିଜୟ ଲକ୍ଷ୍ମୀ ଜାତୀୟ ପୁରସ୍କାର ପାଇବା ପୁରୀବାସୀଙ୍କୁ ଗର୍ବିତ କରିଛି ।

Leave A Reply

Your email address will not be published.